Unknown

 

 

 

 

 

 

 

 

 

 

 

ଗଳ୍ପ ଖାଲି ଗଳ୍ପ

ହରେକୃଷ୍ଣ ମହାନ୍ତି

 

 

 

 

 

 

 

ଉତ୍ସର୍ଗ

 

ଯିଏ ସାରାଜୀବନ ସୁଖ ସନ୍ତାପ, ହର୍ଷବିଷାଦ, ରୋଗଶୋକ ସବୁ ସମୟରେ ପାଖେ ପାଖେ ରହିଛି, ତାରି ହାତରେ ।

 

–ଲେଖକ

 

ସୂଚୀପତ୍ର

 

୧.

ସ୍ଥିର ତରଙ୍ଗ

୨.

ଗୋପା

୩.

ଲବଣୀ ଛକ

୪.

ମୁଠାଏ ଆକାଶ

୫.

ଗୁରୁଜୀ

୬.

ମୃଣ୍ମୟ

୭.

ବୃନ୍ତଚ୍ୟୁତ

୮.

ପ୍ରଭାତୀ ତାରା

୯.

ଦୁର୍ଗତି-ନାଶିନୀ

୧୦.

ନିୟତିର ହସ

୧୧.

ଅବାନ୍ତର

୧୨.

ଅବାଞ୍ଛିତ

୧୩.

ଅପ୍ରତ୍ୟାଶିତ

Image

 

ସୂଚନା

 

ଓଡ଼ିଶାର ପ୍ରାଚୀନ କଥା ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ । ଏଥିରୁ ଅଧିକାଂଶ, ଲୋକ ମୁଖରେ ପ୍ରଚଳିତ । ଏଗୁଡ଼ିକ ମନରେ ପ୍ରଚୁର ଆନନ୍ଦ ଦେବା ସଙ୍ଗେ ସଙ୍ଗେ ନୀତିଶିକ୍ଷା ମଧ୍ୟ ପ୍ରଦାନ କରିଥାନ୍ତି । ପ୍ରାଚୀନ କଥା ସାହିତ୍ୟ ସମ୍ପର୍କରେ ଅଳଙ୍କାରଶାସ୍ତ୍ରରେ ଉଲ୍ଲେଖ ଅଛି,

 

‘‘ମିଥ୍ୟା ଗ୍ରନ୍ଥ ପ୍ରବନ୍ଧେନ ମନୋହରତି ଯା ଭୃଶଂ ।

ନାନା କୌତୁକ ହାସାଦ୍ୟୈଃ ସା କଥେତ୍ୟଭିଧୀୟତେ ।’’

 

‘ଆଧୁନିକ କ୍ଷୁଦ୍ରଗଳ୍ପ’ ସହିତ ଏଗୁଡ଼ିକର ବିଶେଷ ଆଙ୍ଗିକ ବା ଆତ୍ମିକ ସମ୍ପର୍କ ନାହିଁ । କଥା ବା ଗପ କହିବା, ଶୁଣିବା, ମନୁଷ୍ୟର ଶୈଶବ ପ୍ରଭୃତ୍ତି ହେଲେ ହେଁ ‘ଆଧୁନିକ କ୍ଷୁଦ୍ରଗଳ୍ପ’ ଆଈମା’ର କାହାଣୀ ପେଡ଼ି ନୁହେଁ । ଆଧୁନିକ ସମସ୍ୟାବହୁଳ ସଭ୍ୟସମାଜର ବହିର୍ଦେଶକୁ ନିଜର ପରିସରଭୁକ୍ତ କରିସାରି ଏହା ଏବେ ବିଭିନ୍ନ ରୂପରେ ମନୁଷ୍ୟର ମନ-ଅରଣ୍ୟ ଭିତରେ ଆତଯାତ ହେଉଛି । ପୃଥିବୀର କୌଣସି ଦେଶରେ ଏହାର ବୟସ ହୁଏତ ଶହେ ବର୍ଷ ଟପି ନାହିଁ । ଏହାର ସଂଜ୍ଞା ମଧ୍ୟ ବଡ଼ ବ୍ୟାପକ । ସମାଲୋଚକଙ୍କ ମତରେ ‘‘କ୍ଷୁଦ୍ର ଗଳ୍ପର କୌଣସି ଆଦି ନାହିଁ ।’’ (Tchekhov) ତେବେ ବଳିଷ୍ଠ ସଂଯତ ଭାଷାସହିତ ନିର୍ଦ୍ଦିଷ୍ଟ ଧାରଣା, ନିର୍ଦ୍ଦିଷ୍ଟ ଚରିତ୍ର, ନିର୍ଦ୍ଦିଷ୍ଟ ଘଟଣା, ଏକ ବା ଅନେକ ଆବେଗ, ଉତ୍କଣ୍ଠା, କ୍ଷିପ୍ର ଗତିଶୀଳତା ଏବଂ ପରିଶେଷରେ ଆକସ୍ମିକ ଅବସାନ (‘ଶେଷ ହଏ ହଇଲନା ଶେଷ’)–ଏ ସମସ୍ତ ଏକତ୍ର କରିଦେଲେ ଆଧୁନିକ କ୍ଷୁଦ୍ର ଗଳ୍ପର ସ୍ଥୂଳରୂପ ଅନେକାଂଶରେ ପ୍ରକଟିତ ହୋଇପାରେ ।

 

ଆଧୁନିକ କ୍ଷୁଦ୍ରଗଳ୍ପ ପାଇଁ ଅନେକ ନୀତି ନିୟମ ଶୃଙ୍ଖଳାର ଅବତାରଣା କରାଯାଉଥିଲେ ମଧ୍ୟ ବାସ୍ତବିକ ଆଜିର କ୍ଷୁଦ୍ରଗଳ୍ପରେ କୌଣସି ଧରାବନ୍ଧା ନୀତି ବା ନିୟମ ନାହିଁ । ସମାଲୋଚକଙ୍କ ମତରେ ଏହା ଏକ ସ୍ୱକୀୟ ଶୈଳୀ–ସର୍ବସ୍ୱ କଳା । ଏହାର କୃତିତ୍ୱ ବା ସଫଳତା, ଏହାର ସାମଗ୍ରିକ ପ୍ରଭାବ, ଆବେଦନ, ଆଲୋଡ଼ନ ଏବଂ ସର୍ବୋପରି ଏହାର ଚିତ୍ତାକର୍ଷକ ବା ଆନନ୍ଦଦାୟୀ ଗୁଣ ଉପରେ ହିଁ ନିର୍ଭର କରେ । କାରଣ ସାହିତ୍ୟର ଅନ୍ୟାନ୍ୟ ଅଙ୍ଗପରି କ୍ଷୁଦ୍ରଗଳ୍ପର ମଧ୍ୟ ମୁଖ୍ୟ ଉଦ୍ଦେଶ୍ୟ ହେଲା, ପ୍ରଚୁର ଆନନ୍ଦ ଦାନ ସଙ୍ଗେ ସଙ୍ଗେ ପାଠକ ହୃଦୟରେ ଉନ୍ନତ ରୁଚି ଓ ସାମାଜିକ ସମସ୍ୟାବଳୀ ପ୍ରତି ସଚେତନତା ସୃଷ୍ଟି କରିବା ।

 

କୁହାଯାଏ ଯେ କ୍ଷୁଦ୍ରଗଳ୍ପର ପରିସର ଅତ୍ୟନ୍ତ ସୀମିତ । ବୃଥା ବାବଦୁକତା ବା ଅତି କଥନର ସୁଯୋଗ ଏଥିରେ ନାହିଁ । ଗୋଟିଏ ଶବ୍ଦସୁଦ୍ଧା ଏଥିରେ ଅପ୍ରାସଙ୍ଗିକ ହେବାର ନୁହେଁ, ଆଙ୍ଗିକ ଓ ଆତ୍ମିକ ଚିନ୍ତାଧାରାରେ ସମତା ରକ୍ଷାକରି ବଳିଷ୍ଠ ସଂଯତ ଭାଷା ମାଧ୍ୟମରେ ପ୍ରକାଶ କରିନପାରିଲେ କ୍ଷୁଦ୍ରଗଳ୍ପ, ଡିଆସିଲି କାଠିର ଘରପରି ଭୁଷୁଡ଼ି ପଡ଼ିବ । ଗ୍ଲାସେ ପାଣି ମଧ୍ୟରେ ସମୁଦ୍ର ପ୍ରଦର୍ଶନର କୌଶଳକୁ ଆୟତ୍ତକରି ସଂକେତ, ସୂଚନା, ଇଙ୍ଗିତ ମାଧ୍ୟମରେ ‘ଅଳ୍ପ’ କଥନ ଦ୍ୱାରା ‘ବହୁ’ ପ୍ରକାଶ କରିବାକୁ ହେବ । କେତେକଙ୍କ ମତରେ କ୍ଷୁଦ୍ରଗଳ୍ପକୁ ପନ୍ଦର, କୋଡ଼ିଏ ମିନିଟ୍‍ ମଧ୍ୟରେ ପଢ଼ି ଶେଷ କରିବାକୁ ହେବ ତ ଅନ୍ୟ ମତରେ ଏହା ଏକ ବା ଦୁଇଘଣ୍ଟା ବ୍ୟାପି ପଢ଼ାଯାଇପାରେ । ଯାହାହେଉ ଯେକୌଣସି ସମୟସୀମା ବା ଶୃଙ୍ଖଳାକୁ କଡ଼ାକଡ଼ି ଭାବରେ ପ୍ରୟୋଗ କଲେ ବା ସେ ଦିଗରେ ଅତିରିକ୍ତ ଧ୍ୟାନ ଦେଲେ କଳାର ସ୍ୱତଃସ୍ଫୂର୍ତ୍ତ ପରିପ୍ରକାଶ ବ୍ୟାହତ ହେବା ସଙ୍ଗେ ସଙ୍ଗେ ତାହାର ମୌଳିକ ଗୁଣ ମଧ୍ୟ ନଷ୍ଟ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ।

 

କ୍ଷୁଦ୍ରଗଳ୍ପର କଥାବସ୍ତୁ ବିଷୟରେ କୁହାଯାଏ ଯେ ଘରଭିତରେ ବସି ଝରକା ବାଟେ ବାହାରକୁ ଚାହିଁ ଦେଲେହିଁ ବେଶ୍‌ କଥାବସ୍ତୁ ମିଳିଯିବ । ପ୍ରତିଭାଦୀପ୍ତ କୁଶଳୀ କଳାକାର ପକ୍ଷରେ ଅବଶ୍ୟ ଏହା ଅସମ୍ଭବ ନୁହେଁ । ତଥାପି ଓଡ଼ିଆ ସାହିତ୍ୟରେ ଆଧୁନିକ କ୍ଷୁଦ୍ର ଗଳ୍ପର ଜନ୍ମଦାତା ବ୍ୟାସକବି ଫକୀରମୋହନ ଗଳ୍ପ ଲେଖିବା ପାଇଁ ପ୍ରୌଢ଼, ପରିଣତ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ଅର୍ଥାତ୍‍ ଗଳ୍ପାବଳୀର ବିଷୟବସ୍ତୁ ସଂଗ୍ରହ ପାଇଁ ସାରାଜୀବନର ଦୀର୍ଘ ଅନୁଭୂତି ଓ ଅଭିଜ୍ଞତା ତାଙ୍କର ଲୋଡ଼ାପଡ଼ିଥିଲା ।

 

ମାମୁଲି ବିଷୟବସ୍ତୁ ବ୍ୟତୀତ ଏବେ କୌଣସି ନିର୍ଦ୍ଦିଷ୍ଟ ‘ମୁଡ଼୍‌’ ‘ଆଇଡିଆ’ କିମ୍ବା ଜୀବନର ଖଣ୍ଡାଂଶକୁ ନେଇ ମଧ୍ୟ ଗଳ୍ପ ରଚନା କରାଗଲାଣି । ଆଧୁନିକ କବିତାର ଅବୋଧ୍ୟତା ବା ଅସ୍ପଷ୍ଟତା, ‘ମିନିଗଳ୍ପ’ ନାମରେ ଗଳ୍ପ ସାହିତ୍ୟରେ ପ୍ରବେଶ କରିବାକୁ ମଧ୍ୟ ଚେଷ୍ଟା କଲାଣି । ଆଧୁନିକ କବିତା ଯେପରି ଯଥେଷ୍ଟ ପାଠକ ଅଭାବରେ ନିଜକୁ ପ୍ରସାରିତ ବା ପ୍ରଚାରିତ କରିପାରୁ ନାହିଁ, ‘ମିନିଗଳ୍ପ’ର ଭବିଷ୍ୟତ ମଧ୍ୟ ସେହିପରି ହେବା ବିଚିତ୍ର ନୁହେଁ । ଯାହାହେଉ ବର୍ତ୍ତମାନ ସୁଦ୍ଧା ମିନିଗଳ୍ପ ପରୀକ୍ଷା ପର୍ଯ୍ୟାୟ ମଧ୍ୟରେ ଅଛି ।

 

କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ନେଇ ବିଶ୍ୱକବି ରବୀନ୍ଦ୍ରନାଥଙ୍କର ଉକ୍ତି ବିଶେଷ ଭାବରେ ପ୍ରଣିଧାନଯୋଗ୍ୟ ।

 

‘‘ଛୋଟ ପ୍ରାନ୍‌ ଛୋଟ ବ୍ୟଥା ଛୋଟ ଛୋଟ ଦୁଃଖ କଥା

ନିତାନ୍ତଇ ସହଜ ସରଲ

ସହସ୍ର ବିସ୍ମୃତି ରାଶି ପ୍ରତ୍ୟହ ଯେତେଛେ ଭାସି

ତାର ଦୁ ଚାରିଟି ଅଶ୍ରୁଜଲ

ନାହିଁ ବର୍ଣ୍ଣନାର ଛଟା ଘଟନାର ଘନଘଟା

ନାହିଁ ତତ୍ତ୍ୱ ନାହିଁ ଉପଦେଶ

ଅନ୍ତରେ ଅତୃପ୍ତି ରବେ ସାଙ୍ଗ କରି ମନେ ହବେ

ଶେଷ ହଏ ହଇଲନା ଶେଷ ।’’

 

ଜୀବନର ସହସ୍ର ମୁହୂର୍ତ୍ତ ମଧ୍ୟରେ ଯେଉଁ ଦୁଇଟି ମୁହୂର୍ତ୍ତ ହୃଦୟରେ ଗଭୀର ଆଲୋଡ଼ନ ସୃଷ୍ଟି କରିବାକୁ ସମର୍ଥ କେବଳ ତାକୁହିଁ କ୍ଷୁଦ୍ରଗଳ୍ପ, ରୂପ ପ୍ରଦାନ କରିଥାଏ । ସେଥିଯୋଗୁ କୁହାଯାଏ କ୍ଷୁଦ୍ରଗଳ୍ପ, ଜୀବନର ଏକ ରସଘନ ବିଶେଷ ମୁହୂର୍ତ୍ତର କଳାତ୍ମକ ପରିପ୍ରକାଶ । ଏଥିରେ ଅନୁଭୂତି ଓ କଳ୍ପନା ବା ଆହରଣର ଏକ ସୁଷମ ସମନ୍ୱୟ ହେବା ଆବଶ୍ୟକ । କେବଳ କଳ୍ପନା ବା ଆହରଣ-ସର୍ବସ୍ୱ ହେଲେ ତାହା ଯେକୌଣସି ଆଙ୍ଗିକ ବା ଭାଷାବିନ୍ୟାସଦ୍ୱାରା ରୂପାୟିତ ହେଲେ ମଧ୍ୟ ହୃଦୟସ୍ପର୍ଶୀ ହୋଇପାରିବ ନାହିଁ । ନିଚ୍ଛକ ଅନୁଭୂତିକୁ ନେଇ ସବୁ କ୍ଷେତ୍ରରେ ଗଳ୍ପରଚନା କରିବା ମଧ୍ୟ ମହା ବିପଦ । କାରଣ ତା’ଦ୍ୱାରା ସମାଜରେ ସ୍ୱାଭାବିକ ଭାବେ ଚଳପ୍ରଚଳ ହେବାରେ କିଛି ସଂକୋଚ ସୃଷ୍ଟି ହୋଇପାରେ । ଏପରି ଦେଖାଯାଏ ଯେ, କୌଣସି ପ୍ରତିଷ୍ଠିତ ଓ ପ୍ରଶଂସିତ ଗାଳ୍ପିକ ମଧ୍ୟ ନିଜ ରଚନାରେ ଭାବପ୍ରବଣତାବଶତଃ ସ୍ୱ-ଅନୁଭୂତିର ନିଃସଙ୍କୋଚ ଓ ମାତ୍ରାଧିକ ଚିତ୍ର ପ୍ରଦାନ କରି ପାରିପାର୍ଶ୍ୱିକ ସ୍ୱଜନଙ୍କୁ ଏକରକମ ପଦାରେ ପକାଇ ଦେଇଛନ୍ତି । ଗଳ୍ପ ଲେଖକ, ଏ ଦିଗପ୍ରତି ସତର୍କ ରହିବା ଉଚିତ ବୋଲି ନିଃସନ୍ଦେହରେ କୁହାଯାଇପାରେ ।

 

ଆଉ ମଧ୍ୟ ଗଳ୍ପରଚନା ପାଇଁ ନିଛକ ଅନୁଭୂତି ମାତ୍ର ଉପଜୀବ୍ୟ ହେଲେ ଯଥେଷ୍ଟ ଉପାଦାନର ଅଭାବ ଅନଭୂତ ହେବା ସଙ୍ଗେ ସଙ୍ଗେ ରଚନାରେ ନାଟକୀୟତା ସୃଷ୍ଟି, ଚିତ୍ତାକର୍ଷକ ଗୁଣ ଆରୋପ କରିବା ହୁଏତ ସର୍ବତ୍ର ସମ୍ଭବ ହୋଇନପାରେ । ସେଥିପାଇଁ ଆମର କଥା କହିଲା ବେଳେ କୁହାଯାଇଥାଏ–‘‘ସୁଖ କହିବି ନା ଦୁଃଖ କହିବି ନା ଯାହା ଅଙ୍ଗେ ନିଭେଇଛି ତା’ କହିବି ?’’ ବୁଝିବାକୁ ହେବ, ଏ ସମସ୍ତ ମିଳେଇ ମିଶେଇ କଥା ସୃଷ୍ଟି କରାଯାଏ ବା କରାଯିବା ଉଚିତ ।

 

ଏହି ପୁସ୍ତକର ଗଳ୍ପଗୁଡ଼ିକ ପ୍ରାୟ ଏହି ଧରଣର ସୃଷ୍ଟି, ଏଥିରେ କୌଣସି ପୂର୍ବ ରଚନା ବା ଶୈଳୀର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରଭାବ ନାହିଁ । ଜୀବନରେ ସାଧାରଣତଃ ତଥାକଥିତ ସୁଖ, ସାଫଲ୍ୟ ଅପେକ୍ଷା ଦୁଃଖର ଭାଗ ଅଧିକ ହେତୁ ଗଳ୍ପଗୁଡ଼ିକରେ ମଧ୍ୟ ପ୍ରାୟ ସେହି ଅନୁପାତ ସ୍ୱତଃ ଆସିଯାଇଛି । ସତ କହିବାକୁ ଗଲେ ଗଳ୍ପଗୁଡ଼ିକରେ ମୂଳରୁ ଶେଷ ପର୍ଯ୍ୟନ୍ତ କେବଳ ଅଶ୍ରୁର ବନ୍ୟା ଛୁଟିଛି । ଛୁଟୁ । ବାସ୍ତବ ଜୀବନରେ ସେଗୁଡ଼ାକର କେଉଁ ଅଭାବ ଅଛି କି ?

 

ଗଳ୍ପସାହିତ୍ୟର ଇତିହାସ ବା ଗଣିତକୁ ଭଲଭାବରେ ଅଧ୍ୟୟନ କରିବା ପାଇଁ ମୋତେ ସମୟ ମିଳିନାହିଁ । ଆଶ୍ରିତ ବୃତ୍ତିର ପରିସର ଭିତରେ ସେପରି ସୁଯୋଗ ଅବସର ପ୍ରାୟ ନାହିଁ । ତେଣୁ କୌଣସି ପ୍ରକାର ପ୍ରଭାବ ବା ଆହରଣ–ବିବର୍ଜିତ ଏହି ଗଳ୍ପଗୁଡ଼ିକ କେଉଁ ପର୍ଯ୍ୟାୟଭୁକ୍ତ ହେବ ତାହା ମୁଁ ନିଜେ ମଧ୍ୟ କହିପାରିବି ନାହିଁ । ଏତିକି ମାତ୍ର ଜଣାଶୁଣା କଥା ଯେ ଗଳ୍ପ ଚରିତ୍ର ଭିତରେ ପାଠକ ନିଜକୁ ବା ନିଜର ପରିବେଶକୁ କିୟତ୍‌ ପରିମାଣରେ ଆବିଷ୍କାର କରି ତା’ ସହିତ ସମ୍ବେଦନଶୀଳ ହୋଇପାରିଲେ, ତାହାହିଁ ହୁଏ ଲେଖକର ଚରମ ସାର୍ଥକତା । ଏହି ଗୁଣ, ଏହି ଗଳ୍ପଗୁଡ଼ିକ ଭିତରେ କେତେଦୂର ରହିପାରିଛି ତାହା ସହୃଦୟ ପାଠକମାନେ ହିଁ ବିଚାର କରିବେ ।

 

ବିନୀତ ଲେଖକ

Image

 

ସ୍ଥିର ତରଙ୍ଗ

 

ସୁକାନ୍ତ ଏକ ବଡ଼ ସମସ୍ୟାରେ ପଡ଼ିଯାଇଛି, ଯେଉଁ ସମସ୍ୟାର ସହଜରେ ସମାଧାନ ହୋଇପାରେ ନାହିଁ । ଇଂରାଜୀ ଅନର୍ସର ଛାତ୍ର ସେ । ମୁଣ୍ଡ ଉପରେ ବି.ଏ. ପରୀକ୍ଷା । ଏତେବେଳେ ପଢ଼ିବାକୁ ଦିନ ରାତି ନିଅଣ୍ଟ ହୁଅନ୍ତା । ମାତ୍ର ପଢ଼ାରେ ଆଦୌ ମନ ଦେଇପାରୁନି ସେ । ସୀମା ତାକୁ ବହୁତ ଦୁଶ୍ଚିନ୍ତା ଭିତରକୁ ଠେଲି ଦେଇଛି । ସେ କ’ଣ କେବେହେଲେ କଳ୍ପନା କରିଥିଲା, ସୀମା ଏପରି ହଠାତ୍‌ ବିବାହ ପ୍ରସ୍ତାବ ଦେଇ ବସିବ !

 

ସୀମା ତା’ର ସହପାଠିନୀ । ଏକ ବିଚିତ୍ର ପନ୍ଥାରେ ସୁକାନ୍ତର ତା’ ସହିତ ଘନିଷ୍ଠତା ହୋଇଯାଇଛି । ସୀମା ସୁନ୍ଦରୀ, ସ୍ୱାସ୍ଥ୍ୟବତୀ । ସୁକାନ୍ତ ମଧ୍ୟ ସୁଦର୍ଶନ ଯୁବକ । ବହୁଦିନ ପର୍ଯ୍ୟନ୍ତ ଦୁହେଁ ପରସ୍ପରର ଅପରଚିତ ଥିଲେ । ଦୁହିଁଙ୍କ ଭିତରେ କ୍ରମେ ଅନୁରାଗ ସଞ୍ଚାରିତ ହେଲା, ସୁକାନ୍ତର ବନ୍ଧୁ ପ୍ରକାଶ ଓ ସୀମାର ବନ୍ଧୁ ସନ୍ଧ୍ୟା ଜରିଆରେ । ପ୍ରକାଶ ଓ ସନ୍ଧ୍ୟା ବହୁଦିନରୁ ଘନିଷ୍ଠ । କଥା ପ୍ରସଙ୍ଗରେ ସୁକାନ୍ତ, ସୀମା ରୂପ ଗୁଣର ପ୍ରଶଂସା ପ୍ରକାଶ ଆଗରେ କରିଛି । ପ୍ରକାଶ ଏକଥା କହିଛି ସନ୍ଧ୍ୟାକୁ । ସନ୍ଧ୍ୟା କହିଛି ସୀମାକୁ । ସୀମା, ସୁକାନ୍ତର ମୁଖରେ ନିଜର ପ୍ରଶଂସା ଶୁଣି ଖୁସି ହୋଇଛି । ନିଜ ରୂପ ଗୁଣର ପ୍ରଶଂସା ଶୁଣିଲେ କିଏ ବା ଖୁସି ନ ହୁଏ ? ପୁଣି ଯେଉଁ ଅପରିଚିତ ସହପାଠୀର ସୌମ୍ୟମୂର୍ତ୍ତି କ୍ଲାସରେ, ଯିବା ବାଟରେ ସୀମାର ଦୃଷ୍ଟି ଆକର୍ଷଣ କରେ ସେହି ପିଲା ଯେ ସୁକାନ୍ତ, ଏହା ସୀମା ଯେତେବେଳେ ଜାଣିଲା ତା’ର ଦେହ ଓ ମନ ପୁଲକିତ ହୋଇଉଠିଲା । ସନ୍ଧ୍ୟା ଆଗରେ ତା’ର ମନୋଭାବକୁ ଗୋପନ କରିବାକୁ ଯାଇ ସେ ହାରି ଯାଇଥିଲା ।

 

ତା’ପରେ ସୁକାନ୍ତ ଆଗରେ ପ୍ରକାଶ କହିଚାଲେ ‘ସୁକାନ୍ତରେ, ସନ୍ଧ୍ୟା କହୁଥିଲା, ସୀମା ତୋ’ଲାଗି ମରିଯାଉଛି । ତାକୁ ଯେତେବେଳେ ଦେଖେ, ଆଗ ତୋରି କଥା ପଚାରେ ।’ ତେଣେ ସନ୍ଧ୍ୟା, ସୀମାକୁ କହେ ‘ସୀମା ଲୋ, ପ୍ରକାଶ କହୁଥିଲା, ସୁକାନ୍ତ ତୋତେ ଝୁରି ଝୁରି ମରୁଛି । ତୋ ପ୍ରଶଂସାରେ ସେ ଏବେ ଶତଜିହ୍ୱ ହୋଇଉଠିଛି । ତା’ ସଙ୍ଗେ ଦୁଇପଦ କଥା କହ ।’

 

ଏହିପରି କିଛିଦିନ ଚାଲିଲା ପରେ ସୁକାନ୍ତ ଓ ସୀମା ମଧ୍ୟରେ ଯେତେବେଳେ ପ୍ରଥମ ସାକ୍ଷାତ–କଥାବାର୍ତ୍ତା ହୁଏ ସେତେବେଳକୁ ଦୁହିଁଙ୍କ ହୃଦୟ ପରସ୍ପର ପ୍ରତି ଗଭୀର ପ୍ରେମପୂର୍ଣ୍ଣ ହୋଇଉଠିଛି । ସତେ ଯେପରି ବହୁକାଳର ପ୍ରଣୟୀ-ଯୁଗଳ !

 

ପରବର୍ତ୍ତୀ କଲେଜ ଜୀବନ ବେଶ୍‌ ଉପଭୋଗ୍ୟ ହେଲା । ପରୀକ୍ଷା ପାଖେଇ ଆସିଲାଣି-। ଏତେବେଳେ ସୀମାର ଇଏ କି ପାଗଳାମି ! ଜୀବନ ପାଇଁ ଯୋଜନା ମୋଟେ ଆରମ୍ଭ ହୋଇନି-। କଅଣ ନା–ବିଭା ହେବା । ସୀମା ପୁଣି ଚିଠିରେ ଲେଖିବାକୁ ଛାଡ଼ୁନି–‘ତମ ବାପା ବିରକ୍ତ ହୋଇ ଟଙ୍କା ଦେବା ବନ୍ଦ କଲେ ମୁଁ ବି.ଏ. ପାସ୍‍ କରି ଚାକିରି କରିବି । ସେହି ଟଙ୍କାରେ ତମେ ପଢ଼ିବ-। ଆଉ ତମର ଯେମିତି ଚେହେରା, ପଢ଼ା ଶେଷ ପରେ ଭଲ ଚାକିରିଟାଏ ନିଶ୍ଚେ ମିଳିଯିବ-।’ ସୁକାନ୍ତ ମନେ ମନେ କେତେ ହସିବ ? ଚେହେରା ତ ବହୁତ ଲୋକଙ୍କର ଅଛି । ବ୍ୟାକିଂ ଘରେ ଯେ ତା’ର ଶୂନ । ସୀମା ପୁଣି ଲେଖିଛି ‘ବିବାହ ଡେରି ହେଲେ ମୋର ଦୁଃଖ ନାହିଁ, ମୁଁ ଅପେକ୍ଷା କରିବି-। ତମେ ଖାଲି କଥା ଦିଅ ।’ କି କଥା ? ବେଙ୍ଗୁଲୀ କଥା ? କି ବେଙ୍ଗୁଲୀ ? କାଠ ବେଙ୍ଗୁଲୀ-? ସୁକାନ୍ତ ମନେ ମନେ ହସିଲା । ସୀମାଟା ପାଗଳୀ–ଅତି ସରଳ । ସେ ସିନା ଭାବିଥିଲା, କଲେଜ ଜୀବନରେ କିଛିଟା ରୋମାନ୍‌ସ । ତା’ପରେ ଯେଝା ବାଟରେ ଯିଏ । ଏପରି ସହରୀ ପାଠୋଇ ଝିଅକୁ ନେଇ ଯତ୍ନରେ ସାଇତିବା ତ ତା’ ପକ୍ଷରେ ନିଶ୍ଚୟ ଏକ ବିରାଟ ସମସ୍ୟା-। ପୁଣି ସ୍ତ୍ରୀର ରୋଜଗାରରେ ସୁକାନ୍ତ ପାଠ ପଢ଼ିବ ! ମାତ୍ର ସୀମା ପରି ଏକ ସରଳ ଝିଅ ମନରେ ଆଘାତ ଦେବାକୁ ତ ମନ ବଳୁନି । ସେ ଚାହିଁଲେ ତ କେତେ ଧନିକର ସନ୍ତାନ ତାକୁ ବିବାହ କରିବା ପାଇଁ ଆଗେଇ ଆସନ୍ତେ ।

 

ଗାଁରୁ ବାପା ଚିଠି ଦେଇଛନ୍ତି–‘ସୁକାନ୍ତ, ତୋର ବିବାହ ଆସନ୍ତା ୧୯ ତାରିଖରେ ରାମ ବାବୁଙ୍କ ସାନ ଝିଅ ସହିତ ସ୍ଥିର ହୋଇଛି । ପରୀକ୍ଷା ସରିବା ସଙ୍ଗେ ସଙ୍ଗେ ଘରକୁ ଚାଲି ଆସିବୁ ।’ ରାମ ବାବୁଙ୍କ ଘର ସୁକାନ୍ତର ନିଜ ଗାଁରେ । ତାଙ୍କ ସ୍ତ୍ରୀ ଓ ସୁକାନ୍ତର ବୋଉ ଅନେକ ଦିନରୁ ସତ୍ୟ କରିଛନ୍ତି, ଦୁହେଁ ଦି’ ସମୁଦୁଣୀ ହେବେ । ସେହି ସତ୍ୟ-ବୃକ୍ଷରେ ଏବେ ଫଳ ଫଳିବାକୁ ଯାଉଛି । ସୁକାନ୍ତର ମତାମତ ନେବା କେହି ଆବଶ୍ୟକ ମନେକରିନାହାନ୍ତି । ପୁତ୍ରଠାରୁ ସବୁ ବିଷୟରେ ଏକାନ୍ତ ଆନୁଗତ୍ୟ ଛଡ଼ା ଅନ୍ୟ କିଛି ସେମାନଙ୍କ କଳ୍ପନାର ବାହାରେ ।

 

ଟେଷ୍ଟ୍‌ ପରୀକ୍ଷା ପରେ ଆଉ କ୍ଲାସ୍‌ ହେଉନି କି ସୀମା ସଙ୍ଗେ ଦେଖା ମଧ୍ୟ ହେଉନି । ଦିନେ ସୁକାନ୍ତ ତାଙ୍କ ଘରକୁ ଯାଇ ଗେଟ୍‌ ପାଖରୁ ଲକ୍ଷ୍ୟ କଲା ସୀମା ଘରେ ବେଶ୍‌ ଗହଳି । ପଚାରି ବୁଝିଲା ଯେ ତାଙ୍କ ଘରେ ବିବାହ ନିର୍ବନ୍ଧ ହେଉଛି । ସୁକାନ୍ତ ବୁଝିଲା, ତା’ଠାରୁ କିଛି ଜବାବ ନପାଇ ସୀମା ଅନ୍ୟତ୍ର ବିବାହ ସ୍ଥିର କଲା । ବେଶ୍‌, ଭଲ କଲା । ଠାକୁର ତାକୁ ସୁଖ ଶାନ୍ତିରେ ରଖନ୍ତୁ । ମୋ’ପରି ଗୋଟାଏ ଅବ୍ୟବସ୍ଥିତ ଲୋକକୁ ବିଭା ହୋଇଥିଲେ ପରେ ହୁଏତ ବିଚାରୀ ଅନୁତାପ କରିଥାନ୍ତା । ତାକୁ ବିଭାହେବା ପାଇଁ ମୋର ବା କି ଯୋଗ୍ୟତା ? କ୍ଲାସରେ ଫାଷ୍ଟ୍‌ ହୁଏ ? ଭଲ ଜଣେ ସ୍ପୋର୍ଟସମ୍ୟାନ ? କଲେଜ ଡ୍ରାମାର ହିରୋ ? ବିରାଟ ବଡ଼ଲୋକ ? ଆଉ ତେବେ କଅଣ ମୁଁ ? ଜଣେ ମାମୁଲି.......ମାଷ୍ଟର ଅଫ୍‌ ନନ୍‌ ! ସୀମା ଯଥାର୍ଥ ନିଷ୍ପତ୍ତି ନେଇଛି । ବିବାହଟା ପ୍ରେମର ନିଶ୍ଚିତ ପରିଣତି ନହୋଇପାରେ । ଆରେ ଆରେ ପାଣି ଦି’ଟୋପା ଯେ ହାତରେ ପଡ଼ିଲା, ମୋ ଆକ୍ଷିରୁ ନା ଆକାଶରୁ ?

 

ସୁକାନ୍ତ ଗେଟ୍‌ ପାଖରୁ ଫେରିଲା । ଆଉ ଆଗେଇବା ନିରର୍ଥକ । ଶୁଭେଚ୍ଛା ଜଣାଇ ଖଣ୍ଡେ ଶେଷ ଚିଠି ଲେଖିବ କି ? ‘‘ଲେଖିଲା......ସୀମା.....ତମର ନିଷ୍ପତ୍ତିରେ ମୁଁ ଖୁବ୍‌ ଆନ୍ଦନ୍ଦିତ । ପ୍ରଭୁଙ୍କ ନିକଟରେ ପ୍ରାର୍ଥନା, ତୁମେ ସୁଖୀ, ସୌଭାଗ୍ୟବତୀ ହୁଅ । ନିମନ୍ତ୍ରଣ ପତ୍ର ପଠାଇବାକୁ ଭୁଲିବ ନାହିଁ ।’’ ଚିଠିର ଜବାବ ଖୁବ୍‌ ଶୀଘ୍ର ମିଳିଗଲା । ସୀମା ଲେଖିଛି–‘‘ସୁକାନ୍ତ, ତମ ଚିଠିପାଇ ହସିବି ନା କାନ୍ଦିବି ? ତମେ କିପରି ଭାବିପାରିଲ, ମୁଁ ତମକୁ ନଜଣାଇ ବିଭାହୋଇ ଯାଉଛି ? ମତେ ନ ଜଣାଇ ତୁମେ ଦିନେ ବିଭା ହୋଇଯିବ ପରା ? ଏପରି ଲେଖିଲି ବୋଲି ରାଗିବ ନାହିଁ । ମୋ ବଡ଼ଭଉଣୀର ଝିଅପାଇଁ ଗତକାଲି ବିବାହ-ନିର୍ବନ୍ଧ ହୋଇଗଲା..... ।’’ ସୁକାନ୍ତ ନିଜର ଭୁଲ ବୁଝିପାରିଲା । ଖୁସି ହେଲା କି ଅଖୁସି ହେଲା ତାକୁ ଠିକ୍‌ ଜଣାଗଲା ନାହିଁ ।

 

X X X ପରୀକ୍ଷା ଶେଷ ହେଲା । ଏବେ ପିତ୍ରାଦେଶ ପାଳନ କରି ଘରକୁ ଫେରିବା କଥା । ମାତ୍ର ଘରକୁ ଫେରିବା ସଙ୍ଗେ ପିତୃ-ନିର୍ବାଚିତ ଏକାନ୍ତ ଅପରିଚିତା ଗାଁ-କନିଆଁଟି ସହିତ ୧୯ ତାରିଖ ଦିନ ହସ୍ତଗ୍ରନ୍ଥି ଯୋଗ । ଆଉ ତା’ ସହିତ ସମସ୍ତ ରଙ୍ଗୀନ ସ୍ୱପ୍ନର ଅବସାନ । X X ଶେଷରେ ସୁକାନ୍ତ ଘରକୁ ନଯିବା ପାଇଁ ସ୍ଥିର କଲା ଓ ନିଜର ଖର୍ଚ୍ଚପାଇଁ ଖଣ୍ଡିଏ ଟ୍ୟୁସନ୍‍ ଧରିଲା । ଯେଉଁ ଭଦ୍ରଲୋକ ତା’ପାଇଁ ଟ୍ୟୁସନ୍‌ ବୁଝିଦେଇଥିଲେ, ପ୍ରଥମରୁ ତାକୁ ସତର୍କ କରିଦେଇଥିଲେ ଯେ ଝିଅଟି ୭ମ ଓ ପୁଅଟି ୬ଷ୍ଠ ଶ୍ରେଣୀରେ ପଢ଼େ । ତେଣୁ ପଢ଼ାଇବାକୁ ବିଶେଷ ଅସୁବିଧା ନାହିଁ । ତେବେ ସେମାନେ ବଡ଼ଲୋକ ପିଲା । ତାଙ୍କ ପ୍ରତି ବେଶି ଚାପ ଦେବାକୁ ହେବ ନାହିଁ । ଭଲକଥା । ସେମାନେ ଯେତିକି ପଢ଼ିବେ ଇଏ ସେତିକି ପଢ଼ାଇବ । ତା’ର ମଧ୍ୟ ଜୀବନରେ ଟ୍ୟୁସନ୍‌ କରିବା ଏଇ ପ୍ରଥମ, ହୋଇପାରେ ଏଇ ଶେଷ ।

 

ସୁକାନ୍ତ ଦେଖିଲା, ଝିଅଟିର ବୟସ ତୁଳନାରେ ପାଠ ବହୁତ ପଛେଇଛି । ବେଶ୍‌ ଚମତ୍କାର ଝିଅଟି । ମାତ୍ର ନିପଟ ଗଧି । ପାଠପଢ଼ାରେ ଆଦୌ ମନ ନାହିଁ । ଟିକିଏ ପ୍ରଗଳ୍‌ଭା । ମାତ୍ର ଉଦ୍ଧତ ନୁହେଁ । ପଢ଼ା ଭିତରେ ବାରମ୍ବାର ଉଠି ବିନା ଆବଶ୍ୟକତାରେ ସାର୍‍ଙ୍କ ପାଇଁ ଚା’, ପାନ, ଜଳଖିଆ, ସରବତ ଆଣିଯିବ । ପ୍ରଥମ ଦିନ ତ ସୁକାନ୍ତକୁ ସିଏ ପାଠ ପଢ଼େଇଲା । ‘‘ସାର୍‍, ଆପଣ ବି.ଏ. ପରୀକ୍ଷା ଦେଇଛନ୍ତି ପରା ?’’

 

‘‘ହଁ’’

 

‘‘ଅନର୍ସ କଅଣ ?’’

 

‘‘ଇଂଲିସ୍‌ ।’’

 

‘‘ଭଲ, ତା’ପରେ କ’ଣ କରିବେ ?’’

 

‘‘ଏମ୍‌.ଏ. ପଢ଼ିବି ।’’

 

‘‘ତା’ପରେ ?’’

 

‘‘ଚାକିରି କରିବି ।’’

 

‘‘ତା’ପରେ ?’’ କହି ତାଳିମାରି ଖିଲ୍‌ ଖିଲ୍‌ ହୋଇ ହସିଲା । ଯାହାହେଉ, ସୁକାନ୍ତକୁ ତା’ର ବ୍ୟବହାର, କଥାବାର୍ତ୍ତା ଭଲ ଲାଗେ ।

 

ଦିନେ ତା’ର ବାପା ନରେନ୍‌ ବାବୁ ପୁଅକୁ ସଙ୍ଗରେ ନେଇ ପୁରୀ ଯାଇଥାନ୍ତି । ମା’ ମାର୍କେଟିଂ କରିଯାଇଥାନ୍ତି । କୁଙ୍କୁମ ଏକା ଫଢ଼ୁଥାଏ । ପାଠ ପଢ଼ା ଭିତରେ ସୁକାନ୍ତ ପଚାରିଲା ‘କୁମ, ‘ଫୁଟିବା’କୁ ବିଭିନ୍ନ ଅର୍ଥରେ ପ୍ରୟୋଗ କଲ ?

 

‘‘ସାର୍‍, ‘ବାଣ ଫୁଟିବା’ ‘ଭାତ ଫୁଟିବା’...... ।’’

 

‘‘ଆଉ ?’’

 

‘‘ଆଉ.......ଫୁଲ ଫୁଟିବା ।’’

 

‘‘ଆଉ ?’’

 

‘‘ଆଉ କଅଣ ମ ? ସେତିକି ।’’ ଏହା କହି ହସି ହସି ଲୋଟିଗଲା ।

 

‘‘ହସୁଛୁ, କାହିଁକି ? ଏଥିରେ ହସିବାର କଅଣ ଅଛି ? ବୁଝିଲ କୁମ, ତମର ପାଠ ପଢ଼ିବାକୁ ଜମା ମନ ନାହିଁ ।’’

 

‘‘ସାର୍‌, ଆପଣ ତ ହସଉଛନ୍ତି । ମୁଁ କିମିତି ନ ହସିବି କହିଲେ ? ମୁଁ କ’ଣ କାଠ ପଥର ହୋଇଛି ?’’

 

‘‘ହଁ, କଥାତ ବେଶ୍‌ କହି ଆସୁଛି ! ତମ ସାହିତ୍ୟ ବହିର ୧୦୫ ପୃଷ୍ଠା ଦେଖିଲ ? ଏ ପ୍ରଶ୍ନ ସେଥିରେ ଲେଖା ନାହିଁ ?’’

 

କୁମ ବହିଖୋଲି ଦେଖିଲା । ‘‘ସତେ ଅଛି ତ । ସାର୍‌, ମୋର ଭୁଲ ହୋଇଛି । କାନ ଧରୁଛି ।’’ ଏହା କହି କାନ ଧରିଲା ।

 

‘‘ଆଛା, ‘ଧରିବା’ ଏହି ଶବ୍ଦକୁ ବିଭିନ୍ନ ଅର୍ଥରେ ପ୍ରୟୋଗ କଲ ?’’

 

‘‘କାନ ଧରିବା, ମନ ଧରିବା, ଫୁଲ ଧରିବା....... ।’’

 

‘ଆଉ ?’’

 

‘‘ଆଉ.....ହାତ ଧରିବା ।’’

 

‘‘ତାକୁ ବାକ୍ୟରେ ପ୍ରୟୋଗ କଲ ?’’

 

‘‘କହିବି ? ଆପଣ ରାଗିବେ ନାହିଁ ତ ?’’

 

‘‘ନା, ନା ରାଗିବି କାହିଁକି ?’’

 

‘‘ମୁଁ ଆପଣଙ୍କର ହାତ ଧରିବାକୁ ଚାହେଁ । ହେଲା ?’’

 

‘‘କ’ଣ ଆଉ କିଛି ବାକ୍ୟ ନଥିଲା ?’’

 

‘‘କାହିଁକି, ଏ ବାକ୍ୟ କ’ଣ ଭୁଲ ହେଲା ?’’ କୁମର ଆକ୍ଷି ଛଳ ଛଳ ।

 

ସୁକାନ୍ତ ଏକବାର ତାଜୁବ୍‌ । ମନେ ମନେ ଭାବିଲା, ୟାକୁତ ସ୍ୱୟଂ ଅତନୁ-ପୁଷ୍ପଧନୁ ପାଠ ପଢ଼େଇଲେଣି, ମୁଁ ଆଉ କି ପାଠ ପଢ଼େଇବିରେ ବାବା ? କେହି କୁଆଡ଼େ ଦେଖାଯାଉନି । ସୁକାନ୍ତ ଝାଳେଇ ଗଲେଣି । ଏହାପରେ ବିଚିତ୍ର ଘଟଣା ଘଟିଲା । କୁମ ତଳକୁ ମୁହଁ ପୋତି ଦେଲା-। ଆକ୍ଷିରୁ ଠକ୍‌ ଠକ୍‌ ଲୁହ ବହିପଡ଼ୁଛି । ସୁକାନ୍ତ ଆଦରରେ ଡାକିଲା, ‘‘କୁମ, ତୁମେ କାନ୍ଦୁଛ-? ମୋ ଉପରେ ରାଗିଲ କି ?’’ କୁମ ହଠାତ୍‌ ଉଠିଆସି ସୁକାନ୍ତର ଗୋଡ଼କୁ ଜାବୁଡ଼ିଧରି ଆହୁରି ଜୋରରେ କାନ୍ଦି ଉଠିଲା । ସୁକାନ୍ତ ମୁହଁରେ ଭାଷା ନାହିଁ ।

 

ତା’ ପରଦିନ ବସାରେ ଦାଦା ଆସି ହାଜର । ବାପାଙ୍କ ଆଦେଶରେ ସୁକାନ୍ତକୁ ଯେକୌଣସି ମତେ ସଙ୍ଗରେ ନେଇ ଯିବାକୁ ଆସିଛନ୍ତି । ଦାଦାଙ୍କଠାରୁ ସୁକାନ୍ତ ଶୁଣିଲା–ବାପାଙ୍କୁ ପ୍ରବଳ ଜ୍ୱର । ପ୍ରଳାପ କରୁଛନ୍ତି । ବୋଉ ଅନ୍ନ ଜଳ ଛାଡ଼ିଛି । ତା’ର ଜିଦ୍‌, ମରିବ ପଛେ ସୁକାନ୍ତକୁ ନଦେଖିଲେ ଜଳ ସ୍ପର୍ଶ କରିବ ନାହିଁ । ରାମ ବାବୁ ପାଗଳ ପରି ବୁଲୁଛନ୍ତି । ଭାବୀ ସ୍ତ୍ରୀ ବିଚାରୀ ବିଷ ଖାଇଦେଇ ମରୁ ମରୁ ବଞ୍ଚି ଯାଇଛି । ଦୁଇଟା ପରିବାର ଧ୍ୱଂସ ମୁଖରେ....ଇତ୍ୟାଦି ।

 

ସୁନା ପିଲାଟି ପରି ସୁକାନ୍ତ ଦାଦାଙ୍କ ସଙ୍ଗରେ ଘରକୁ ଫେରିଲା । ତାକୁ ବରବେଶ କଲେ । ପାଲିଙ୍କିରେ ବସାଇ ବିଭା କରିବାକୁ ନେଲେ । ସମସ୍ତ ବିଧିବିଧାନରେ ବିବାହ ଶେଷ ହେଲା । ସୁକାନ୍ତ ଯେପରି ଗୋଟିଏ ନିର୍ଜୀବ କଣ୍ଢେଇ ! କୌଣସି ପ୍ରତିବାଦ ସେ କରିନି କି ବିରକ୍ତି, ଅନୁରକ୍ତି ପ୍ରକାଶ କରିନି । ଶ୍ୱଶୁର ଘରେ ବିବାହ ଶେଷ ରାତ୍ରିରେ ଗରମ ଲାଗିବାରୁ ଦ୍ୱାର ଖୋଲା ରଖି ସେ ଶୋଇଯାଇଛି । ହଠାତ୍‌ ନିଦ ଭାଙ୍ଗିବାରୁ ଅନ୍ଧାରରେ ତାକୁ ଜଣାଗଲା, କେହି ଜଣେ ସ୍ତ୍ରୀଲୋକ ନିଶ୍ଚୟ, ତା’ର ଗୋଡ଼ ମୋଡ଼ି ଦେଉଛି । ବୋଧହୁଏ ସେ ନୀରବରେ ଅଶ୍ରୁମୋଚନ କରୁଛି । କାରଣ ତାରି ଲୁହରେ ସୁକାନ୍ତର ଗୋଡ଼ ସାରା ଭିଜି ଗଲାଣି । ଇଏ ପୁଣି କି ପ୍ରହସନ ! ସୁକାନ୍ତର କ୍ରୋଧ, ବିରକ୍ତି ଚରମ ସୀମାକୁ ଉଠିଗଲା । ପାଟିରୁ ବାହାରି ପଡ଼ିଲା, ‘‘ହେ ଭଗବାନ, ମୁଁ ହେଲେ ମରିଯାଆନ୍ତି କି !’’ ହଠାତ୍‌ ଗୋଟିଏ କୋମଳ ହାତ ଆସି ତା’ର ପାଟିକୁ ବନ୍ଦ କରିଦେଲା ।

Image

 

ଗୋପା

 

‘‘ଜଣେ ରୂପବତୀ ରମଣୀଙ୍କୁ ଦେଖିଲେ ମୋର ଇଚ୍ଛାହୁଏ ତାଙ୍କୁ ନମସ୍କାର କରିବାକୁ । କାରଣ ଈଶ୍ୱରଙ୍କର ଏକ ମହତ୍‌ ଦାନର ଅଧିକାରିଣୀ ସେ । X X X ।’’ ‘‘ଦିନେ ପ୍ରାଣଠାରୁ ବଳି ଭଲପାଉଥିବା ମୋର ସ୍ତ୍ରୀଙ୍କୁ ମୁଁ ଏତେ ଘୃଣା କରିବସିଲି ଯେ ସେ ବ୍ୟବହାର କରୁଥିବା କସ୍ମେଟିକ୍‌ସର ବାସ୍ନା ମଧ୍ୟ ମୋ ପକ୍ଷରେ ଅସହ୍ୟ ହୋଇ ଉଠିଲା ।’’

 

ମୃତ ସ୍ୱାମୀଙ୍କର କେତେଖଣ୍ଡି ପୁରୁଣା ଡାଏରୀର ପୃଷ୍ଠାକୁ ବିକ୍ଷିପ୍ତ ଭାବେ ଲେଉଟାଇ ଗୋପା ସେସବୁକୁ ଛାତିରେ ଜାବୁଡ଼ି ଧରିଥିଲା ଓ ପିଲାଙ୍କପରି କଇଁକଇଁ ହୋଇ କାନ୍ଦି ଉଠିଥିଲା । ପଡ଼ିଶାଘର ରେଡ଼ିଓରୁ ପୁରୁଣା ସ୍ୱର ଲହରୀ ଭାସି ଆସିଲା–‘ଜୀବନେ ଯାହାକୁ ତୁମେ ପାଇନା ଭଲ..... ।’ ଗୋପାର ଆତ୍ମ-ନିରୀକ୍ଷଣ ପାଇଁ ଏହା ନିଶ୍ଚିତ ଭାବରେ ଏକ ନିର୍ମମ ପରିବେଶ ସୃଷ୍ଟି କଲା ।

 

ସତେ କ’ଣ ସେ ନିଜର ସ୍ୱାମୀଙ୍କୁ କେବେହେଲେ ଭଲପାଇନି ? ତେବେ ତାଙ୍କୁ ହରାଇ ପ୍ରାଣରେ ଏ ବକ୍ଷ ବିଦୀର୍ଣ୍ଣକାରୀ ବ୍ୟାକୁଳତା କାହିଁକି ? ଏବେ ଲାଗୁଛି, ସଂସାରରେ ଯେପରି ତା’ର ଆଉ କେହି ନାହିଁ । ବଡ଼ ନିଃସହାୟ, ବଡ଼ ଏକାକିନୀ ସେ । ଅତି ଦୟନୀୟତାର ଅବସ୍ଥା । ସେ ଏବେ ସମସ୍ତଙ୍କର କୃପାର ପାତ୍ର । ବାପା, ବୋଉ କେତେ ଭଲ ପାଉଥିଲେ । ମାତ୍ର ବିବାହ ପରେ ତା’ର ଖବର ନେବା ଆଉ ଆବଶ୍ୟକ ମନେକରିନାହାନ୍ତି ।

 

କଲେଜ ଜୀବନରେ ସୁନ୍ଦରୀ ବୋଲି ତା’ର ଖୁବ୍‌ ଖ୍ୟାତି ଥିଲା । ଅନେକ ସୁପାତ୍ର ଆଗେଇ ଆସିଥିଲେ ତାକୁ ଜୀବନର ସାଥି କରିବାକୁ । ମାତ୍ର ସେତେବେଳକୁ ତା’ଠାରେ ସମ୍ଭବି ସାରିଥିଲା, ସୌନ୍ଦର୍ଯ୍ୟ ଗର୍ବ–ପ୍ରସୂତ ଏକ ଦୁଷ୍ଟ ନିଷ୍ଠୁର ପ୍ରକୃତି–କ୍ଷୁଧାର୍ତ୍ତ ପ୍ରାଣୀକୁ ଖାଦ୍ୟ ଦେଖାଇ ଆକୃଷ୍ଟ କରି କରି ଶେଷରେ ହତାଶ କରି ମଜା ଦେଖିବା । ଆଉ ତା’ର ଦାବଦହନକୁ ଲକ୍ଷ୍ୟ କରି କରି, ଆକୁଳ ଚିତ୍କାରକୁ ଶୁଣି ଶୁଣି, ଆନନ୍ଦରେ ତାଳି ମାରି ହୋ, ହୋ ହୋଇ ହସିବା । ଫଳରେ ବିବାହ ବୟସ ତା’ର ଗଡ଼ି ଯାଇଥିଲା । ବାପା, ବୋଉଙ୍କର ଗଳଗ୍ରହ ନହେବା ପାଇଁ ଶେଷରେ ଚାକିରି ଅନ୍ୱେଷଣ କରିଥିଲା ସେ ।

 

ମାତ୍ର ଦୁଇବର୍ଷ ତଳର ସେ ଦିନଟି ଗୋପାର ମନେପଡ଼ିଲା । କାଲିପରି ଲାଗୁଛି । ଗୋଟିଏ ମଫସଲ କଲେଜର ଅଧ୍ୟାପିକା ରୂପେ ନିଯୁକ୍ତି ପାଇ ଆସୁଥାଏ ସେ ପୁରୀ ବସରେ ନୂଆହୋଇ ଜଏନ୍‌ କରିବାକୁ । ପୁରୀରୁ ଜଣେ ଭଦ୍ରଲୋକ ସେହି ବସରେ ଉଠିଲେ । ହାତରେ ତାଳଭୋଗେଇର ପୁଡ଼ିଆ । ମହାପ୍ରସାଦ ହୋଇପାରେ । ତାକୁ ସିଟ୍‌ ତଳକୁ ରଖିଦେଇ ବସିପଡ଼ିଲେ ରାଜକୀୟ ଠାଣିରେ । ସୁନ୍ଦର ବଳିଷ୍ଠ ବପୁ, ଦୀର୍ଘ ଲଲାଟ, କୁଞ୍ଚୁକୁଞ୍ଚିଆ ବାଳ । ତେବେ ମସ୍ତକର ମଧ୍ୟସ୍ଥଳୀ ସାମାନ୍ୟ ଚନ୍ଦା, ପରିଣତ ବୟସ-ସୂଚକ । ଗୋପା ଉପରେ ତାଙ୍କର ଦୃଷ୍ଟି ପଡ଼ିସାରିଲାଣି । ଚିହ୍ନା ଲୋକପରି ବାରମ୍ବାର ଚାହୁଁଛନ୍ତି । ବଡ଼ ସଂକୁଚିତ ହେଲା ଗୋପା । ମାତ୍ର ନିଜେ ସୁନ୍ଦରୀ ବୋଲି ତା’ର ମନର ଆତ୍ମ-ସଚେତନତା, ତା’ର ସଂକୋଚକୁ ପରେ ବହୁ ପରିମାଣରେ ହ୍ରାସ କରିଦେଇଥିଲା । ଗୋପା ମନେ ମନେ ଭାବିଥିଲା, ଏହି ବୟସ୍କ ଭଦ୍ରବ୍ୟକ୍ତି ଜଣକ କିଏ ହୋଇପାରନ୍ତି ? ଭୁବନେଶ୍ୱରଗାମୀ କେହି ଅଫିସର ? ବିଶିଷ୍ଟ ବ୍ୟବସାୟୀ, ପୂର୍ବତନ ଜମିଦାର ବା ଆଉ କ’ଣ ?

 

ସେଦିନ ଚଳନ୍ତା ବସ୍‌ ଭିତରେ ହଠାତ୍‌ ଏକ ଘଟଣା ଘଟିଲା । କଣ୍ଡକ୍ଟର ପାଟି କରି କହିଲେ, ବସ୍‌ ଭିତରେ କିଏ ମାଛ ନେଉଛ, ଫିଙ୍ଗିଦିଅ, ଗନ୍ଧ ହେଉଛି । ପାସେଞ୍ଜର କମ୍ପ୍ଲେନ୍‌ କରୁଛନ୍ତି । ସମସ୍ତେ ନୀରବ । କଣ୍ଡକ୍ଟର ବାରମ୍ବାର ପଚାରିବାରେ ସେହି ଭଦ୍ରବ୍ୟକ୍ତି ଉଠିପଡ଼ି କହିଲେ ‘ମାଛ ମୁଁ ନେଉଛି । ବସରେ ଜଣେ କେହି ନିରାମିଷାଶୀ ଯଦି ଆପତ୍ତି କରନ୍ତି ମୁଁ ତାକୁ ସଙ୍ଗେ ସଙ୍ଗେ ଫିଙ୍ଗି ଦେବି ।’ ନୀରବତା ଭାଙ୍ଗି ପଛ ସିଟ୍‌ରୁ କେହି ଜଣେ ତରୁଣ ଅର୍ବାଚୀନ କହିଉଠିଲା ‘ହଁ, ହଁ ମୁଁ ନିରାମିଷାଶୀ, ଆପତ୍ତି କରୁଛି ।’ ସଙ୍ଗେ ସଙ୍ଗେ ଭଦ୍ରଲୋକ ପୁଡ଼ିଆଟି ବାହାରକୁ ଫିଙ୍ଗି ଦେଲେ । ବଡ଼ ବଡ଼ ଗୁଡ଼ାଏ ଚିଙ୍ଗୁଡ଼ି ମାଛ ରାସ୍ତାରେ ବିଞ୍ଚିହୋଇ ପଡ଼ିବାଟା କ୍ଲିନର୍‌ର ହୁଏତ ସହ୍ୟ ହେଲା ନାହିଁ । ବସ୍‌ ଅଟକାଇ ସେ ସେଗୁଡ଼ିକୁ ଗୋଟାଇ ନେଇ ପୁନର୍ବାର ଯଥାସ୍ଥାନରେ ରଖି ଦେଲା । ହୁଏତ ଭଦ୍ରବ୍ୟକ୍ତିଙ୍କୁ ସେ ଚାହିଁଥିଲା । ତା’ପରେ ବସ୍‌ ଭିତରେ ସମ୍ପୂର୍ଣ୍ଣ ନୀରବତା । ଆଶ୍ଚର୍ଯ୍ୟ କଥା, ଗୋପାର ଲକ୍ଷ୍ୟସ୍ଥଳରେ ସେହି ଭଦ୍ରଲୋକ ମଧ୍ୟ ଓହ୍ଲାଇ ଗଲେ ।

 

ଜଣେ ବନ୍ଧୁଙ୍କ ଘରେ ରାତ୍ରିଯାପନ କରି ଗୋପା ପରଦିନ କଲେଜକୁ ଗଲା ଜଏନ୍‌ କରିବାକୁ । ବଡ଼ବାବୁଙ୍କ ପାଖରେ ଜଏନିଂ ରିପୋର୍ଟ ଦେଇସାରି ପ୍ରିନ୍‌ସପାଲଙ୍କ ସହିତ ଦେଖା କରିବାକୁ ଯାଇ ତାଙ୍କ ଅଫିସ୍‌ ପରଦା ଆଡ଼େଇବା ସଙ୍ଗେ ସଙ୍ଗେ ହଠାତ୍‌ ଚମକି ଉଠିଥିଲା ସେ । ପ୍ରିନ୍‌ସପାଲ ଗତଦିନ ବସରେ ଆସୁଥିବା ସେହି ଭଦ୍ରଲୋକ । ହସ ହସ ମୁଖରେ ଆଗ ନମସ୍କାର କରି ସ୍ୱାଗତ ଜଣାଉଛନ୍ତି ତାକୁ । ଗୋପା ଯେତିକି ଆଶ୍ଚର୍ଯ୍ୟ ହେଲା, କାହିଁକି କେଜାଣି ସେତିକି ଖୁସିହେଲା । ସତେ ଯେପରି ପ୍ରିନ୍‌ସପାଲ ଅନେକ ଦିନରୁ ତା’ର ପରିଚିତ ।

 

ତା’ର ପ୍ରାୟ ତିନିମାସ ପରେ ବିପତ୍ନୀକ ପ୍ରିନ୍‌ସପାଲ ସୁବୋଧ ବାବୁଙ୍କ ସଙ୍ଗେ ତା’ର ବିବାହ ହୋଇଗଲା । ପରିଚିତ, ଅପରିଚିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନେକ ଚିଠି ସେ ପାଇଥିଲା । ଅନେକ ମାମୁଲି ଦାମ୍ପତ୍ୟ-ସୁଖ କାମନା କରିଥିଲେ ଓ ଅନେକ ତା’ର ନିର୍ବୋଧତା ପାଇଁ ଚିଠିରେ ଭର୍ତ୍ସନା କରିବାକୁ ଛାଡ଼ି ନ ଥିଲେ । ସବୁଠାରୁ ବେଶି ଭର୍ତ୍ସନା କରିଥିଲା ଛନ୍ଦା, ପ୍ରକାଶର ଭଉଣୀ ଓ ତା’ର ସହପାଠିନୀ । ତା’ ସଙ୍ଗେ ଅନେକ ଲଗାଇଥିଲା, ପ୍ରକାଶକୁ ବିବାହ କରିବାକୁ । ପ୍ରକାଶ କୁଆଡ଼େ କହୁଥିଲା, ଗୋପାକୁ ନପାଇଲେ ସେ ସାରା ଜୀବନ ଅବିବାହିତ ରହିବ । ଏବେ ସେ ବ୍ୟାଙ୍କରେ ବଡ଼ ଅଫିସର୍‌ । ବିବାହ କଥା ତୁଣ୍ଡରେ ଧରୁନି । ଗୋପା କୁଆଡ଼େ ପ୍ରକାଶର ଜୀବନ ନଷ୍ଟ କରିଦେଲା ବୋଲି ଛନ୍ଦାର ଅଭିଯୋଗ ।

 

ଯେଉଁ ସୁବୋଧ ବାବୁଙ୍କ ନାଁ ଶୁଣିଲେ କଲେଜର ଦୁଷ୍ଟପିଲା ଭୟରେ ଥରୁଥିଲେ, ବିବାହ ପରେ ଗୋପା ପାଖରେ ସେ ହୋଇଗଲେ ଗୋଟିଏ ନିରୀହ, ନିର୍ବୋଧ ଶିଶୁ । ସ୍ୱାମୀଙ୍କର ଅଗାଧ ପ୍ରେମସାଗରରେ ନିମଗ୍ନ ହୋଇ ଗୋପା ତା’ର ନୂତନ ବିବାହିତ ଜୀବନକୁ ପ୍ରଥମେ ପ୍ରଥମେ ବେଶ୍‌ ଉପଭୋଗ କରିଥିଲା । ହଜିଲା ଦିନର ମଧୁର ସ୍ମୃତି ଗୋପାକୁ ବାରମ୍ବାର ଆଘାତ, କ୍ଷତବିକ୍ଷତ କରୁଥିଲା । ବିବାହ ପରେ ମଧ୍ୟ ସେହି ପୁରୁଣା ମଧୁର ସମ୍ବୋଧନ । ‘‘ସାର୍‌, ମୋ ରାଣ ପକାଇ କହନ୍ତୁ ତ, ସତେ କ’ଣ ମୁଁ ଏତେ ସୁନ୍ଦର ? ଆପଣ ଜଣେ କବି ବୋଲି..... ।’’

 

‘‘ସତେ ଗୋପା, ତୁମର ରୂପ-ବିଭବ ଅନୁପମ, ଅତୁଳନୀୟ । କବିବରଙ୍କ ଭାଷାରେ ‘......ଜଗତେ ତୁଳନା ସେହି ତା’ର ସିନା ।’ ମୋର ତ ମନେହୁଏ, ସତେ ଯେପରି ଏ ଅମୂଲ୍ୟ ସମ୍ପଦର ମୁଁ ଉପଯୁକ୍ତ ଅଧିକାରୀ ନୁହେଁ । କେଉଁ ପୁଣ୍ୟହେତୁ ମୋର ଏ ନିରାଶ ଶୁଷ୍କ ଜୀବନ-ବୃକ୍ଷରେ ତୁମପରି ଅମୃତମୟୀ ଫଳ ଫଳିଲା–କହ ଗୋପା କହ ।’’ ତା’ପରେ ଏକ ନିବିଡ଼ ଅଶ୍ଳେଷ ଚୁମ୍ବନ, ଚପଳତା.... । ଗୋପାର ଶରୀର ରୋମାଞ୍ଚିତ ହେଲା ।

 

ସେ ଆଜି ଆଉ ନାହାନ୍ତି । ଗୋପାର ଶରୀରରେ ଶତ ବୃଶ୍ଚିକ ଦଂଶନର ତୀବ୍ର ଜ୍ୱାଳା । ହାୟ, ନିଜ ଦୋଷରୁ ହିଁ ସେ ତାଙ୍କୁ ହରାଇଛି, ଜଣେ ଉପଯୁକ୍ତ ସ୍ୱାମୀର କେଉଁଗୁଣ ତାଙ୍କଠାରେ ଅଭାବ ଥିଲା ? ରୂପ, ଗୁଣ, ବିଦ୍ୟା, ଧନ–ସର୍ବୋପରି ସ୍ତ୍ରୀ ପ୍ରତି ଅଗାଧ ପ୍ରେମ । ସବୁ ତ ତାଙ୍କର ଥିଲା । ସାମାନ୍ୟ ଅଧିକ ବୟସ । ତେବେ ଗୋପା କେଉଁ ଷୋଡ଼ଶୀ ତରୁଣୀ କି ?

 

ଗୋପାର ନିର୍ମଳ ପ୍ରେମାକାଶରେ କଳାବଉଦ ସୃଷ୍ଟିହେଲା, ଯେଉଁଦିନ ସୁବୋଧ ବାବୁଙ୍କର ପ୍ରଥମ ସ୍ତ୍ରୀର ପୁତ୍ର କନ୍ୟା ଦୁହେଁ ସୁଦୂର ରାଜସ୍ଥାନରୁ ଗ୍ରୀଷ୍ମାବକାଶରେ ଘରକୁ ଆସିଲେ ଓ କିଛିଦିନ ପରେ ପୁଣି ଫେରିଗଲେ । ମାତ୍ର ଫେରିଲା ନାହିଁ ଗୋପାର ପୂର୍ବ ମନ । ତେଣିକି ସ୍ୱାମୀଙ୍କର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ, ପ୍ରତି କଥାରେ ବିରୋଧ, କଟୁକ୍ତି, ପୃଥକ ଶଯ୍ୟା । ଶେଷ ଆଡ଼କୁ ସ୍ୱାମୀ ଉତ୍ପୀଡ଼ନର ଚରମ ସୀମାକୁ ମଧ୍ୟ ଗୋପା ଟପି ଗଲା ।

 

ସୁବୋଧ ବାବୁ କିଛିଦିନ ପର୍ଯ୍ୟନ୍ତ ବହୁ ଅନୁନୟ ବିନୟ କରି ଶେଷରେ ନୀରବ ହୋଇଗଲେ । ସବୁକିଛି ଆମୋଦ ପ୍ରମୋଦ, ଏପରିକି ନିଜର ପ୍ରିୟ ଚିଙ୍ଗୁଡ଼ିମାଛ ଖାଇବା ମଧ୍ୟ ଛାଡ଼ି ଦେଲେ । ବୋଧହୁଏ ଚିଙ୍ଗୁଡ଼ିମାଛ ସହିତ ଗୋପା ସଙ୍ଗେ ତାଙ୍କର ପ୍ରଥମ ସାକ୍ଷାତର ସ୍ମୃତି ଜଡ଼ିତ ଥିଲା । ତା’ପରେ ଦିନେ ଅତିମାତ୍ରାରେ ନିଦ ଔଷଧ ଖାଇ ଚିରନିଦ୍ରାରେ ଶୋଇଗଲେ । ପକେଟରେ ଖଣ୍ଡିଏ ମାତ୍ର କାଗଜ–‘‘ମୋର ମୃତ୍ୟୁପାଇଁ କେହି ଦାୟୀ ନୁହେଁ ।’’ ଏହାଛଡ଼ା ଗୋପା, ବା ଅନ୍ୟ କାହାପାଇଁ ତାଙ୍କର ଆଉ କିଛି ସନ୍ଦେଶ ନ ଥିଲା ।

Image

 

ଲବଣୀ ଛକ

 

ନିଶ୍ଚତ ଭାବେ କୁହାଯାଇପାରେ, ଏପରି ନାମରେ କୌଣସି ଛକ ଏ ସହରରେ ନାହିଁ । କିଏ କହୁଛି କି ଅଛି ବୋଲି ? କେହି କେହି ଭାବୁଥିବେ, ଯଦି ବା କେଉଁଠି ଥାଏ, ତେବେ ସେଠାରେ ଲବଣୀ ନାମଧେୟ ଉତ୍କୃଷ୍ଟ ଦୁଗ୍‌ଧଜାତ ଦ୍ରବ୍ୟ ନିଶ୍ଚୟ ମିଳୁଥିବ ବା ବିକ୍ରି ହେଉଥିବ, ତା’ ମଧ୍ୟ ଭୁଲ । ତେବେ ଆଉ ଏ ନାମଟା କଅଣ ?

 

ନାମଟା ହେଉଛି, ଏ ସହରର ଏକ ବଡ଼ ଚାରିଛକରେ ଜଣେ ଲୋକର ଫଳଦୋକାନ । ତା’ ଝିଅର ନାମ, ଲବଣୀ । ସେ ବାପା ସହିତ ଦୋକାନରେ ବସି ଫଳ ବିକ୍ରି କରେ । ସହରର ବହୁତ ଦିବାଧ୍ୟାୟୀ କଲେଜ ଛାତ୍ରଙ୍କର ସେଇଟା ହେଉଛି କଲେଜ ଯିବାର ବାଟ । ଦିନ ୧୦ଟା ବେଳେ ଦଳଦଳ ହୋଇ ପିଲା ସେଇ ବାଟେ ସାଇକଲ୍‌ ଚଢ଼ି କଲେଜ ଯାଆନ୍ତି ଓ ଚାରିଟା ବେଳେ ଫେରନ୍ତି । ସେଇମାନଙ୍କଦ୍ୱାରାହିଁ ସେ ଛକର ଏପରି ନାମକରଣ କରାଯାଇଛି ।

 

ଆଉ ସେଇମାନେ ହେଲେ ସେ ଫଳଦୋକାନର ବଡ଼ ଗରାଖ । ବିଶେଷ କରି ଭୋକିଲା ପେଟରେ କଲେଜ ଫେରନ୍ତା ପିଲାମାନଙ୍କର ଭାରି ଭିଡ଼ ହୁଏ ସେ ଦୋକାନରେ । ଦୋକାନୀ ବୁଢ଼ା ସାଧୁ ସିଂ ପ୍ରାୟ ବସି ରହିଥାନ୍ତି କିମ୍ବା ଗୋଟିଏ ରୂପା ଖୋଳରେ ଖିଲପାନ ପୂରାଇ ବସି ବସି କୁଟୁଥାନ୍ତି । ଆଉ ବେଳେବେଳେ ଦର ପାକଲା ମୋଟା ନିଶକୁ ସାଉଁଳୁ ଥାନ୍ତି । ଲବଣୀ ହସି ହସି ସବୁ ପିଲାଙ୍କୁ ସ୍ୱାଗତ କରେ । ଶସ୍ତା ମହରଗ କିମ୍ବା ଅନ୍ୟ କୌଣସି ଆପତ୍ତି ଅଭିଯୋଗ କାହାର କେବେ ଶୁଣା ନାହିଁ । ଲବଣୀ ସମସ୍ତଙ୍କୁ ଡାକେ ଭାଇ ବୋଲି । ବହୁତ ପିଲାଙ୍କ ନାଁ ତାକୁ ଜଣା । ଥରେ ଶୁଣିଦେଲେ ମନେ ରଖେ । ନାଁ ସହିତ ଡାକରେ ପିଲାମାନେ ଭାରି ଖୁସି । ଲବଣୀ ମଧ୍ୟ ଏବେ ପାଠ ପଢ଼ୁଆ ଭାଇ ପାଇ ଖୁସି । କାହା ପ୍ରତି ପାତର ଅନ୍ତର ନାହିଁ ବା ଆଦର ଅଭ୍ୟର୍ଥନାରେ ଊଣା ଅଧିକ ନାହିଁ ।

 

ବୟସ ଚଉଦ, ପନ୍ଦରରୁ ବେଶି ହେବ ନାହିଁ ଅନୁମାନ । କେବେ ପାନ ନଖାଇ, ରଙ୍ଗ ନମାରି ସୁଦ୍ଧା ଏତେ ଲାଲ ଟୁକୁଟୁକୁ ଓଠ ଦିଓଟି ଖୁବ୍‌ କମ୍‌ ଝିଅଙ୍କର ଦେଖାଯାଏ । କବିଙ୍କର ବିରହିଣୀ ପକ୍ଷ ନାୟିକାର ବର୍ଣ୍ଣନା ମଧ୍ୟରୁ ‘ପକ୍ୱ-ବିମ୍ବାଧରୋଷ୍ଠୀ’, ‘ଶ୍ରୋଣୀଭାରାଦଳମ୍‌ ଗମନା’ ଯେ ଲବଣୀ ପ୍ରତି ସମ୍ପୂର୍ଣ୍ଣ ପ୍ରଯୁଜ୍ୟ ଏଥିରେ ସନ୍ଦେହ ନାହିଁ । ଯେ କେହି ବ୍ୟକ୍ତି ପ୍ରଥମ ଦର୍ଶନରେହିଁ ଏହା ସ୍ୱୀକାର କରିବେ ।

 

ଫଳ ବିକା କିଣା, ଖାଇବା, ପଇସା ଦେବା ଭିତରେ ଲବଣୀ ଓ ପିଲାଙ୍କ ମଧ୍ୟରେ ବହୁତ ଖୁସିଗପ ଚାଲେ । ‘ଭାଇ ମ, ତମର ପାଠପଢ଼ା ଆଉ କେତେଦିନେ ସରିବ ? ତମେ ଗୋଟେ ଖୁବ୍‌ ବଡ଼ ଚାକିରି କରି ଆମକୁ କଅଣ ଆଉ ମନେରଖିବ ? ଦେଖିଲେ ଚିହ୍ନିପାରିବ ନାହିଁ କି କ’ଣ ? କଅଣ, ମୁଁ ଭୁଲ କହୁଛି ?’ ‘‘ହଁ, ହଁ ତୁ ଭୁଲ କହୁଛୁ । ବିଲ୍‌କୁଲ୍‌ ଭୁଲ କହୁଛୁ । ତୋତେ ପୁଣି ନ ଚିହ୍ନିବ କିଏ ? ତେବେ ସେତେବେଳେ ତୋ ସାଙ୍ଗରେ ଯେଉଁ ଭଦ୍ରବ୍ୟକ୍ତି ଜଣକ ଥିବେ.....ହେଁ, ହେଁ, ତୁ ଚିହ୍ନେଇ ନ ଦେଲେ ତାଙ୍କୁ ହୁଏତ ଚିହ୍ନି ନପାରେ ।’’ ଲବଣୀ କୃତ୍ରିମ କୋପକରି କହେ, ‘‘ଏ ଭାଇ ଭାରି ଦୁଷ୍ଟ ।’’

 

ଆଉ କାହାକୁ କହେ, ‘‘ଆଛା–ଭାଇମ, ତମ ଘରେ ଆଉ କିଏ କିଏ ଅଛନ୍ତି ?’’ ‘‘ବାପା, ବୋଉ, ଭାଇ ଭଉଣୀ ।’’ ‘‘ଆଉ ?’’ ‘‘ଆଉ କେହି ନାହିଁ ।’’ ଲବଣୀ ଲାଲ ଟୁକୁଟୁକୁ ଓଠରେ ଦୁଷ୍ଟାମୀର ହସ ହସି କହେ–‘‘ଆଉ ଭାଉଜ ?’’ ‘‘ଧେତ୍‌ ମୁଁ କ’ଣ ବିଭା ହୋଇଛି ?’’

 

‘‘ବିଭା ହେଉନ, ସତେ ଭାଇମ, ତମେ ଗୋଟେ ବଢ଼ିଆ ଚିକ୍‌ ଚିକ୍‌ ଭାଉଜ ବିଭା ହେବ-। ତମ ଚେହେରାକୁ ଯେମିତି ମେଚ୍‌ କରିବ ।’’ ‘‘ବାଃ, ଲବଣୀ କ’ଣ ଇଂରାଜୀ କହିଲାଣି ।’’ ଆଉ ଜଣେ କହେ ‘‘କାହିଁକି ସହରୀ ପିଲା ସେ । କିଲୋ, କୋଉ କ୍ଲାସ୍‍ଯାଏ ପଢ଼ିଛୁ ?’’

 

ସିଂହେ ଏସବୁ କଥାବାର୍ତ୍ତାକୁ ଉପଭୋଗ କରୁ କରୁ କହିଉଠନ୍ତି ‘‘ଲବଣୀ ଇସ୍କୁଲରେ ପାଠ ପଢ଼ିଛିମ ବାବୁ । ମୋ ହିସାବ ଭୁଲ ହୋଇଯିବ । ହେଲେ, ତା’ ହିସାବ ଜମା ଭୁଲ ହେବନାହିଁ-।’’

 

ଲବଣୀମ, କମଳାରୁ ଚୋପା ଛଡ଼ାଉ ଛଡ଼ାଉ ଜଣେ ବାବୁ କହି ଉଠନ୍ତି ‘‘ଦିନେ ମେସରେ ମିଲ୍‌ ବନ୍ଦ ହେଲା ଯେ ଭାବିଲି, ଆଃ, ଲବଣୀ ଥାଆନ୍ତା ଯଦି ହାତକୁ ଦି’ଟା କଦଳୀ କି କମଳା ଏଇନେ ବଢ଼ାଇ ଦିଅନ୍ତା । ହେଲେ ମେସ୍‌ଠୁ ତୋ ଦୋକାନ ବହୁତ ଦୂର ।’’ ଲବଣୀ ହସି ହସି କହେ, ‘‘ଭାଉଜଟିଏ ଜଲଦି ଆଣୁନ । ଯେତେବେଳେ ଇଛା ହାତକୁ କଦଳୀ ବଢ଼ାଇ ଦେଉଥିବ-।’’ ତା’ପରେ ଉଭୟଙ୍କର ଜୋର୍‌ ହସ । ସିଂହେ ମଧ୍ୟ ସେ ହସରେ ଯୋଗ ଦିଅନ୍ତି । ଉପଭୋଗ କରନ୍ତି । ତାରୁଣ୍ୟ ଓ ବାର୍ଦ୍ଧକ୍ୟର ହସ ମିଶି ଏକ ବିଚିତ୍ର ଧ୍ୱନି ସୃଷ୍ଟି କରେ ।

 

ଦିନେ ଲବଣୀ ତା’ର ସ୍ୱଭାବ-ସୁନ୍ଦର ହସ ହସି ମୋତେ କହିଲା ‘‘ଭାଇମ, କଲେଜରେ କୁଆଡ଼େ ଡ୍ରାମା ହେଉଛି । ମତେ ଟିକିଏ ଦେଖେଇ ନିଅନ୍ତନି ?’’ ‘‘ଧେତ୍‌ ତୁ ଝିଅଟା, ରାତିରେ କୁଆଡ଼େ ଯିବୁ ?’’ ‘‘କାହିଁକି, କଲେଜରେ ତ କେତେ ଝିଅ ପଢ଼ୁଛନ୍ତି । ଆଛା ! କହିଲ, ତମେ କି ପାର୍ଟ ନେଇଛ ? ତମର ଯେମିତି ଚେହେରା ନା, ନିଶ୍ଚେ ରଜା ପାର୍ଟ ନେଇଥିବ ।’’ ‘‘ଆରେ ରଜା ପାର୍ଟ କ’ଣ ସେଥିରେ ଅଛି ?’’

 

‘‘ତେବେ ନିଶ୍ଚୟ ରାଣୀପାର୍ଟ ନେଇଥିବ ।’’ ଏହାକହି ଲବଣୀ ତାଳିମାରି ହସି ଉଠିଲା । ମୋ ସାଙ୍ଗ ଦୁଷ୍ଟ ବଟ କମେଣ୍ଟ କଲା, ‘‘ଲବଣୀ ତତେ ରାଣୀ ବନେଇ ଦେଲାବେ ।’’

 

ଦିନେ କଲେଜରୁ ଫେରି ଦେଖେତ ଲବଣୀର ମୁହଁଟି ଣୁଖି ଯାଇଛି । ସବୁଦିନ ପରି ହସ ହସ ମୁହଁରେ ସେ ସ୍ୱାଗତ ସମ୍ଭାଷଣ କରୁନାହିଁ । ମାଗିବାରୁ ସିଂହେ କଦଳୀ କମଳା ଦେଲେ । ମୁଁ ଅନ୍ୟମନସ୍କ ଭାବେ ଖାଉଛି, ଟିକିଏ ପରେ ବଟ ଆସିଲା । ହଠାତ୍‌ କଅଣ ହେଲା କେଜାଣି, ଲବଣୀ ଏଡ଼େ ପାଟିକରି କାନ୍ଦିଲା ସ୍ୱରରେ ବଟକୁ ଗାଳି ଦେଉଛି–ଅତି ଖରାପ ଭାଷାରେ ‘‘.....ବାଡ଼ିପଡ଼ା ତୋର କ’ଣ ମା’ ଭଉଣୀ ନାହାନ୍ତି ? ବାଡ଼ିଖିଆ, ତୋ ଘରେ ଯାଇ କମଳା ମାଗୁନୁ...... ।’’

 

ମୁଁ ତ ଦାରୁଭୂତୋ ମୁରାରୀ ! ହାତରୁ କମଳା ଖସି ପଡ଼ିଲାଣି । ବଟ ଚୁପ୍‌ଚାପ୍‌ ଅପରାଧୀ ପରି ଠିଆ ହୋଇଛି । ଲବଣୀ କୋହ ଉଠେଇ କାନ୍ଦୁଛି, ସିଂହେ ମଧ୍ୟ କିଛି ବୁଝିନପାରି କାବ୍‌ବା ହୋଇ ଚାହିଁଛନ୍ତି, ଲବଣୀର ପାଟିଶୁଣି ଆସ୍ତେ ଆସ୍ତେ ଲୋକ ଜମା ହେଲେଣି । ମୁଁ ବଟକୁ ଟାଣିନେଲି । ଦୁହେଁ ସାଇକଲ୍‌ ଚଢ଼ି ଚାଲିଲୁ–

 

ଆମ ସାଙ୍ଗ ଗୋଷ୍ଠୀ ଭିତରେ ବଟ ଟିକିଏ ଦୁଷ୍ଟ । ବାଟରେ ପଚାରିଲି ‘‘ବଟିଆ, ତୁ ତାକୁ କଅଣ କହିଲୁ ବେ ?’’ ‘‘କିଛି ନାହିଁ ମ । ଏମିତି ତ କେତେ କହେ । ଦି’ ହାତରେ ଦେଖେଇ ତାକୁ ବଡ଼ବଡ଼ କମଳା ଦି’ଟା ମାଗିଲି । ସେତିକିରେ ତ ସେ ଏକାବେଳକେ ପଞ୍ଚମ ।’’ ‘‘କମଳା ତ ମାଗିଲୁ, ସେ ଦେଇଥାନ୍ତା । ହାତରେ ଦେଖେଇବା କଅଣ ଦରକାର ଥିଲା ? ବଜାରୀ କେଉଁଠିକାର-! ତୋ ସାଙ୍ଗରେ ଯିଏ ଯିବଆସିବା କରିବ ନା, କେଉଁଦିନ ବାଟରେ ମାଡ଼ ଭରଣ ପାହୁଲାଏ ହେବ-।’’

 

ସେହିଦିନୁ ସେଠାରୁ ଫଳଖାଇବା ଦୂରେ ଥାଉ, ବାଟରେ ଗଲାବେଳେ ସେ ଆଡ଼କୁ ଅନାଇବାକୁ ମଧ୍ୟ ମୋତେ ଲଜ୍ଜ୍ୟାଲାଗେ, ଭୟହୁଏ, କାଳେ ଲବଣୀ ଦି’ପଦ ଶୋଧିଦେବ । ଅନେକ ଦିନ ପରେ......ଦିନେ ମୁଁ ସେହିବାଟେ କଲେଜରୁ ଫେରୁଛି ବଟ ମୋ ପଛରେ । ସିଂହେ ଦୋକାନରୁ ଉଠିଆସି ମୋ ସାଇକଲ୍‌ ହ୍ୟାଣ୍ଡଲ୍‌ ଧରିପକାଇ ମୋତେ ଓହ୍ଲାଇ ଦେଲେ । ବଟ ମଧ୍ୟ ଓହ୍ଲାଇ ପଡ଼ିଲା । ମୁଁ ଆତଙ୍କରେ ଥରି ଉଠିଲି । ମାତ୍ର ସିଂହେ କହିଲେ ‘‘ବାବୁ ମ, ଲବଣୀ ପିଲାଟା । ତମର ତ ସେ ସାନଭଉଣୀ । ସେଦିନ କଅଣ ଟିକିଏ କହିଦେଲା ବୋଲି ଦିହେଁଯାକ ସେଇଦିନୁ ଦୋକାନ ମାଡ଼ିବା ଦୂର କଥା, ଏଆଡ଼କୁ ଟିକିଏ ହେଲେ ଅନଉନ ? ଝିଅର ମନଟା ସେଦିନ ଭଲନଥିଲା ମ ବାବୁ ।’’

 

ଲବଣୀକୁ ଚାହିଁଲି, ତଳକୁ ମୁହଁପୋତି ଦେଇଛି, ଚିର ହାସ୍ୟମୟୀ ଏ ଲବଣୀ ପିତୁଳାଟିର କି ଦୁଃଖ ହେଲା ? ପଚାରିଲି, ‘‘କଥା କଅଣ ସିଂହେ ?’’ ‘‘କଥା କଅଣ କି ବାବୁ, ମୋ ବଡ଼ଝିଅ ତ ମରିଯାଇଛି । ତା’ର ଦୁଇଟି ଛୁଆ । ଜ୍ୱାଇଁଙ୍କର ଇଚ୍ଛା ଲବଣୀକୁ ବିଭା ହେବେ । ହେଲେ ଲବଣୀ ବିଲ୍‍କୁଲ୍‌ ନାରାଜ । ଯୋଉଦିନ ତମକୁ ଗାଳିଦେଲା, ସେଦିନ ଜ୍ୱାଇଁ କଅଣ ଗୁଡ଼ାଏ ମଲମ ଆଣି ଲବଣୀର ଦେହଯାକ ବୋଳି ପକାଇଲେ । କଅଣ ନା, ମନ୍ତ୍ର-ଔଷଧି । ଲବଣୀର ମନ ବଦଳି ଯିବ । ସେଦିନ ଝିଅ ମୋର ରାଗରେ ନଖାଇ ନପିଇ ଦୋକାନକୁ ଆସିଥିଲା । ସାହି, ପଡ଼ିଶା ଭାଇସବୁ କହୁଛନ୍ତି, କେତେ ଦିନ ଆଉ ଯୁବତୀ ଝିଅକୁ ପାଖରେ ରଖିବ ? ଭିଣୋଇ ହାତରେ ଟେକି ଦିଅ । ପୁରୁଣା ବନ୍ଧୁପଣିଆ ରହିବ । ତମେ କୁହନା ବାବୁ, ଝିଅଟା ମୋର କାନ୍ଦୁଛି । ତା’ର ମା’ ନାହିଁ । ମୁଁ ବାପହୋଇ ଏ କାମ କେମ୍‍ତି କରିବି ? ଅବଶ୍ୟ ଜ୍ୱାଇଁ କାଠ ବ୍ୟବସାୟ କରି ଭଲ ଦି’ ପଇସା କମଉଛନ୍ତି । ହେଲେ ବଅସ ତ ଗଡ଼ିଯାଇଛି ।’’

 

ମତେ ଲାଗିଲା–ସତେ ଯେମିତି ଲବଣୀ ମୋ ମା’ ପେଟର ଭଉଣୀ । ତା’ ମୁହଁରେ ହସ ଫୁଟାଇବା ପାଇଁ ମୁଁ ସବୁକିଛି କରିପାରିବି । କହିଲି ‘‘ସିଂହେ, ଲବଣୀପରା ଝିଅକୁ କୋଉ ବର ଅପୂର୍ବ ଯେ ତମେ ତାକୁ ଦୋବେହିରେ ଦେବ ? ତମର ସତ ବଳିବଟି ?’’ ‘ସେଇଆ କହିବଟି ବାବୁ, ଭଗବାନ ତମକୁ କୋଟି ପରମାୟୁ ଦିଅନ୍ତୁ ।’ ପଛକୁ ଅନାଇଁ ଦେଖିଲି, ଲବଣୀ କୋହ ଉଠାଇ କଇଁକଇଁ ହୋଇ କାନ୍ଦୁଛି । ମୋର ମଧ୍ୟ କାନ୍ଦିବାକୁ ଇଚ୍ଛା ହେଲା । ଆକ୍ଷିର ଲୁହ ପୋଛି ସାଇକଲ୍‌ ଧରିଲି । ବାଟରେ ଭାବିଲି, ଲବଣୀକୁ ମୁଁ ବିଭାହେଲେ କେମିତି ହୁଅନ୍ତା ? ମୁଁ ବ୍ରାହ୍ମଣ, ସେ କ୍ଷତ୍ରିୟ, ଏହିମାତ୍ର ପ୍ରତିବନ୍ଧକ, ପୁଣି ବାପା ହୁଏତ ସମକକ୍ଷ ବନ୍ଧୁ ପାଇବେ ନାହିଁ ବୋଲି ହଠାତ୍‌ ରାଜିହୋଇନପାରନ୍ତି ।

 

ଘରେ ପହଞ୍ଚି ଶୁଣିଲି, ବାପାଙ୍କର ଦୂରସ୍ଥାନକୁ ବଦଳି ହୋଇଯାଇଛି । ଖୁବ୍‌ ଶୀଘ୍ର ଆମକୁ ଏ ସହର ଛାଡ଼ି ଯିବାକୁ ହେବ । X X ଦୀର୍ଘ ତିରିଶବର୍ଷ ପରେ ବହୁ ଜିଲ୍ଲାରେ ଚାକିରିକରି ଅଳ୍ପଦିନ ହେଲା ଏ ସହରକୁ ବଦଳି ହୋଇ ଆସିଛି । ଜୀବନର ଅପରାହ୍ନ । ବାସ୍ତବତାର ବ୍ୟସ୍ତ ପରିବେଶ ମଧ୍ୟରେ ସ୍ୱପ୍ନ କେଉଁକାଳୁ ହଜିଯାଇଛି । ପରିଣତ ବୟସ ସୁଲଭ ପଥର ମନ, ତାରୁଣ୍ୟର ନାୟିକାକୁ ଅନ୍ୱେଷଣ କରିବା କିମ୍ବା ତା’ର ଖୋଜ ଖବର ନେବାରେ କଦାପି ସମୟ ନଷ୍ଟ କରିବାର ନୁହେଁ, ତଥାପି ଦିନେ ସେହି ବାଟଦେଇ ଜିପରେ ଯାଉ ଯାଉ ହଠାତ୍‌ ଦୃଷ୍ଟି ପଡ଼ିଲା ସେହି ଫଳ ଦୋକାନ ଉପରେ । ଫଳ ଦୋକାନ ଅଛି, ମାତ୍ର ନାହାନ୍ତି ଲବଣୀ ଓ ତା’ର ବାପା । ଲବଣୀର ଖବର କାହାକୁ ବା ପଚାରି ହେବ ? ତିରିଶ ବର୍ଷ ତଳର ଖବର କିଏ ଦେବ ? ସାରା ଜୀବନରେ କେତେ ପୁଞ୍ଜିଭୂତ ତିକ୍ତ ମଧୁର ସ୍ମୃତିରାଶି ମଧ୍ୟରେ ଲବଣୀର ନିଷ୍ପ୍ରଭ ସ୍ମୃତି ମନକୁ ଆଉ ବିଶେଷ ଆଲୋଡ଼ିତ କରିନି । X X X

 

ଦିନେ ହଠାତ୍‌ ଖବରକାଗଜ ପୃଷ୍ଠାରେ ଦେଖିଲି, ଏକ ସମ୍ବାଦ ବାହାରିଛି–‘‘ପ୍ରଖ୍ୟାତ ମଞ୍ଚ-ଅଭିନେତ୍ରୀ ଶ୍ରୀମତୀ ଲାବଣ୍ୟ ଦେବୀ ନିହତ । ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କର ସ୍ୱାମୀ ସହରର ବିଶିଷ୍ଟ କାଠବ୍ୟବସାୟୀ ଶ୍ରୀ.....ଗିରଫ ।’’

 

ଲବଣୀର ପ୍ରେତାତ୍ମା ମୋ ଆକ୍ଷି ଆଗରେ ତା’ର ନାଲି ଟୁକୁଟୁକୁ ଓଠ ମେଲାଇ ଖିଲି ଖିଲି ହୋଇ ହସି ଉଠୁଥିଲା । ପୁଣି ପର ମୁହୂର୍ତ୍ତରେ କୋହ ଉଠାଇ କଇଁକଇଁ ହୋଇ କାନ୍ଦୁଥିଲା । *

 

* ଦୈନିକ ପ୍ରଜାତନ୍ତ୍ରର ସାହିତ୍ୟ ବିଭାଗରେ ପ୍ରକାଶିତ ।

Image

 

ମୁଠାଏ ଆକାଶ

 

‘‘ଟିକିଏ ଶୁଣିବେ କି ?’’

 

ଫେନିଳ ସାଗରର ଲୀଳାୟିତ ଚପଳ ତରଙ୍ଗ ଉପରେ ସ୍ଥିର ଦୃଷ୍ଟିରଖି ଅସଂଲଗ୍ନ ଚିନ୍ତାରାଶି ମଧ୍ୟରେ ବୁଡ଼ି ରହିଥିବା ଅଧ୍ୟାପକ ବିଶ୍ୱମୋହନ ଚକ୍ଷୁ ଫେରାଇଲେ ।

 

ଏକ ଅପୂର୍ବ ଲାବଣ୍ୟମୟୀ ରୂପସୀ, ମାର୍ଜିତ ବେଶଭୂଷା, ଦରସ୍ମିତ ଅଧର, ଚକ୍ଷୁରେ ଚପଳତା, ଏକାକିନୀ । ଅଧ୍ୟାପକ ଦ୍ୱନ୍ଦ୍ୱରେ ପଡ଼ି ବଡ଼ ସନ୍ତର୍ପଣରେ ପଚାରିଲେ, ‘‘ମତେ ଡାକିଲେ କି-?’’ ‘‘ହଁ, ଆପଣଙ୍କୁ । ଏଠି ଆଉ ତ କେହି ନାହାନ୍ତି–’’ କହି ଭଦ୍ରମହିଳା ହସିଲେ । ଅଧ୍ୟାପକ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁ ରହିଲେ । ପୂର୍ବରୁ ଦେଖିଲାପରି ତ ମନେହେଉନି । କେହି ଦୂର ସମ୍ପର୍କୀୟ ନୁହେଁ ତ ?

 

ନିଜର ଦୂରତ୍ୱକୁ ଘନିଷ୍ଠତାର ପରିସର ମଧ୍ୟକୁ ଆଣି ବେଳାଭୂମିର ବାଲୁକାଶଯ୍ୟା ଉପରେ ଲୀଳାୟିତ ଭଙ୍ଗୀରେ ବସୁ ବସୁ ସେ କହିଲେ ‘‘ନାହିଁ ମ, ଏମିତି......ଟିକିଏ ଡାକିଦେଲି । ଭାବିଲି, ଅଧ୍ୟାପକ ଏଠାରେ ଏକୁଟିଆ ବସି ବୋଧହୁଏ ଲହଡ଼ି ଗଣୁଛନ୍ତି । ଆପଣ ଚମକିପଡ଼ିଲେ କି ?’’

 

ତଥାପି ଅଧ୍ୟାପକ ନିର୍ବୋଧ ପରି ଚାହିଁଛନ୍ତି । ଭଦ୍ରମହିଳା ଏତେ ପାଖକୁ ଲାଗି ବସିଛନ୍ତି ଯେ ସେ ବ୍ୟବହାର କରିଥିବା କସ୍ମେଟିକ୍‌ସର ବାସନା ଅଧ୍ୟାପକଙ୍କ ନାକରେ ବାଜୁଛି । ଦେହ, ମନରେ କିଛିଟା ପୁଲକ ସଞ୍ଚାରିତ ହେଉଛି । ବାହାର ଲୋକେ ଦେଖିଲେ ପ୍ରଣୟୀଯୁଗଳ ବା ସ୍ୱାମୀ-ସ୍ତ୍ରୀ ଛଡ଼ା ଅନ୍ୟକିଛି ମନେକରିବେ ନାହିଁ ।

 

ନୀରବତା ଭାଙ୍ଗି ମହିଳା କହି ଉଠିଲେ ‘‘ଆଚ୍ଛା, ଆପଣ ପ୍ରତିଦିନ ମନ୍ଦିରକୁ ଯାଆନ୍ତି ନା-?’’

 

‘‘ହଁ, ଯାଏତ ।’’

 

‘‘ଠାକୁରଙ୍କୁ ପ୍ରତିଦିନ କଅଣ ଏତେ ଜଣାନ୍ତି ? ସେହି ଏକା କଥା ନିଶ୍ଚୟ ? ନାଁ କିଛି ନୂଆକଥା ? କ’ଣ, ସେସବୁ ଏକାନ୍ତ ଗୋପନୀୟ ? ଆଚ୍ଛା, ସେ କଥା କେହି କାହାକୁ କହେନି ପରା, ନ କହନ୍ତୁ । ତେବେ ମୁଁ ଲକ୍ଷ୍ୟ କରିଛି, ଆପଣ ବହୁତ ସମୟ ଧରି ଠାକୁରଙ୍କୁ ଚାହିଁ ରହନ୍ତି । ଆକ୍ଷିରୁ ଟୋପା ଟୋପା ଲୁହ ଝରି ପଡ଼ୁଥାଏ । ଠାକୁରଙ୍କ ଆଗରେ କିଏ କାନ୍ଦିବାର ଦେଖିଲେ ମତେ କିନ୍ତୁ ବହୁତ ହସ ଲାଗେ । କାହିଁକି ଜାଣନ୍ତି ? କାନ୍ଦିସାରି ବାହାରକୁ ଆସିଲା ପରେ ଲୋକ ଦୁଇଗୁଣ ଉତ୍ସାହରେ ଅନ୍ୟାୟ ଅନୀତି କରିବାରେ ଲାଗିଯାଏ । କାରଣ ମନରେ ଦମ୍ଭ ଆସେ, ଠାକୁରଙ୍କ ପାଖରେ କାନ୍ଦିକରି ଆସିଛି, ଯାହାକଲେ ମଧ୍ୟ ସେ ମୋର କିଛିକ୍ଷତି କରିବନି କି ଦଣ୍ଡ ଦେବନି । ଆପଣଙ୍କର ମତ କ’ଣ ?’’

 

‘‘ଆରେ, ଆପଣ କିଛି କହୁନାହାନ୍ତି ଯେ ? ମୁଁ ଏସବୁ ପଚାରୁଛି ବୋଲି ବୋଧହୁଏ ଆପଣ ମନେମନେ ବିରକ୍ତ ହେଲେଣି ।’’ ‘ନା ନା, ବିରକ୍ତ କାହିଁକି ହେବି ? ତେବେ ଏସବୁ ନିତାନ୍ତ ବ୍ୟକ୍ତିଗତ ବିଷୟ । ଅନ୍ୟାୟ ଅନୀତି କରୁଥିବା ଲୋକର ମନରେ ଯଦି ଠାକୁରଙ୍କଠାରେ କିଛି ଦଣ୍ଡର ଭୟ ରହିଲା ତେବେ ସେତିକି କ’ଣ ତା’ ପକ୍ଷରେ ଯଥେଷ୍ଟ ନୁହେଁ ? ଠାକୁର ଦର୍ଶନଦ୍ୱାରା ଅନ୍ତତଃ ସେତିକି ଉପକାର ତ ସେ ପାଇଲା । ମନୁଷ୍ୟ ମନରେ କୌଣସି କାରଣରୁ ଭୟର ସଞ୍ଚାର ହେଲେ ତା’ର ପରବର୍ତ୍ତୀ କାର୍ଯ୍ୟ ଉପରେ ନିଶ୍ଚୟ ତା’ର ପ୍ରଭାବ ପଡ଼ିବ । ଏହା ଏକ ଅତି ସରଳ ସତ୍ୟ ।’

 

‘ମୁଁ ଠିକ୍‌ ବୁଝିଗଲି । ଆପଣ ଅଧ୍ୟାପକ ତ । କ୍ଲାସରେ ପିଲାଙ୍କୁ ବୁଝାଇଲା ପରି ବେଶ୍‌ ବୁଝାଇ ଦେଲେ । ମୁଁ ଆପଣଙ୍କ ସଙ୍ଗେ ସମ୍ପୂର୍ଣ୍ଣ ଏକମତ । ମୋର କହିବାର କଥା କ’ଣ କି ଅଧ୍ୟାପକ ଜୀବନରେ ଆପଣ ଏପରି କି ଅନ୍ୟାୟ ଅନୀତି କରୁଛନ୍ତି ଯେ ଠାକୁରଙ୍କୁ ଚାହିଁ ଏତେ କାନ୍ଦୁଛନ୍ତି ? ସଙ୍ଗୀତ ମଣ୍ଡପର ପାହାଚରେ ବସି ଅନ୍ଧକାର ଆବରଣ ଭିତରେ ଆପଣ ଅଶ୍ରୁମୁଞ୍ଚନ କରିବାର ମୁଁ ଅନେକ ଥର ଦେଖିଛି । ଆପଣ ଭାବୁଥିବେ ଆପଣଙ୍କ ଠାକୁରଙ୍କ ଛଡ଼ା ଆଉ କେହି ଏହାକୁ ଦେଖୁ ନାହାନ୍ତି, ମାତ୍ର ମୁଁ ଠିକ୍‌ ଲକ୍ଷ୍ୟ କରେ । କହନ୍ତୁ, ସତ ନା ମିଛ ? ମୋ ବିଷୟରେ ଏତେ ଟିକ୍‌ନିଖ୍‌ ଖବର..... ?’

 

ମଧୁର ହାସ୍ୟ-ଲହରୀ ଛୁଟାଇ ଭଦ୍ରମହିଳା କହିଲେ ‘ଓହୋ, ଆପଣ ଡରି ଯାଉଛନ୍ତି କି-? ମୁଁ ସି.ଆଇ.ଡ଼ି. ବା ଭିଜିଲାନ୍‌ସବାଲା ନୁହେଁ ମ । ଆପଣଙ୍କୁ ଦେଖିଲେ ମନେହୁଏ, ଯେମିତି ଆପଣଙ୍କର କୌଣସି ଦୁଃଖ ନାହିଁ, ସୁଖୀ ଲୋକ ଆପଣ । ଚେହେରା ତ ଦେଖିଲେ ମନେହେବ, ଜଣେ......ଖରାପ ଭାବିବେନି–ଜଣେ ଜାଗାଘରର ଓସ୍ତାତ୍‌ । କହନ୍ତୁ, ଆପଣଙ୍କ ବିଷୟରେ ଅପରିଚିତ ଲୋକ ଏଇଆ ଭାବନ୍ତି ନା ନାହିଁ ? ତେଣୁ ମୋର ଗୋଟାଏ କିପରି କୌତୂହଳ ହେଲା-। ଏ ଭିତରେ ଆପଣଙ୍କ ବିଷୟରେ ସବୁ ଖବର ମୁଁ ନେଇ ଯାଇଛି । ତେବେ ଜାଣିହେଉନି, ଆପଣଙ୍କର ଦୁଃଖ କଅଣ, ମୋତେ କହିବେ ?’

 

‘ମୋର ତ କିଛି ଦୁଃଖ ନାହିଁ, ଆଉ କହିବି କ’ଣ ?’ ‘ଉଁହୁଁ, ଆପଣଙ୍କର ମନର କଥା ଇଏ ନୁହେଁ । ମୁଁ ସବୁ ପଚାରୁଛି ବୋଲି ହୁଏତ ଆପଣ ପୁଣି ବିରକ୍ତ ହେଲେଣି । ଆଚ୍ଛା, ଆପଣଙ୍କର ବୟସ କେତେ ହେବ ?’ ‘ଏବେ କ’ଣ ଜାଣିବାକୁ ଆପଣଙ୍କର ଆଉ ବାକି ଥିବ ?’

 

‘ହଁ ତା’ ଅବଶ୍ୟ ଠିକ୍‌ । ଆପଣ ବାର୍ଦ୍ଧକ୍ୟକୁ ଖୁବ୍‌ ଠକି ଠକି ଚାଲିଛନ୍ତି ? ଆପଣଙ୍କୁ ଦେଖିଲେ ତ ଏତେ ବୟସ ବୋଲି ମନେ ହୁଏନା ।’

 

‘ତା’ ହୁଏତ ହୋଇନପାରେ । ତେବେ ଏ ବୟସରେ କେହି ଭୁଲ ବୁଝି ମୋ ସଂସ୍ପର୍ଶରେ ଆସି ଠକିଯାଉ, ଏହା ତ ମୁଁ ଚାହେଁନା ।’

 

‘ଦେଖୁଛି, ଆପଣ ବେଶ୍‌ କଥା କହି ଜାଣନ୍ତି । ରସିକ ଲୋକ ଆପଣ ।’

 

‘ରସିକ ହେବାଟା କଅଣ ଦୋଷ ?’

 

‘ନାହିଁ ଯେ, ମୁଁ ଭାବୁଥିଲି, ଯିଏ ଏଭଳି ଜଣେ ଭକ୍ତ ସେ ପ୍ରାୟ ନିଃରସ, ନିଷ୍ପ୍ରାଣ, ଲୋକ ହୋଇଥିବେ ।’

 

ମୁଁ ଅବଶ୍ୟ ଭକ୍ତ ନୁହେଁ । ଯାହା କହନ୍ତି, ଅଜାମିଳୁ ବଳି ମହାପାତକୀ । ତେବେ ଯେଉଁ ଠାକୁର ସ୍ୱୟଂ ରସରାଜ, ଅଗାଧ ରସର ସାଗର, ତାଙ୍କର ଯେ ସେବା, ଆରାଧନା କରେ ସେ ଜଣେ ନିଃରସ, ନିର୍ଦରଦୀ ଲୋକ ହୋଇଥିବ ବୋଲି ଆପଣଙ୍କର କାହିଁକି ମନେହେଲା ?’

 

‘ମନେହେବାର ସେପରି କିଛି କାରଣ ନାହିଁ । ଆଚ୍ଛା, ଆପଣଙ୍କର ବାଳ ତ ପାଚିନାହିଁ । ଗୋଟିଏ ହେଲେ ଦାନ୍ତ ପଡ଼ିନାହିଁ । କ’ଣ ଏସବୁ ପ୍ରକୃତ ଦାନ୍ତ ନା ନକଲି ଦାନ୍ତ ବନ୍ଧାଇ କରିଛନ୍ତି ?’

 

ବଡ଼ ଅଦ୍ଭୁତ ଏ ନାରୀ ! କୁଆଡ଼ୁ ଆସିଲା ? କୁଆଡ଼େ ଯିବ ? କି ପରିଚୟ ଏହାର ? ଅକ୍ଷମଣୀୟ ପ୍ରଗଲ୍‌ଭତା ! ମାତ୍ର.....ମାତ୍ର ଏ ପ୍ରଗଲ୍‌ଭତାରେ ଯେପରି ଅହମିକା ବା ଔଦ୍ଧତ୍ୟ ନାହିଁ-। ଅଛି ଶ୍ରଦ୍ଧା, ଅନୁରାଗ, ଆପଣାର କରିବାର ଚେଷ୍ଟା ଅଧ୍ୟାପକ ସମ୍ମୋହିତ ହୋଇ ଉଠୁଛନ୍ତି-। ବ୍ୟାହତ ହେଲା ତାଙ୍କର ଭାବନା । ଭଦ୍ରମହିଳା ତାଙ୍କର କୋମଳ କର-ପଲ୍ଲବ ପ୍ରସାରଣ କରି ଅଧ୍ୟାପକଙ୍କର ହସ୍ତ ଧାରଣ କଲେ । ‘ଆଚ୍ଛା ମୋହନ ବାବୁ, ଆପଣଙ୍କର ବହୁତ ସମୟ ନଷ୍ଟ କଲି । ରାଗିବେନି, ହେଲା ? ଗୁଡ଼ାଏ ବକ୍‌ ବକ୍‌ ହେବା ମୋର ଗୋଟାଏ ଭାରି ବଦଭ୍ୟାସ । ଶୁଣନ୍ତୁ, ୧୩ ତାରିଖରେ ରଜ । ଆମ ଘରକୁ ଆପଣ ନିଶ୍ଚୟ ଆସିବେ । ମୋର ନିମନ୍ତ୍ରଣ ରହିଲା । .....ଆରେ କଅଣ ଭାବୁଛନ୍ତି ମ ? ଭଦ୍ରମହିଳା ଅଧ୍ୟାପକଙ୍କର ଗାଲ ଧରି ହଲାଇ ଦେଲେ ।’

 

‘ହେ ଭଗବାନ, ଏମାନେ ମଲେନି କି ମୁଁ ଏମାନଙ୍କଠୁ ଯାହା ନ ମଲି ! ଘରଭଳି ବିରାଟ ମଶାରୀ । ଦୁଇଟା ପିଲାଙ୍କୁ ଜାଗା ହେଉନି ଯେ ମଶା ପୂରାଇ ମଣିଷକୁ ମାରି ସାରିଲେଣି । ରାତି ସାରା ଶୁଆଇ ଦେଉ ନାହାନ୍ତି ।’ ପାହାନ୍ତି ପବନର ଶୀତଳ ସ୍ପର୍ଶରେ ବେଶ୍‌ ଜମି ଆସିଥିବା ମଧୁର ସ୍ୱପ୍ନ, ସ୍ତ୍ରୀଙ୍କର କଟୁ ଚିତ୍କାରରେ ଭାଙ୍ଗିଗଲା । ଅଧ୍ୟାପକ ବାସ୍ତବତାକୁ ଫେରିଲେ । କାହିଁଗଲା ସେହି ସ୍ୱପ୍ନ-ସୁନ୍ଦରୀ ! ହାୟ ନାରୀ, କେଉଁ ଭାଗ୍ୟବାନ୍‌ର ଜୀବନ-ବୃକ୍ଷରେ ତୁମେ ଅମୃତମୟୀ ଫଳ ତ ଆଉ କେଉଁ ହତଭାଗ୍ୟର ଜୀବନ କ୍ଷେତ୍ରରେ ତୁମେ ଚିର ଦହନ-କାରିଣୀ ଉଷ୍ଣପ୍ରସ୍ରବଣ !

 

ଯୌବନରେ ଲାଗ ଲାଗ ବହୁ ଧକ୍‌କା ସହି ସ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ସଙ୍ଗେ ସଙ୍ଗେ ଚିଡ଼୍‌ଚିଡ଼ା ସ୍ୱଭାବ ଖୁବ୍‌ ବେଶୀ ବଢ଼ିଯାଇଛି । ସାରା ଜୀବନ କାନ୍ଦି କାନ୍ଦି ଅଧ୍ୟାପକଙ୍କ ଚକ୍ଷୁରୁ ମଧ୍ୟ ଲୋତକ ନିଃଶେଷ ହୋଇଯାଇଛି । ଜୀବନର ଭାରା ଦୁର୍ବିସହ ହୋଇଉଠିଛି । ‘ଆରେ ହେ କୁନା, ହେ ମୁନ୍ନା ? ଆରେ ଉଠ, ମଲାପରି ତ ଶୋଇ ଯାଇଛନ୍ତି । ଭଲ ପିଲା ସବୁ ଗଲେ । ଏ ଶତ୍ରୁ ଦି’ଟା ବଞ୍ଚିରହି ଯାହା ଦହଗଞ୍ଜ କରୁଛନ୍ତି..... ।’

 

ଅଧ୍ୟାପକଙ୍କ ସଂଯତ ପାଟିରୁ ପଦେ ଖସିଗଲା–‘କାହିଁକି ସକାଳଟାରୁ ପାଟି କରୁଛ ଭଲା.....ଆର କ୍ୱାଟରରେ ଭଦ୍ରଲୋକ ଅଛନ୍ତି । କଅଣ ଭାବିବେ ?’

 

‘ମଲା, ତାଙ୍କ ଭଦରପଣିଆ ତାଙ୍କ ଘରେ ଥାଉ ମୁଁ ମୋ ଘରେ ପାଟି କଲି, ଭଲ କଲି, ‘ଓହୋ ବନ୍ଦ କର ଭଲା ।’

 

‘କାହିଁକି ବନ୍ଦ କରିବି ? ମୁଁ କାହାକୁ ଡରିଛି ? ଦିଅଁକୁ ଦେଖିବେ ବୋଲି ଧରାଧରି କରି ଏଠିକି ବଦଳି ହୋଇ ଆସିଲ । ସବୁଦିନ ସମୁଦ୍ର କୂଳରେ ବୁଲା ହେଉଛି । ଆମେ ଭାବୁଛୁ କଣନା–ଆହା, ଅଫିସ୍‌ କାମ କରୁ କରୁ ଡେରି ହୋଇଯାଉଛି । ବୁଢ଼ାଟିଏ ହେଲଣି, ସମୁଦ୍ରକୂଳରେ ଏତେ କଅଣ ଦେଖୁଛ ? ଭଲଗତି ଅଛି ତ ଚୁପ୍‌ଚାପ୍‌ ରହ । ନହେଲେ ଫେର୍‌ ଶୁଣିବ’ ସବୁ ଗୋଇ ଖୋଳି ଦେବିଟି । ହାଁ ଅଧ୍ୟାପକ ବାଧ୍ୟ ପିଲାଟି ପରି ଦେହରେ ତଉଲିଆ ଢାଙ୍କି ଗୃହରୁ ନିଷ୍କ୍ରାନ୍ତ ହେଲେ ।

 

ସନ୍ଧ୍ୟା ଆରତୀ ହେଉଛି । ଅଧାପକ ଯୋଡ଼ ହସ୍ତରେ ଗରୁଡ଼ସ୍ତମ୍ଭ ନିକଟରେ ସବୁଦିନ ପରି ଠିଆହୋଇଛନ୍ତି । ଚକ୍ଷୁରୁ ଧାର ଧାର ଲୋତକ ଛୁଟିଛି । ଅତି ଆକୁଳରେ ମିନତି–‘ଆଉ ପାରୁନାହିଁ ପ୍ରଭୁ, ଏ ଜନ୍ମ ଆର୍ଗଳରୁ ମୁକ୍ତ କର’ । X X X ରାତ୍ରି ଭୋଜନ ଶେଷ କରି ଅଧ୍ୟାପକ ବିଶ୍ରାମ ନେଲେ । ହଠାତ୍‌ ଛାତିରେ କିଛି ଯନ୍ତ୍ରଣା, ପରେ ପରେ ଶ୍ୱାସରୁଦ୍ଧ ହେବାର ଉପକ୍ରମ । ଅଧ୍ୟାପକ ଇଷ୍ଟଦେବଙ୍କ ନାମୋଚ୍ଚାରଣ କଲେ । ହଠାତ୍‌ ସେ ଅନୁଭବ କଲେ, ଚତୁର୍ଦ୍ଦିଗ ଆଲୋକରେ ଉଦ୍‌ଭାସିତ ହୋଇ ଉଠିଲା । ଚକ୍ଷୁ ସମ୍ମୁଖରେ ମାୟାପଟଳ ଅପସାରିତ ହେଲା । ପ୍ରାଣପ୍ରିୟ ପ୍ରଭୁଙ୍କର ସେହି ଭୁବନମୋହନ କୋଟିକନ୍ଦର୍ପ ଲାବଣ୍ୟଜିଣି ଚକାନୟନ ଦରସ୍ମିତ ବଦନ-ସରୋଜ, ଶଙ୍ଖ-ଚକ୍ର ଚିହ୍ନିତ ବିପୁଳ ଭୁଜ, ପୀତବସନ, ବନମାଳ, ତୁଳସୀ ଦଳ ଶୋଭିତ ଚରଣପଙ୍କଜ, ରତ୍ନଖଚିତ ସୁବର୍ଣ୍ଣମୁକୁଟ, ମଣିମୟହାର, ତ୍ରିଭୁବନ ତାରଣ ପତିତପାବନ ଦାରୁବ୍ରହ୍ମମୂର୍ତ୍ତି–ସତେ ଯେପରି ସୃଷ୍ଟିର ସମାପ୍ତ ସୌନ୍ଦର୍ଯ୍ୟକୁ ଏକତ୍ରିତ କରି ଚକ୍ଷୁ ସମ୍ମୁଖରେ ପ୍ରକଟିତ ହେଲା ! ଅଧ୍ୟାପକ ଅନ୍ତରରେ ଏକ ଅପୂର୍ବ, ଅନିର୍ବଚନୀୟ ପୁଲକ ଅନୁଭବ କଲେ । ଚକ୍ଷୁରେ ଆଉ ପଲକପାତ ହେଉନାହିଁ । ସତେ ଯେପରି କୌଣସି ଏକ ଅଦୃଶ୍ୟ ଅପ୍ରତିହତ ଶକ୍ତି ପ୍ରଭୁଙ୍କର ପବିତ୍ର ପାଦପଦ୍ମ ଲକ୍ଷରେ ତାଙ୍କୁ ଧୀରେ ଧୀରେ ଆଗେଇ ନେଉଛି !

Image

 

ଗୁରୁଜୀ

 

ଗ୍ରାମ-ଉପାନ୍ତରେ ସବୁଜ ବୃକ୍ଷଲତା ପରିବେଷ୍ଟିତ ଶିଶୁ ବିଦ୍ୟା ନିକେତନ । ଅତି ସୁନ୍ଦର ଶାନ୍ତପରିବେଶ ମଧ୍ୟରେ ସ୍ଫୁଟନୋନ୍ମୁଖ ଜଡ଼ ଓ ଜୀବନ୍ତ କଳିକା କୁଳର ଅପୂର୍ବ ସମାବେଶ ।

 

ସେ ଦିନ ଥାଏ ରବିବାର, ମାତ୍ର ପିଲାମାନଙ୍କ ବିଦ୍ୟାଳୟକୁ ଆସିବା ବନ୍ଦନାହିଁ । ବିଶେଷକରି ନୂତନ ଗୁରୁଜୀ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ କେବଳ ଖାଇବା, ଶୋଇବା ସମୟଛଡ଼ା ପିଲାଙ୍କୁ ଘରେ କେହି ଦେଖୁନାହିଁ । ଆଜି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ବିଦ୍ୟାଳୟ ଗୃହ, ହତାସଫେଇ, ଗୀତ, ନୃତ୍ୟ.... । ଗୁରୁଜୀଙ୍କର ଢୋଲକି ବାଦନ ସହିତ ଶିଶୁ-ସମବେତ କଣ୍ଠରେ କର୍ମ–ସଙ୍ଗୀତର ସ୍ୱର ଲହରୀ ମନରେ ସୃଷ୍ଟି କରୁଥିଲା ଏକ ଅନିର୍ବଚନୀୟ ପୁଲକ । ଗ୍ରାମର ପ୍ରଧାନ ତନ୍ମୟ ହୋଇ ଲକ୍ଷ କରୁଥିଲେ, ନୃତ୍ୟରତ ନିଜପୁତ୍ରର ଅପୂର୍ବ ଆନନ୍ଦୋଚ୍ଛ୍ୱାସ ।

 

ନୃତ୍ୟ ଶେଷ ହେଲା । ପିଲାମାନେ ଗୁରୁଜୀଙ୍କୁ ଅଭିବାଦନ ଜଣାଇ ଧାଡ଼ିବାନ୍ଧି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ଗୁରୁଜୀ ପଚାରିଲେ ‘ପଧାନେ, ପୁଅ ଘରେ କିମିତି ପଢ଼ାପଢ଼ି କରୁଛି ?’ ‘ଆଜ୍ଞା, ଆଉ ସେ ଚଗଲାମି ଅଛିକି ? ପୁଅ ମୋର କେତେ ଭଲ ହୋଇଗଲାଣି । ପ୍ରତିଦିନ ସନ୍ଧ୍ୟାରେ ବୃନ୍ଦାବତୀଙ୍କ ପାଖରେ ଅଧ୍ୟାୟେ ଭାଗବତ ବୋଲୁଛି । ସନ୍ଧ୍ୟାହେଲେ ତ ବହିଧରି ବସିଲା, ଏକା ମୋରି ପିଲା ନୁହେଁ ଆଜ୍ଞା, ଗାଁର ସବୁ ପିଲାଙ୍କୁ ଆପଣ ଯେମିତି ମନ୍ତ୍ରକରି ବଶ କରି ସାରିଲେଣି ! ବୁଝିଲେ ପଧାନେ, ପିଲାଙ୍କର କଅଁଳ ମନ । ସେମାନେ ଚାହାଁନ୍ତି ଟିକିଏ ସ୍ନେହ, ଶ୍ରଦ୍ଧା, ଆଦର । ସେତକ ପାଇଲେ ସେମାନେ ତମର ଗୋଟାସାରା ବଶ ହୋଇଯିବେ । ତା’ପରେ ତାଙ୍କୁ ତମେ ବାଟରେ ପକାଇବ । ତେଣିକି ସେମାନେ ମାନି ଚାଲିଲେ । ହଉ, ପଧାନେ ତମେ ଆଜି ଆସ । ସମୟ ପାଇଲେ ବେଳେବେଳେ ଏଆଡ଼େ ଆସୁଥିବ ।

 

ଗୁରୁଜୀ ବିଶ୍ୱମ୍ଭର ଦାସ, ବହୁକାଳରୁ ବିପତ୍ନୀକ । ପରିବାରରେ ପୁତ୍ର ବିନୋଦ, ଡାକ୍ତରୀ ପଢ଼ା ଶେଷକରି ଏବେ ହାଉସ୍‌ ସର୍ଜନ । କନ୍ୟା ଭକ୍ତିଲତା, ଦିଲ୍ଲୀରୁ ହେଲ୍‌ଥ୍‌ ଭିଜିଟର ଟ୍ରେନିଂନେଇ ବ୍ଲକରେ ନିଯୁକ୍ତି ପାଇଛି । ସେବା ଧର୍ମରେ ଦୀକ୍ଷିତା ସେ । ଗୁରୁଜୀ ଡାକିବା ମାତ୍ରେ ଶିକ୍ଷକ ନିବାସରୁ ଏକ ଶୁଭ୍ରବସନା ତନ୍ୱୀ ଯୁବତୀ ତୈଳପାତ୍ର ଧରି ଆବିର୍ଭୂତା ହେଲେ । ସେହି ଲତା, ବିଶ୍ୱମ୍ଭର ବାବୁଙ୍କର ଏକମାତ୍ର କନ୍ୟା । ଚମତ୍କାର ରୂପ ଲାବଣ୍ୟ । ସତେ ବା ଏକ ପୂର୍ଣ୍ଣପ୍ରସ୍ଫୁଟିତ ଶ୍ୱେତ ସରୋଜ !

 

ସ୍ନାନାର୍ଥୀ ବିଶ୍ୱମ୍ଭର ବାବୁ ତେଲ ଲଗାଇ ଆଗେଇ ଗଲେ ନିକଟସ୍ଥ ପୁଷ୍କରିଣୀ ଆଡ଼େ । ‘‘ହଇଓ ପରିଡ଼ା, ଗାଁ ଗୋଟାକରେ ପାଣି ବୋଲି ଏତିକି । ତମେ ଏଥିରେ ମଇଁଷି ପକାଉଛ ?’’ ‘‘ଏ ପୋଖରୀ କାହା ବାପର କି ? ଏମିତି କାଳକ ଯାକ ପକାଉଛୁ ନା ଆଜି ନୂଆ ?’’

 

‘‘ପରିଡ଼ା, ଟିକିଏ ଭଦ୍ର ଭାବରେ କଥାବାର୍ତ୍ତା କର ।’’ ‘‘ରଖ ହୋ ତମ ଭଦରପଣିଆ । ଔଷଧ ବଣ୍ଟା ନାଁରେ ଝିଅ ରୂପଚହଟ ଦେଖେଇ ରୋଜଗାର କରୁଛି । ଏଣେ ବାପର ଭଦର ପଣିଆ ବାହାରୁଚି !’’

 

ପରିଡ଼ାର ଅଶ୍ଳୀଳ ବାକ୍ୟ-ବାଣ ବିଶ୍ୱମ୍ଭର ବାବୁଙ୍କ ପକ୍ଷରେ ଅସହ୍ୟ ହେଲା । ‘‘ମୁହଁ ସମ୍ଭାଳି କଥା କହ’’ କହି ସେ ଟିକିଏ ଆଗେଇ ଗଲେ । ଏତିକିରେ ପରିଡ଼ା, ନିଜର ହସ୍ତସ୍ଥିତ ଯଷ୍ଟିର ଆଘାତରେ ତାଙ୍କୁ ଭୂତଳଶାୟୀ କରିଦେଲା ।

 

ଯେତେବେଳେ ତାଙ୍କର ସଜ୍ଞା ଫେରିଆସିଲା ସେ ଦେଖିଲେ, ରାମ ପ୍ରଧାନ ସ୍ଥାନୀୟ ଚିକିତ୍ସାଳୟ ବାରଣ୍ଡାରେ ତାଙ୍କୁ କୋଳକୁ ଆଉଜାଇ ଧରିଛି । ରକ୍ତସ୍ରାବ ହେତୁ ଅତି ଦୁର୍ବଳ ବୋଧ କରୁଥାନ୍ତି । ପ୍ରଧାନେ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀଙ୍କୁ ଦେଖି ବଡ଼ କରୁଣ ଭାବେ ନିବେଦନ କଲେ ‘‘ଆଜ୍ଞା, ମାଷ୍ଟ୍ରଙ୍କ ଅବସ୍ଥା ଅତି ଖରାପ । ଟିକିଏ ଶୀଘ୍ର ଚିକିତ୍ସା ବ୍ୟବସ୍ଥା କରନ୍ତୁ ।’’

 

ଅନେକ ଅନୁନୟ ପରେ ଭଦ୍ରବ୍ୟକ୍ତି ମୁଖ ଖୋଲିଲେ । ‘‘ଫିସ୍‌ ଟଙ୍କାଟା ତେବେ ଦିଅ । ମୁଁ ଡାକ୍ତରବାବୁଙ୍କୁ ଡାକିବି ।’’ ସେଥିପାଇଁ ତ ସେମାନେ ପ୍ରସ୍ତୁତ ହୋଇ ଆସିନାହାନ୍ତି । ‘‘ଏ ତ ଆଜ୍ଞା ସରକାରୀ ଡାକ୍ତରଖାନା........... ।’’ ବାତାୟନ ପଥରେ ଜଣେ ଦୀର୍ଘକାୟ ବ୍ୟକ୍ତିଙ୍କର ଆବିର୍ଭାବ ହେଲା । ‘‘କିରେ କଥା କ’ଣ ?’’ ‘‘ଆଜ୍ଞା, ଏହାଙ୍କର ବେଣ୍ଡେଜ ହେବ ଯେ ଫିସ୍‌ କଥା କହିବାରୁ ବୋଲୁଛନ୍ତି, ସରକାରୀ ଡାକ୍ତରଖାନା ।’’ ‘‘କହିଦେ, ଡାକ୍ତରଖାନା ୪ଟାବେଳେ ଖୋଲେ, ଏବେ ନୁହେଁ ।’’

 

ବଡ଼ ଅନିଚ୍ଛାସତ୍ତ୍ୱେ ବିଶ୍ୱମ୍ଭର ବାବୁ ଏ ଘଟଣା ଦାରୋଗା ବାବୁଙ୍କୁ ଜଣାଇଲେ । ‘‘ମାଷ୍ଟ୍ରବାବୁ, ତମ ସଙ୍ଗେ କ’ଣ ପରିଡ଼ାର ପୂର୍ବରୁ କିଛି ଶତ୍ରୁତା ଥିଲା ?’’ ‘‘ନାହିଁ ଆଜ୍ଞା, ସେପରି ପରିସ୍ଥିତି ତ କେବେ ହୋଇନାହିଁ । ମୁଁ ମଧ୍ୟ ଅଳ୍ପଦିନହେଲା ଏଠାକୁ ଆସିଛି ।’’ ‘‘ତମେ ଯାଅ, ମୁଁ କହି ଇନକ୍ୱାରୀକୁ ଯିବି ।’’

 

‘‘ଆରେ ଦୁବେ, ସାଇକଲ୍‌ କାଢ଼, ଇନକ୍ୱାରୀକୁ ଯିବା’’ ‘‘ଆଜ୍ଞା, କହିଲେ ପରା, କାଲିକି ଯିବା ?’’ ‘‘ଆରେ ତାକୁ ସିନା କହିଲି, କାଲିକି ଯିବି । ତତେ ପରା କହୁଛି ଆଜି, ଏହିକ୍ଷଣି ଯିବି ।’’ ‘‘ବୁଝିଲି ଆଜ୍ଞା ।’’ ‘‘ତୁ ଆଜି କାଲି ବହୁତ ଡେରିରେ ବୁଝୁଛୁ ।’’

 

ଗାଁର କଚେରୀ ଘରକୁ ପରିଡ଼ା ଧରାହୋଇ ଆସିଲା, ଦାରୋଗା ତାକୁ ଧମକ ଦେଇ ପଚାରିଲେ ‘‘କିରେ ମାଷ୍ଟ୍ରଙ୍କୁ କାହିଁକି ମାରିଲୁ ?’’ ‘‘ମୁଁ ମାରିନାହିଁ ଆଜ୍ଞା ।’’ ‘‘ଚୁପ୍‌ ମିଛ କହୁଛୁ ? ମାଡ଼ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛୁ । ତାଙ୍କ ହାତରୁ ସୁନାମୁଦି ଟାଣି ନେଇଛୁ ।’’ ‘‘ଦୁବେ, ୟାକୁ ବାନ୍ଧିନେଇ ଥାନାକୁ ଚାଲ ।’’ ଦୁବେ, ଏଥର ଖୁବ୍‌ ଶୀଘ୍ର ବୁଝିଗଲା । କହିଲା ‘‘ଆଜ୍ଞା, ପରିଡ଼ା କହୁଛି, ଘରବାଟ ହୋଇ ଗାମୁଛା ଖଣ୍ଡେ ନେଇ ଯିବ ।’’

 

ଖବରପାଇ ବିଶ୍ୱମ୍ଭର ବାବୁ ବହୁ କଷ୍ଟରେ ଯାଇ ଦାରୋଗାଙ୍କୁ ଭେଟିଲେ । ‘‘ଆଜ୍ଞା, ପରିଡ଼ା କହୁଛି, ମତେ ପ୍ରାଣରେ ମାରିଦେବ, ତାକୁ ଟିକିଏ ଜବତ କରନ୍ତୁ ଆଜ୍ଞା ।’’

 

‘‘ଆମେ କଅଣ କରିବୁ ମାଷ୍ଟ୍ରେ, ଡାକ୍ତର ତ ରିପୋର୍ଟ ଦେଲା, ମାଇନର ଇଞ୍ଜୁରୀ, ମନେ ଆଘାତ ଗୁରୁତର ନୁହେଁ । ତମେ ବରଂ ତମ ଅଫିସର୍‌ଙ୍କୁ କହି ଏଠାରୁ ବଦଳି ହୋଇ ଚାଲିଯାଅ ।’’

 

ବିଶ୍ୱମ୍ଭର ବାବୁ ନିଜକୁ କିଞ୍ଚିତ ଅସହାୟ ମନେ କଲେ । ତାଙ୍କର ଦୃଢ଼ ମନ ଟିକିଏ ଚହଲିଲା ପରି ବୋଧହେଲା । ଗୃହକୁ ଫେରିଆସି ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଣତି ନିବେଦନ କଲେ । ସେହି ହେଲେ ତାଙ୍କ ଠାକୁର, ‘‘ବାପୁ, ମୋର ମନକୁ ଆହୁରି ଦୃଢ଼ କର । ହୃଦୟକୁ ଆହୁରି ଶକ୍ତକର । ଚଳନ୍ତି ସମାଜର ଅନ୍ୟାୟ ଅନୀତି, ଅତ୍ୟାଚାରରେ ମୁଁ ଭାଙ୍ଗିନପଡ଼େ । କର୍ତ୍ତବ୍ୟ ପଥରୁ ବିଚ୍ୟୁତ ନ ହୁଏଁ । କନ୍ୟା ଲତାକୁ ଔଷଧ ବ୍ୟାଗ୍‌ ହସ୍ତରେ ପ୍ରବେଶ କରିବାର ଦେଖି ପଚାରିଲେ ‘ମା’, ତୁ କ’ଣ ବର୍ତ୍ତମାନ ଫେରୁଛୁ ? ଦିନ ଦୁଇଟା ହେଲାଣି, ଖାଇ ନାହୁଁ ।’ ‘ଆଜି ଲାଗ ଲାଗ ତିନିଟା ଡେଲିଭରି କେସ୍‍ ଆଟେଣ୍ଡ କରିବାକୁ ପଡ଼ିଲା, ବାପା ।’

 

ଏହି ସମୟରେ ପ୍ରାୟ ବାର ବର୍ଷର ଝିଅଟିଏ ବଡ଼ ଭୀତତ୍ରସ୍ତ କାତର ଅବସ୍ଥାରେ ଆସି ପହଞ୍ଚିଲା । ‘ଦେଈ’ ବୋଉର ଚେତା ବୁଡ଼ିଯାଉଛି । ଦେହରେ ଭାରି ଜର । ଡାକିଲେ ଶୁଣୁନାହିଁ । ତେମେ ଚଞ୍ଚଳ ଆସ । କହୁ କହୁ ଝିଅଟି କାନ୍ଦିପକାଇଲା । ଲତା ବ୍ୟାଗ୍‌ଟି ପୁଣି ଉଠାଇ ନେଉ ନେଉ କହିଲା, ବ୍ୟସ୍ତ ହୁଅନା ମା’ ଚାଲ । ତୋ ବୋଉ ଏଇନା ଉଠିବ ଯେ, ତମ ଘର କେଉଁ ସାହିରେ ? କାହା ଝିଅ ତୁ ? ‘‘ଆମ ଘର ତଳ ସାହିରେ । ନଟ ପରିଡ଼ା ଝିଅ ମୁଁ ।’’ ଲତା ଯେପରି ସମ୍ମୁଖରେ ହଠାତ୍‌ ବିଷଧର ସର୍ପ ଦେଖି ଚମକିପଡ଼ିଲା ! ‘ନଟ ପରିଡ଼ା ଝିଅତୁ ? ଚାଲିଯା, ଚାଲିଯା ଏଠୁ କହୁଛି ।’ ଝିଅଟି କିଛି ବୁଝିନପାରି ଆଁକରି ଚାହିଁଛି । ବିଶ୍ୱମ୍ଭର ବାବୁ ପରିସ୍ଥିତିକୁ ଉପଲବ୍‌ଧି କଲେ । ଦୟା, କ୍ଷମା, ପ୍ରେମ, ମୈତ୍ରୀର ପ୍ରତୀକ ବାପୁଜୀଙ୍କର ଚିର ହାସ୍ୟୋଜ୍ଜ୍ୱଳ, ଶାନ୍ତ ସୌମ୍ୟ ବଦନକୁ ଥରେ ଚାହିଁଲେ । ତା’ପରେ କହିଲେ ‘ମା’, ମୋର, ସେବାହିଁ ଆମର ଧର୍ମ । ପର ଦୁଃଖମୋଚନ ଆମର ବ୍ରତ । ଏଥିରେ ପାତ୍ର ଅପାତ୍ର ଶତ୍ରୁ ମିତ୍ର ଭେଦର ସ୍ଥାନନାହିଁ, ଶୀଘ୍ର ଯା’ ମା’-! ଡେରିହେଲେ ହୁଏତ ରୋଗୀର ଅବସ୍ଥା ବେଶି ଖରାପ ହୋଇଯିବ । ଲତା ବାକ୍ୟ ବ୍ୟୟ ନ କରି ଏକମୁହାଁ ଚାଲିଲା, ତଳ ସାହି ନଟ ପରିଡ଼ା ଘରକୁ ।

 

ଲତା କ୍ଳାନ୍ତ ଦେହଟାକୁ ଖଟ ଉପରେ ଲମ୍ବାଇ ଦେଇ ଆକ୍ଷି ବୁଜି ପଡ଼ିଥାଏ । ଦ୍ୱାର ନିକଟରେ ଜିପ୍‌ ରହିବା ଶବ୍ଦ ଶୁଭିଲା । ଲତା ଜାଣିଲା, ସୁଭାଷ ବାବୁ ଆସିଲେ । ସୁଭାଷ ବାବୁ ବ୍ଲକ୍‍ ବି.ଡ଼ି.ଓ. । ଲତା ସହିତ ଘନିଷ୍ଠ ବନ୍ଧୁତ୍ୱକ୍ରମେ ପ୍ରଗାଢ଼ ପ୍ରେମରେ ପରିଣତ ହୋଇସାରିଛି । ସୁଭାଷ ଘର ଭିତରେ ଲତାକୁ ଶୋଇଥିବାର ଦେଖି ମନକୁ ମନ ଗୁଣୁ ଗୁଣୁ ଗୀତ ପଦେ ଗାଇଦେଲେ–‘‘ଅଣିମାଦି ସୁଖଦାୟୀ,–ଶୋଇଅଛି...... ।’’ ‘ଆରେ, ସୁଭାଷ ବାବୁ ଯେ,’ ‘ଲତା, ଆଜି ମୁଁ ତୁମପାଇଁ ଦୁଇଟା ସୁସମ୍ବାଦ ନେଇ ଆସିଛି । ଯାହା ଶୁଣିଲେ ତୁମେ ଏତେ ଖୁସି ହେବ ଯେ.... ।’ ‘ହଉ ସେ କଥା ପଛେ । ଆପଣ ଆଗ କହିଲେ, ଆପଣ ପୂର୍ବେ ପାଲାଗାୟକ ଥିଲେ କି ?’ ‘କାହିଁକି-?’ ‘ବେଶ୍‌, ଭଞ୍ଜସାହିତ୍ୟ ଗାଇ ପାରୁଛନ୍ତିଯେ ।’ ‘ଓହୋ, ତମେ ତେବେ ନିଦରେ ନଶୋଇ ଚେଇଁ ଶୋଇଥିଲ ?’ ମୁଁ କ’ଣ ଏ ଅସମୟରେ କେବେ ଶୁଏ ? ଆଜି ବହୁତ କାମ ଥିଲା । ହଁ କଅଣ ଆପଣଙ୍କ ସୁସମ୍ବାଦ ? ‘ପ୍ରଥମ କଥା ହେଲା, ବାପା, ଆମ ଦୁହିଁଙ୍କ ବିବାହ ପ୍ରସ୍ତାବରେ ରାଜି-। ଦ୍ୱିତୀୟ କଥା ମଉସା ରାଷ୍ଟ୍ରପତି ପୁରଷ୍କାର ପାଇଛନ୍ତି । ଆଜି ଟେଲିଗ୍ରାମ ଆସିଛି ।’ ସତେ ସୁଭାଷ ବାବୁ ମୋ ହୃଦୟର ଆନନ୍ଦକୁ ମୁଁ ଭାଷାରେ ପ୍ରକାଶ କରିପାରୁନାହିଁ । ବୋଧହୁଏ, ଏତେ ବଡ଼ ଶୁଭଦିନ ଆଉ ଜୀବନରେ ଆସିବ ନାହିଁ ।

 

ବିଶ୍ୱମ୍ଭର ବାବୁ ଏ ସମ୍ବାଦ ପାଇଲେ । ଆନନ୍ଦାଶ୍ରୁପୂର୍ଣ୍ଣ ନୟନରେ ସେ ବାପୁଜୀଙ୍କର ପ୍ରତିମୂର୍ତ୍ତିକୁ ଚାହିଁ ପ୍ରଣତି ନିବେଦନ କଲେ । ହଠାତ୍‌ କେହି ଜଣେ ଧାଇଁଆସି ବିଶ୍ୱମ୍ଭର ବାବୁଙ୍କର ପଦତଳେ ଲମ୍ବ ହୋଇ ପଡ଼ିଗଲା । ବିଶ୍ୱମ୍ଭର ବାବୁ ଚିହ୍ନିଲେ, ସେ ନଟ ପରିଡ଼ା । ପଚାରିଲେ ‘କିଓ ପରିଡ଼ା, କଥା କ’ଣ ?’ ଆଜ୍ଞା, ଦେଈ ନଯାଇଥିଲେ ମୋ ସଂସାର ସରିଯାଇଥାନ୍ତା । ମୋ ଦୋଷ କ୍ଷମା କରନ୍ତୁ ‘ପରିଡ଼ା, ଏଇ ମହାତ୍ମାଙ୍କର ଶ୍ରୀଚରଣରେ ପ୍ରଣିପାତ କର । ଏଇ ହେଲେ ମୋର ଦେବତା । ସକଳ ଦୟା, କ୍ଷମାର ପ୍ରତୀକ–ପୂଜ୍ୟ ବାପୁଜୀ ।’ ପରିଡ଼ା ବାପୁଜୀଙ୍କର ପ୍ରତିକୃତିର ଚରଣ ତଳେ ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲା । ବିଶ୍ୱମ୍ଭର ବାବୁ ସସ୍ମିତ ବଦନରେ ସେହି ଦୃଶ୍ୟକୁ ଉପଭୋଗ କରୁଥିଲେ ।

Image

 

Unknown

ମୃଣ୍ମୟ

 

ସହରର ସେହି ଜଣାଶୁଣା କୁଖ୍ୟାତ ଗଳି, ଯେଉଁଠାରେ ଅନେକ ନୁଆଁଣିଆ ପୁରୁଣା ଚାଳଘର, ବରଓସ୍ତ ଉଠା ଏକତାଲା ପୁରୁଣା କୋଠାଘରର ଫଟା କାନ୍ଥ, ପୂତିଗନ୍ଧମୟ ନାଳନର୍ଦ୍ଦମା ମଧ୍ୟରେ ସାଲୁବାଲୁ ଅସଂଖ୍ୟ କୀଟ, ବୁଲା ପଶୁ, ମନୁଷ୍ୟର ଇତସ୍ତତଃ ମଳମୂତ୍ର ତ୍ୟାଗଜନୀତ ଏକ ନାରକୀୟ କଦର୍ଯ୍ୟ ପରିବେଶ ।

 

କୌଣସି ଭଦ୍ରଲୋକ ଭୁଲରେ ମଧ ଏ ଗଳି ମାଡ଼ିବାର ନୁହେଁ । କରଫିଉ ସହର ପରି ଅବଶ୍ୟ ଦିନବେଳେ ଏହା ପ୍ରାୟ ନୀରବ, ଶାନ୍ତ । କାଁ ଭାଁ ବସ୍ତିବାଲୀ ବାରନାରୀଙ୍କ ମଧ୍ୟରେ ବ୍ୟବସାୟିକ ପ୍ରତିଯୋଗିତାର କଳହରେ ଅଶ୍ଳୀଳ, ଅଶ୍ରାବ୍ୟ ବାକ୍ୟ ବିନିମୟ ସହିତ ରାସ୍ତା ଉପରେ ବୁଲା କୁକୁରଙ୍କ ଅଶ୍ଳୀଳ ଆଚରଣ ବ୍ୟତୀତ ଦିବସରେ ଏଠି ଅନ୍ୟ କିଛି ପ୍ରାୟ ଦୃଷ୍ଟିପଥରେ ପଡ଼େନା-

 

ମାତ୍ର ସନ୍ଧ୍ୟା ଆଗମନ ସଙ୍ଗେ ଗଳି ସାରା ଚଞ୍ଚଳ, କର୍ମମୁଖର ହୋଇଉଠେ । ଚାନ୍ଦ ତଳେ ଅଧାମେଲା ଦୁଆର ପାଖେ ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ ଦେଖାଯାଏ–ସଦ୍ୟ ଅଳତା ଲଗା ପ୍ରତୀକ୍ଷମାଣା ଦୁଇଟି ପାଦ ଓ ତା’ ଉପରକୁ ଆଉ କିଛି । ତା’ ସହିତ ଶୁଣାଯାଏ ପଥଚାରୀ ଗରାଖ ପ୍ରତି ଉଦ୍ଦିଷ୍ଟ ହାତକାଚର ରୁଣୁଝୁଣୁ ଆବାଜ । ନାକରେ ବାଜେ, ଶସ୍ତା ଅତର ସଙ୍ଗେ ଦେଶୀମାଲର ବାସ୍ନା । ଝାପ୍‌ସା ଅନ୍ଧାର ଭିତରେ ଚାଲିଥାଏ କିଛି ଗହଳ ଚହଳ, ଡିଉଟି ପୋଲିସ୍‍ର ଜୋତା ମଚ ମଚ, ହାତଟଣା ରିକ୍‌ସାର ଠୁଣୁଠୁଣୁ ଘଣ୍ଟି, ଦୁଆର ମୁହଁରେ ଫିସ୍‌ ଫିସ୍‌ କଥା । ଏହା ଛଡ଼ା କୌଣସି ନିର୍ଲଜ୍ଜ ଗ୍ରାହକ, ପଣ୍ୟ ଶରୀରକୁ ଆଗ ପରୀକ୍ଷା କରି ଦେଖିବା ଆଳରେ ଯଦି ଦ୍ୱାର ମୁହଁରେ ଠିଆ ଠିଆ ହସ୍ତ-ଚପଳତା ଆରମ୍ଭ କରିଦିଏ ତେବେ ପ୍ରତିବାଦକାରିଣୀ ସଙ୍ଗେ ତା’ର କିଛି ବଚସା ହୁଏ ଓ ସେଥିଯୋଗୁ କିଛି ସାମୟିକ ହୋ ହଲ୍ଲା ମଧ୍ୟ ସୃଷ୍ଟି ହୁଏ । ଏହାପରେ ଚାଲେ ସାରା ରାତି ବାହାର ନାଳନର୍ଦ୍ଦମାର ଜୀବଜଗତଭଳି ଘର ଭିତରେ ମଧ୍ୟ ମଣିଷ ସାଲୁବାଲୁ ଲଟର ପଟର.....ଇତ୍ୟାଦି ।

 

ସଂକ୍ରାମକ ଯୌନବ୍ୟାଧିର ଏହି ଯେଉଁ ସଘନ ଚାଷ ଅଞ୍ଚଳ ମଣିଷ ପୁଣି ଏଠାକୁ ଆସେ ଜୀବନ ଉପଭୋଗ କରିବାକୁ ! ଯୁଗ ଯୁଗ ଧରି ଏ ପ୍ରଥା କୁଆଡ଼େ ମଣିଷ ସମାଜରେ ଚଳି ଆସିଛି-। ପ୍ରାଚ୍ୟର ମୁନିଋଷି, ପାଶ୍ଚାତ୍ୟର ପ୍ଲେଟୋ, ଆରିଷ୍ଟଟଲ ଆଦି ମନୀଷୀମାନେ କୁଆଡ଼େ ଏ ପ୍ରଥାର ବିରୋଧ କରିନଥିଲେ । ବିଚିତ୍ର ମିଳନ ପୀଠ ଇଏ । ଏଠାରେ ଜାତି ଧର୍ମ ବର୍ଣ୍ଣ ବୟସ ଉଚ୍ଚନୀଚ ଭେଦଭାବ ନାହିଁ । ଜ୍ୟେଷ୍ଠ କନିଷ୍ଠ ଏକ ଉଦ୍ଦେଶ୍ୟରେ ଆସି ଏଠାରେ ପରସ୍ପର ଭେଟାଭେଟି ହୋଇଯିବା ଆଦୌ ଅସମ୍ଭବ ନୁହେଁ ।

 

ଏହି ଧରଣର ବିପଣୀ ସାଧାରଣତଃ ସହରରେ ମିଳେ । ତେଣୁ ଆମେସବୁ ଯିଏ ଗାଁ ଗହଳରୁ ଆସି ସଦ୍ୟ କଲେଜରେ ନାମ ଲେଖାଇଥାଉଁ, ନିଜର ପିରିଅଡ଼ରେ କମନ୍‍ରୁମରେ ବସି ସହରୀ ବନ୍ଧୁମାନଙ୍କଠାରୁ ଏହି ମାର୍କାମରା ଗଳିରେ ବୃତ୍ତାନ୍ତ ବଡ଼ ତନ୍ମୟ ହୋଇ ଶୁଣୁଁ । କେଉଁ ପ୍ରତିବେଶିନୀର ଚେହେରା ଭଲ ତ କାହାର ବ୍ୟବହାର ଭଲ । କାହାର ଚାର୍ଜ ବେଶି......ଇତ୍ୟାଦି । ହେଲେ ଅଜୁର କୁଆଡ଼େ ସର୍ବତ୍ର ଅବାଧ ଗତି । କାରଣ ସେ ବସ୍ତିର ମୁରବୀ । ପୋଲିସ୍‌ବାଲା ତା’ ହାତରେ । ଓଲଟି ତା’ର ଏବାଟେ କିଛି ରୋଜଗାର ହୁଏ । କୋଉ କୁଳର ଝିଅ ବୋହୂକୁ ସେ ଧୋକାଦେଇ ଶେଷରେ ଏଠି ଆଣି ଛାଡ଼ିଛି......ଇତ୍ୟାଦି ବହୁତ କଥା.....ଅସରନ୍ତି ।

 

କଥାଗୁଡ଼ାକ କ୍ରମେ ଦେହରେ ଭେଦେ । ନୁଆଁଣିଆ ଚାଳ ତଳେ ପ୍ରତ୍ୟହ ଘଟୁଥିବା ଘଟନାବଳୀର ପ୍ରତ୍ୟେକ ସ୍ତର ଆକ୍ଷି ଆଗରେ ଟିକ୍‌ନିଖ ଆଙ୍କି ହୋଇଯାଏ । ତରୁଣ ରକ୍ତରେ ନିଆଁ ଲାଗେ । ଦେହ ଝିମ୍‌ଝିମ୍‌ ହୁଏ । ସହରର ମୁକ୍ତ, ସ୍ୱଚ୍ଛନ୍ଦ ପରିବେଶରେ କିଛିଟା ନୂତନ ଅନୁଭୂତି ପାଇଁ ମନ ବ୍ୟାକୁଳ ହୁଏ । ତେବେ ଏକା ଯିବାକୁ ହେବ ନା କାହା ସଙ୍ଗରେ ? ଗାଁର ଅଜା ଦିନେ ଢଗ ମେଲୁଥିଲେ ‘ଚୋରି କରିବ ବାପପୁଅ, ନାରୀ କରିବ ଏକା ।’ ବାଃ, ଚୋରୀନାରୀ କରିବାକୁ ମଧ୍ୟ ନୀତି ନିୟମ ଖଞ୍ଜା ଯାଇଛି ! ଏକା ଯିବା, ଡର ଗୋଟେ କ’ଣ ? ଜିମନାସିୟମ୍‌ର ଛାତ୍ର ମୁଁ । ଛୁରି ଖଣ୍ଡେ ପକେଟରେ ନେବି କି ? ଧେତ୍‌, ସେଥିରୁ ଗୋଟେ କଅଣ ହେବ ? ମୂଳରୁ ମନଟା କାଠୁଆ ଧରିଯିବ ଯେ ।

 

ସେ ଗଳିବାଟ ଦେଇ ପ୍ରତିଦିନ ଯିବା ଆସିବା ଆରମ୍ଭ କରିଦେଲି । ଉଦ୍ଦେଶ୍ୟ, ପରିବେଶ ସହିତ ଟିକିଏ ଘନିଷ୍ଠ ହେଲାପରେ ଦିନେ ଅଭିଯାନ ଆରମ୍ଭ କରିବି । ମନରେ ପୁଣି ଭୟ ହୁଏ । ଆଶଙ୍କା ହୁଏ, କାଳେ ମୋର ଏ ଅଭିଯାନ ଫେଲ୍‍ ମାରିଯାଏ ? ଯଦି କିଛି ଅଘଟଣ ଘଟେ ? କୌଣସି ସୂତ୍ରରୁ ବାପାଙ୍କ କାନକୁ ଯଦି କଥା ଯାଏ ? ମୁଁ ଯଦି ସଂକ୍ରାମକ ବ୍ୟାଧିରେ ଆକ୍ରାନ୍ତ ହୁଏ ? ଯାଃ, ମନଟା ତ କାହିଁକି ଦବି ଦବି ଯାଉଛି । କଅଣ ମିଳିବ ହୋ ସେଥିରୁ ? ଛାଡ଼..... । ମୋ’ଦ୍ୱାରା ଏହା ସମ୍ଭବ ନୁହେଁ । କିଏ ଏତେ ରିସ୍କ ନେବ ?

 

କିଛି ଦିନ ଯାଏ । କଲେଜ କମନ୍‌ରୁମରେ ମନ ଚହଲା କଥା ବନ୍ଦ ନାହିଁ । ଫେର ମନ ହୁଏ, ଏଇ ବା ଗୋଟେ କି ବଡ଼ କଥା ? ପୂର୍ଣ୍ଣ, ଶ୍ୟାମ, ରାଜୁ–ଏମାନେ କଅଣ ଖାଲି କଳ୍ପନାରୁ ଏତେ ଏତେ କଥା କହୁଛନ୍ତି ? ବଜ୍ଜାତ୍‌ଙ୍କର ନିଶ୍ଚୟ ଏଥିରେ ବ୍ୟାପକ ଅନୁଭୂତି ରହିଛି । ମୋରି ବୟସର ତ ସେମାନେ । ନା, ନା, ଏ ଅଭିଯାନ ଚାଲିବ–ଅଲବତ୍‌ ଚାଲିବ । ନିଜେ ନମଲେ କି ସ୍ୱର୍ଗ ଦେଖିହୁଏ ?

 

ଦିନେ କଲେଜ ଛୁଟିପରେ ଏଣେତେଣେ ବୁଲି ମୁହଁ ଅନ୍ଧାର ବେଳକୁ ଫେରିଲି ସେହି ଗଳିବାଟେ । ପୂର୍ଣ୍ଣ ଯେଉଁ ଏକମହଲା କୋଠା କଥା କହୁଥିଲା ତାରି ଆଗରେ ଓହ୍ଲାଇ ପଡ଼ିଲି । ସେହି ମିଞ୍ଜି ମିଞ୍ଜି ଆଲୁଅ, ଅଳତା ରଞ୍ଜିତ ପାଦ, ଶାଢ଼ି ବଡ଼ର, କାଚ ଝୁଣୁଝୁଣୁ, ତା’ପରେ କୋମଳ ମଧୁର କଣ୍ଠର ଆବାଜ–‘ଆସିବ କି ? ଆସ, ସାଇକଲ୍‌ଟା ଉପରକୁ ଉଠାଇ ଦିଅ ।’

 

‘ଇଲୋ ବାପଲୋ’ ବୋଲି ଚପାଗଳାରେ କହି ସାଇକଲ୍‌ ଚଢ଼ି ସିଧା ଛୁଟିଗଲି ମେସ୍‌ ଆଡ଼େ । ଦେହରୁ ଗୋଟାଏ ଝାଳ ବହିଗଲା । କିଛି ଦିନ ଗଲା । ମନରେ କିଛିଟା ଅନୁତାପ, ଅବଶୋଷ । ନଜାଣି ଗାଁର ସମବୟସୀ ଝିଅମାନେ ମତେ ମାଈଚିଆ ବୋଲି ଚିଡ଼ାନ୍ତି ! ଏଣେ ମନ ଭିତରେ ଅସରନ୍ତି ଭାବନା । ଅଥଚ ସାମନାସାମନି ହୋଇଗଲେ ଏକବାର ନର୍ଭସ୍‌ ! ସେ ତ ସେଦିନ କି ସୁନ୍ଦର ଡାକୁଥିଲା, ସେ ସୁଯୋଗ ଛାଡ଼ିଲି କାହିଁକି ? ସଂକ୍ରାମକ ବ୍ୟାଧିର ଭୟ ? ତଥାପି ଏତେ ଲୋକ ତ ଯାଉଛନ୍ତି । ଖାଲି ମାତ୍ର ଥରକ ପାଇଁ ଗୋଟାଏ ଅନୁଭୂତି–ନିଛକ ଅନୁଭୂତି-। ରୋଗ କ’ଣ ବାଘ ଯେ ଯାଉ ଯାଉ ମାଡ଼ି ବସିବ !

 

ସେଦିନ କଲେଜରୁ ଫେରି ଶୀଘ୍ର ନିତ୍ୟକର୍ମ ବଢ଼ାଇ ଜଳଖିଆ ଖାଇନେଲି । ବେଶ୍‌ ଅନ୍ଧାର ହୋଇ ଯାଇ ଥାଏ । ଲୁଙ୍ଗି ଉପରେ ସ୍ପୋର୍ଟ ସାର୍ଟ । ମୁଣ୍ଡରେ ମଫଲାର ଗୁଡ଼ାଇ ମୁହଁକୁ ଅଧା ଘୋଡ଼ାଇ ଦେଲି । ବେଶ୍‌, କାହା ବାପର ସାଧ୍ୟ ଯେ ମତେ ଆଉ କଲେଜ ପିଲା ବୋଲି ଚିହ୍ନିବ ? ସିଧାସଳଖ ତା’ ଦୁଆର ଆଗରେ ଓହ୍ଲାଇପଡ଼ି ସାଇକଲ୍‌ ଉଠାଇ ଘର ଭିତରେ ପଶିଲି–ସତେ ଯେମିତି ବହୁ ପୁରୁଣା ଗରାଖ ! ମାତ୍ର ଆଜି କ’ଣ ସ୍ୱାଗତ କରୁଛି ବୁଢ଼ୀଟିଏ ! ଭୁଲ ଜାଗାକୁ ଆସିଗଲି କି ? ଯାହାହେଉ ଏତିକିବେଳେ ବୁଢ଼ୀ କହିଲା ‘ବାବୁ ଘର ଭିତରେ ବସ । ସେ ପାଇଖାନା ଯାଇଛି, ଅବି ଆସିବ ।’ ହାୟରେ, ଏତେ ସଅଳ କେହି ଜଣେ ଆସି ଫେରିଗଲାଣି ନା କଅଣ ? ଆଜିର ପ୍ରଥମ ଲୋକ ମୁଁ ତେବେ ହୋଇପାରିଲି ନାହିଁ ?

 

ଘରର ସାଜସଜ୍ଜାରୁ ମନେହେଲା, ରୋଜଗାର ମନ୍ଦ ହେଉନଥିବ । କାନ୍ଥ ଦର୍ପଣରେ ମୁହଁକୁ ଦେଖି, ପାନିଆରେ ମୁଣ୍ଡକୁ କୁଣ୍ଡାଇ ମୁଁ ନିଜକୁ ଟିକିଏ ହାଲ୍‌କା, ବେପରୁଆ କରିବାକୁ ଚେଷ୍ଟା କଲି । ମାତ୍ର ମୋ ଭିତରେ ଯେଉଁ ନିରୀହ, ଡରକୁଳା ମେଣ୍ଢାଛୁଆଟି, ସେ ପୁଣି ମେଁ ମେଁ କରି ଉଠିଲା । ହାୟ, ମୋ ବାପା ଯଦି ମୋତେ ଏଠାରେ ଏଇ ଅବସ୍ଥାରେ ଦେଖନ୍ତେ ତେବେ ଭେଣ୍ଡା ପୁଅ ହେଲେ ମଧ୍ୟ ନିଶ୍ଚୟ ହାତ ଉଠେଇ ବାଡ଼େଇ ପକାନ୍ତେ । ନଚେତ୍‌ ନିଜେ ଆତ୍ମହତ୍ୟା କରି ଦିଅନ୍ତେ । ଇଚ୍ଛା ହେଲା, ପଳେଇ ଯିବି କି ? ମାତ୍ର ଠିକ୍‌ ଏତିକି ବେଳକୁ ସେ ଆସି ପହଞ୍ଚିଗଲା । ଭିତରୁ କବାଟ ବନ୍ଦ କରି ହସ ହସ ମୁହଁରେ ମୋତେ ସ୍ୱାଗତ ଜଣାଇଲା । ତାକୁ ଦେଖି ମୁଁ ଠିଆ ହୋଇପଡ଼ିଲି । ଖିଲ୍‌ ଖିଲ୍‌ ହସି କହିଲା ‘ବସ ମ, ମୁଁ କ’ଣ ତମ ସାର୍‌ କି ମତେ ଦେଖି ଉଠିପଡ଼ୁଛ-?’

 

ହେ ଭଗବାନ, ଏତେ ନିଖୁଣ ଛଦ୍ମବେଶ ସତ୍ତ୍ୱେ ଇଏ କିମିତି ଜାଣିଲା, ମୁଁ ଜଣେ ଛାତ୍ର ! ଆଉ ଅଧିକା କିଛି ମୋ ଭିଷୟରେ ଜାଣେନି ତ ? ଆମ ଗାଁ ଆଖପାଖରେ ଇଆ ଘର ନୁହେଁ ତ ? ପାନ ଭାଙ୍ଗୁ ଭାଙ୍ଗୁ କହିଲା ‘ମୋ ପାଖକୁ ବହୁତ କଲେଜ ପିଲା ଆସନ୍ତି ଯେ । କିଏ ମନିପର୍ସ, କିଏ ଟର୍ଚ୍ଚ ଲାଇଟ, କିଏ ଆଉ କ’ଣ ସବୁ ଛାଡ଼ି ଯାଆନ୍ତି । ଫେର ଆରଦିନ ଆସି ନେଇଯାନ୍ତି । କହିଲ ବାବୁ, ଯେଉଁ ପଇସାଟି ଦେଲ, ସେ ସିନା ମୋର, ଚୋରି କାହିଁକି କରିବି ? କି ପାପ କରିଥିଲି ବୋଲି ତ ଏ ବେଉସା ଧରିଲି ।

 

ଆହା, ଏ ବେଉସା କରି ଇଏ କଅଣ ତେବେ ଅନୁତପ୍ତ ? ବାଧ୍ୟ ହୋଇ ଏ ଘୃଣ୍ୟ ପେଷାକୁ ଆଦରି ନେଇଛି ? ପଚାରିଲି, ସେ ବୁଢ଼ୀ କ’ଣ ତମ ମା’ ? ‘ହଁ ବାବୁ, ମା’ ନୁହେଁ ତ ଆଉ କ’ଣ ? ପାଳି ପୋଷି ବଢ଼େଇଛି । ମୋ ନିଜ ମା’, ବାପ ଥିଲେ କ’ଣ ଏବେ ଆଉ ଆସି ମୋତେ ଏଠୁ ନେଇଯିବେ ?’ କଅଣ ମିଳିବ ସେଥିରୁ ? ସେ ମନରେ କିଛି ଆଘାତ ପାଇଲା ପରି ଲାଗିଲା-। ମୁଁ ଆଉ କିଛି ପଚାରିଲି ନାହିଁ । ଏ ଭିତରେ ମୁଁ ତାକୁ ଭଲକରି ଦେଖି ନେଇଥାଏ । ବେଶ୍‍ ସୁନ୍ଦର ବଳିଲା ଦେହ, ଚକା ମୁହଁ, ଘଞ୍ଚ ଭ୍ରୂଲତା, ସୁଦୀର୍ଘ ଚିକ୍‌କଣ କେଶଗୁଚ୍ଛ । ମୋରି ବର୍ଣ୍ଣ-। ବୟସରେ ମୋ’ଠାରୁ ଅଳ୍ପ ବଡ଼ ହେବ । ବୋଉ କହେ, ମୋ ଉପରେ ଗୋଟିଏ ଭଉଣୀ ଅତି ଅଳ୍ପ ବୟସରେ ମରି ଯାଇଛି । ବଞ୍ଚିଥିଲେ ଠିକ୍‌ ଏହାରି ପରି ହୁଅନ୍ତାଣି । ଆହା, ମୋ ବଡ଼ ଭଉଣୀଟି ଥାଆନ୍ତି କି-? ମୋର ତ ଭଉଣୀ ନାହାନ୍ତି । ଧେତତେରୀ, ମନଟା ପୁଣି କାହିଁକି ଦବି ଦବି ଯାଉଛି ? ଦେହ ଏକବାର ଶୀତଳ ! ସତେ ଯେମିତି ମେଲେରିଆ ଜ୍ୱର ସଦ୍ୟ ଓହ୍ଲେଇ ଯାଇଛି-। କୁଆଡ଼େ ଗଲା ସବୁ ଉତ୍ତେଜନା-!

 

ଠିକ୍‌ ଏତିକିବେଳେ ଏକ ଅଘଟଣ ଘଟିଲା । କେହି ଜଣେ ‘.....ଖୋଲବେ’ କହି ବାହାରୁ କବାଟକୁ ଜୋରରେ ପିଟିଲା ।

 

ମନେହେଲା, କବାଟ ଭାଙ୍ଗିଯିବ । ଭୟରେ ଜଡ଼ସଡ଼ ହୋଇ ପଚାରିଲି, କଥା କଅଣ ? ‘‘ବାବୁ ସେ ଅଜୁ, ଏଇ ବସ୍ତିର ଲୋକ । ଦୁଷ୍ଟଟା, ଏମିତି ବେଳେ ବେଳେ କବାଟ ପିଟେ । ତେବେ ତମେ ବ୍ୟସ୍ତ ହୁଅନା । ମୁଁ କଦାପି କବାଟ ଫିଟାଇବି ନାହିଁ । ସେମିତି ପିଟି ପିଟି ଯିବ ସେ । ତମେ ଆସ ।’’ ଏହା କହି ଖଣ୍ଡେ ପାନଖାଇ ମୋ ହାତକୁ ଖଣ୍ଡେ ବଢ଼ାଇଦେଇ ପଲଙ୍କ ଉପରେ ପ୍ରାୟ ବିବସ୍ତ୍ରହୋଇ ସେ ଶୋଇଗଲା । ଦେହରେ ଖଣ୍ଡିଏ ଶାଢ଼ି ଛଡ଼ା ଆଉ ତ କିଛି ନ ଥିଲା । ମାତ୍ର ସେ ଦୃଶ୍ୟ ଉପଭୋଗ କରିବା ଅବସ୍ଥାରେ ମୁଁ ଆଉ ନ ଥିଲି । ବରଂ ମୋର ଖୁବ୍‌ ରାଗ ହେଲା । ବଜ୍ଜାତ୍‌ ମାଇକିନା, ଗୋଟାଏ ଲୋକ ଏମିତି କବାଟ ବାଡ଼ଉଥିବ । ଆଉ ମୁଁ ତୋ ସାଙ୍ଗରେ..... ? ଏହିକ୍ଷଣି ହୁଏତ ପୋଲିସ୍‍ ଆସିବ । ହୋ, ହଲ୍ଲା ହେବ । ମୁଁ ଚିହ୍ନା ପଡ଼ିଯିବି । ଗାଁକୁ ଖବର ଯିବ । ବାପା ଜାଣିବେ । ମୋ କଥା ସରିଯିବ ! କହିଲି, ନା, ନା ତୁମେ ଶୀଘ୍ର କବାଟ ଖୋଲ । ମୁଁ ଆଉ ମୁହୂର୍ତ୍ତେ ରହିପାରିବି ନାହିଁ । ‘‘ବାବୁ ସେ ଲୋକଟା ଭାରି ଗୁଣ୍ଡା । ମଦ ଖାଇଛି, ମାରଧର କରିବ । ଆମର ସିନା ସବୁ ଦେହ ସହା ହୋଇଗଲାଣି ।’’

 

ମୋ’ପାଇଁ ତୁମେ ବ୍ୟସ୍ତ ହୁଅ ନାହିଁ । ଏହା କହି ପଲଙ୍କ ଖୁରାରେ ଗୋଡ଼ ଲଗାଇ ଦେଇ କବାଟକୁ ଭିତରୁ ଠେଲି ଧରିଲି ଓ ତାକୁ କବାଟ ଖୋଲିବାକୁ କହିଲି । ସେ ଖୋଲିବା ସଙ୍ଗେ ସଙ୍ଗେ ମୁଁ ହଠାତ୍‌ କବାଟ ଛାଡ଼ିଦେଇ ଗୋଟାଏ କୋଣକୁ ଘୁଞ୍ଚିଗଲି । ଲୋକଟା ଭାରସାମ୍ୟ ରକ୍ଷା କରିନପାରି ମୁହଁମାଡ଼ି ପଡ଼ିଗଲା । ମୁଁ ତା’ ଉପରେ ଡେଇଁପଡ଼ି ଦେ ଦୌଡ଼ । ଏକା ନିଶ୍ୱାସକେ ଯାଇ ନିକଟସ୍ଥ ଟ୍ରାଫିକ୍‌ ପୋଲିସ୍‌ ପାଖରେ ଠିଆହୋଇ ଦମ୍‌ ମାରିଲି । ଝାଳରେ ଦେହସାରା ଭିଜିଯାଇଥାଏ । ପୋଲିସ୍‍ ପଚାରିଲା, ‘‘ବାବୁ ଦୌଡ଼ିଲ କାହିଁକି ?’’ ‘‘ବାଟରେ ଆସୁ ଆସୁ ବୁଲା କୁକୁର ଦି’ଟା ଖେଦି ଆସିଲେ’’ ଯେ ।

 

ମେସରେ ପହଞ୍ଚି ମନେପଡ଼ିଲା, ମୋ ସାଇକଲ୍‌ଟି ଛାଡ଼ି ଆସିଲି । ଯାଉ ସେ ସାଇକଲ୍‌-। ଆଜି ଆଉ ସେ ଜାଗା ମାଡ଼ିବାର ନୁହେଁ । ତା’ ପରଦିନ ଖାଇସାରି ଗଲି । ସାଇକଲ୍‌ଟି ସେଠାରୁ ନେଇ କଲେଜ ଯିବି । ଦେଖିଲି, ତା’ ଦ୍ୱାର ମୁହଁରେ ଭାରି ଗହଳ । ଆଉ ଯାହା ଶୁଣିଲି, ମୋ ମୁଣ୍ଡରେ ଆକାଶ ଛିଡ଼ିଲା ପରି ଲାଗିଲା । ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । ଅଜୁ, ମାନେ ସେହି ଦୁଷ୍ଟ ଲୋକଟା ଗତ ରାତ୍ରିରେ ସେ ସ୍ତ୍ରୀଲୋକର ତଣ୍ଟିଚିପି ହତ୍ୟାକରି ଏବେ ପୋଲିସ୍‌ ହାଜତରେ । ଲାସ୍‌ ଏପର୍ଯ୍ୟନ୍ତ ଉଠିନାହିଁ । ସାଇକଲ୍‌ ଯଥାସ୍ଥାନରେ ନାହିଁ । ଆହା, ବିଚାରୀ ମୋରି ଲାଗି ପ୍ରାଣ ଦେଲାକି ?

 

ଆକ୍ଷିରେ ଆକ୍ଷିଏ ଲୁହଭରି ଗୋଟିଏ ଦୀର୍ଘନିଶ୍ୱାସ ପକାଇ ରିକ୍‌ସାରେ ଉଠିଲି । ସେଦିନ ସାରା କାନ୍ଦିଛି । ସତେ ଯେମିତି ମୋ ନିଜ ବଡ଼ ଭଉଣୀ ମରିଗଲା । ଆଉ ଆଗାମୀ ଜୀବନ ପାଇଁ ମୋତେ ଅନେକ କିଛି ଶିକ୍ଷା ଦେଇଗଲା ।

Image

 

ବୃନ୍ତଚ୍ୟୂତ

 

ନାଁଟି ତା’ର ବଡ଼ ସୁନ୍ଦର–‘ନାନିକା’ । ସେ କୌଣସି ଧନିକ ବା ଉଚ୍ଚ ପଦାଧିକାରୀଙ୍କର କନ୍ୟା ନୁହେଁ । ଏହି କ୍ଷୁଦ୍ର ସହରରେ ସେ ଗୋଟିଏ ସାମାନ୍ୟ ମାଛବାଲୀ । ଅନ୍ୟମାନଙ୍କ ପରି ‘ମାଛ ନେବ ?’ ବୋଲି ଡାକି ଡାକି ସକାଳୁ ସେ ଏହି ଅଙ୍କାବଙ୍କା ଗଳିବାଟେ ଡେଲି ମାର୍କେଟ ଯାଏ-। ତାରି ଗରାଖ ସଂଖ୍ୟା ସବୁଠାରୁ ବେଶି । ପସରା ଖାଲି ହେବାକୁ ବେଶି ସମୟ ଲାଗେ ନାହିଁ-। କାରଣ ? କାରଣ ଅନେକ ।

 

ଗରାଖ ସଙ୍ଗେ ତା’ର ଦର କଷାକଷି ବା ବଚସା ହେବାର କେହି କେବେ ଶୁଣିନାହିଁ । ପଛରେ ମାଛ ଗୋଟାଏ ଅଧେ ଗରାଖ ଥଳୀରେ ପକାଇ ଦେବାକୁ ସେ କୁଣ୍ଠିତ ହୁଏ ନାହିଁ । ତେବେ ତା’ର ଲୋକପ୍ରିୟତାର ବଡ଼ କାରଣ, ସମ୍ଭବତଃ ତା’ର ନିଟୋଳ ଶରୀର ଗଠନ । ନାରୀ ଅଙ୍ଗର ସବୁଠାରୁ ବେଶି ଆକର୍ଷଣୀୟ ଅବୟବ–ମୁଖ ଓ ବକ୍ଷ ତା’ପାଇଁ ଥିଲା ସତେ ଯେପରି ସ୍ରଷ୍ଟାର ଆଶୀବାର୍ଦ । ତା’ର ହସିଲା ହସିଲା ମୁହଁକୁ ଚାହିଁଲେ ମନେହେବ ସତେ ଯେପରି ଅନେକ ହସକୁ ସେ ଚାପି ରଖିଛି । ଟିକିଏ କୁତୁ କୁତୁ କରିଦେଲେ ହସରେ ଫାଟି ପଡ଼ିବ !

 

ବକ୍ଷର ଅସାଧାରଣ ସ୍ଫୀତି ହେତୁ କବିଙ୍କ ଉକ୍ତି–‘ଦେଖି ତ ନାହିଁ ଅବନୀ, ଲୋଚନ ବେନି-।’ ତାରିଠାରୁ ସମ୍ଭବ ହୋଇଛି ଯେପରି । ବେଶି ଗୁଡ଼ାଏ କଥା କହେନି । କାହାକୁ ମୁହଁ ଟେକି ଚାହେଁନି । ସଦା ଅବନତ ମୁଖୀ । ସେଥିଲାଗି ବୋଧହୁଏ ତା’ପ୍ରତି ଲୋକଙ୍କ ଆକର୍ଷଣ ବେଶି-। ଦୁଷ୍ଟ ପିଲାଙ୍କ ଅଶ୍ଳୀଳ ଇଙ୍ଗିତର ଜବାବ ତା’ଠାରୁ ମିଳେନି । ସତେ ଯେପରି ସିଏ କାଠ ପଥର-। ପଛରେ କେହି କେହି କମେଣ୍ଟ ମାରନ୍ତି–‘ଆହାଲୋ ସତୀ ସାବିତ୍ରୀ..... ।’

 

ମାତ୍ର ସେ ନିଶ୍ଚଳ, ନିର୍ବିକାର । ଶୁଣି ନ ଶୁଣିଲା ପରି ଚାଲିଯାଏ । ପିତୃମାତୃହୀନ, ମାମୁଦ୍ୱାରା ପାଳିତା । ଟିକିଏ କିଛି ହୋଇଗଲେ ରାଢ଼ୁଆ ମାମୁ ଟାଙ୍ଗିଆରେ ହାଣି ଦିଫାଳ କରିଦେବ । ସେଥିଲାଗି ତା’ପ୍ରତି ନାନିକାର ଯେତିକି ଡର ନାନିକା ପ୍ରତି ଲୋକଙ୍କର ସେତିକି ଡର-

 

ଅଜୟ ରହେ ସେହି ଗଳିରେ, ଭଡ଼ା ଘରେ । ବୟସରେ ତରୁଣ, ନୂଆ ଚାକିରି, ରକ୍ଷଣଶୀଳ ପିତା ନବବିବାହିତା ପତ୍ନୀଙ୍କୁ ସାଙ୍ଗରେ ଛାଡ଼ି ନାହାନ୍ତି । ନୂଆ ବୋହୂଟା, ବାହାର ଲୋକଙ୍କ ଆଗରେ ଗାଡ଼ି ମଟର ଚଢ଼ି କେମିତି ଯିବ ? ପୁଣି ନୂଆ ଚାକିରିରେ କେତେ ବା ଦରମା ଯେ ଅଜୟ ଭାରିଜାକୁ ପୋଷିବ ? ପିଲାଲୋକ, ଘରକରଣା ଜଞ୍ଜାଳ ହଠାତ୍‌ ତୁଲାଇ ପାରିବ ନାହିଁ-। ସ୍ନେହଶୀଳ ପିତାଙ୍କ ଭାବନା ସହିତ ଅଜୟର ଭାବନା ହୁଏତ ମେଳ ଖାଏନି । ଅଜୟ ମନରେ ଦୁଃଖ । ହୋଟେଲରେ ଖାଇ ସ୍ୱାସ୍ଥ୍ୟହାନି ହେଉଛି । ମାତ୍ର ପିତାଙ୍କ ନିଷ୍ପତ୍ତିର ପ୍ରତିବାଦ ଚିନ୍ତା ସେ କରିପାରେନା । ଅତି ବାଧ୍ୟ, ପିତୃଭକ୍ତ ପିଲା ।

 

ନାନିକାକୁ ସେ ପ୍ରତିଦିନ ଦେଖେ । ଖୁସି ଲାଗେ । ଆଃ, ଶ୍ୟାମଳ ବର୍ଣ୍ଣରେ ପୁଣି ଏତେ ରୂପମାଧୁରୀ । ଭାରି ଇଚ୍ଛା ହୁଏ, ତା’ ସହିତ ଦି’ପଦ କଥା ହୁଅନ୍ତା । ମାତ୍ର ତାହା କିପରି ସମ୍ଭବ ? ମାଛ ନ କିଣି ଖାଲି ଦରଦାମ କରିବ କି ? ଛି, ଛି, ସେ କ’ଣ ଭାବିବ ? ରାତିରେ ନିଦ ଲାଗେନା । ମୁଣ୍ଡ ବିନ୍ଧେ । ପାଖରେ କେହି ନାହିଁ । ନାନିକା ଏତିକିବେଳେ ଆସନ୍ତା କି ? ମୁଣ୍ଡ ଟିକିଏ ଚିପି ଦିଅନ୍ତା । କି ଅସମ୍ଭବ । ଏକ୍ଷଣି ସୂର୍ଯ୍ୟୋଦୟ ହେବା ଯାହା, ନାନିକାକୁ ପାଖରେ ଆଶା କରିବା ତାହା । ନିଜ କଳ୍ପନାର ଅଳୀକତାରେ ଅଜୟ ମନକୁ ମନ ହସେ । କବି କହନ୍ତି, ସୁଖ ଅପେକ୍ଷା ସୁଖର ଆଶା କୁଆଡ଼େ ଅଧିକ ସୁଖପ୍ରଦ । ନିପଟ ମିଛ । କେବଳ ଡହଳ ବିକଳ ହେବାହିଁ ସାର । କବି ମାତ୍ରେ ଡାହା ମିଛୁଆ, ବାହାପିଆ । ସାମାନ୍ୟ କଥାକୁ ଫେଣେଇ କରି କହନ୍ତି । ଶୁଖିଲାଟାରେ ରସରେ ଭାସିଯାନ୍ତି । ନାନିକାକୁ ଦେଖିଲେ ଖାଲି ତା’ର ଅଙ୍ଗ ବିଶେଷକୁ ପର୍ବତ, ନଦୀ, ସିଂହ, ହାତୀ,ଘୋଡ଼ା ସଙ୍ଗେ ତୁଳନା କରି ବସିବେ । ସେଇଥିରେ କୁଆଡ଼େ ତାଙ୍କର ଆନନ୍ଦ । ଦୈବାତ୍‌ ଯଦି କେହି ଅଭାଗୀ ତାଙ୍କ ପ୍ରେମରେ ପଡ଼ିଲା, କଅଣ ସବୁ ଲେଖି କହିଦେବେ ଯେ ତାକୁ ବିଗାଡ଼ି, ବିଚାରୀ ତକିଆରେ ମୁହଁ ଗୁଞ୍ଜି କାନ୍ଦି କାନ୍ଦି ଦିନ ସରିବନି । ସେ ଯାହାହେଉ–ନାନିକା, ଗୋଟାଏ ଇତର ସ୍ତ୍ରୀଲୋକ । ଜଣେ ଉଚ୍ଚ ଶିକ୍ଷିତ, ମାର୍ଜିତ ଯୁବକ ସେପରି ସ୍ତ୍ରୀଲୋକର କଥା ଏତେ ଭାବିବ କାହିଁକି ? ଏ ତ ନିଶ୍ଚିତ ଅଧଃପତନର ଲକ୍ଷଣ । ମନରେ ଲଗାମ କଷି ଅଜୟ ନିଦ୍ରା ଯାଏ ।

 

ନାନିକା କ୍ଷୀରକୋଳି ବିକି ଆଣିଛି । ଅଜୟର ଅନୁରୋଧରେ ଗୋଟିଏ କ୍ଷୀରକୋଳି ତା’ ପାଟିରେ ଗୁଞ୍ଜି ଦେଉଛି । ନାନିକାର ହାତ ବାହୁ ମୂଳରୁ ଟେକି ହୋଇଯାଉଛି । କି ଚମତ୍କାର ଦୃଶ୍ୟ । ଅଜୟର ସୁଖସ୍ୱପ୍ନ ଭାଙ୍ଗିଯାଏ । ଶରୀର ସାରା ରୋମାଞ୍ଚ, ରକ୍ତ ଟକ୍‌ମକ୍‌ ହୋଇ ଫୁଟେ । ନାଃ, ଆଉ ପାରି ହେବ ନାହିଁ । ବାପାଙ୍କ ପାଖକୁ ଅଜୟ ଚିଠି ଲେଖେ–ବାପା, ବଡ଼ କଷ୍ଟରେ ଅଛି । ଖାଇବା ପିଇବା ବଡ଼ ଅସୁବିଧା । ହୋଟେଲରେ ଖାଇ ଶୂଳଝାଡ଼ା ହେଉଛି । ‘ତାକୁ’ ଅନ୍ତତଃ କିଛି ଦିନ ପାଇଁ ପଠାଇଲେ ଭଲ ହୁଅନ୍ତା..... ।

 

ଦିନେ ହଠାତ୍‌ ଷ୍ଟୋଭ, ଡେକ୍‌ଚି ଆଦି ସରଞ୍ଜାମ ବଜାରରୁ କିଣି ଆଣି ଅଜୟ ବସାରେ ରୋଷେଇ ପାଇଁ ପ୍ରସ୍ତୁତ ହୋଇଗଲା । ସକାଳେ ନାନିକାଠାରୁ ମାଛ କିଣାଯିବ । ସେଦିନ ନାନିକାକୁ ଖୁବ୍‌ ନିକଟରୁ ଦେଖିବା ସୁଯୋଗ ସେ ପାଇଲା । ସତରେ ନାନିକାଟା ଭା...ରି ସୁନ୍ଦର । ଆକ୍ଷି ଲାଖି ରହିଛି । ‘‘ମାଛ ଘରେ ରଖି ଆସି ପଇସା ଦିଅ ବାବୁ, ମୁଁ ଯାଏଁ ।’’ ଅଜୟର ହୋସ୍‌ ଆସିଲା । ବାଁ ହାତରେ ଧରିଥିବା ନୋଟ୍‌ ଖଣ୍ଡି ବଢ଼ାଇ ଦେଲା । ‘‘ଚିଲରା ନାହିଁ ବାବୁ ।’’ ‘କାଲିକି ଦେବୁ, ଥାଉ ।’

 

ଅଜୟକୁ ସେଦିନ ଭାରି ଫୂର୍ତ୍ତି ଲାଗିଲା । ଗଛର ଚଢ଼େଇ ସଙ୍ଗେ ସ୍ୱର ମିଳାଇ ଗୀତ ଗାଇବାକୁ ତା’ର ଇଚ୍ଛା ହେଲା । ଦିନଗୁଡ଼ିକ ବେଶ୍‌ କଟିଲା । ଅଜୟ କବିମାନଙ୍କୁ ମନେ ମନେ ଶ୍ରଦ୍ଧା କଲା । ଇଚ୍ଛା ହେଲା, ନିଜେ କବିତା ଲେଖନ୍ତା । ଦିନେ ସକାଳେ ଅଫିସ୍‌ ଯିବା ଦରକାର ପଡ଼ିବାରୁ ମାଛ କିଣିପାରିଲା ନାହିଁ । ଧାଇଁଲା ଡେଲି ମାର୍କେଟ । ନାନିକାଠାରୁ ମାଛ କିଣିଲା । ସବୁଦିନ ପରି ଓଜନ ବାହାରେ ବେଶ୍‌ କେତେଟା ମାଛ ନାନିକା ଅଜୟ ଥଳୀରେ ପକେଇ ଦେଲା । ପାଖରେ ବସିଥିବା ମାଛବାଲୀ ଏହାକୁ ଲକ୍ଷ୍ୟ କଲା । ମୁରୁକେଇ ହସିଲା । ନାନିକାକୁ କଷିକରି ପୁଳାଏ ଚୁମୁଟି ଦେଲା । ‘ନାନୁ, ଚୋଖା ଗରାଖ ପାଇଛୁ ତ ? ତୋର ଭାଗ୍ୟ ।’ ‘‘ନାହିଁ ମ ନାନୀ, ସେ କିଛି ନୁହେଁ । ବାବୁଟି ଭାରି ଭଲ ଲୋକ ।’’ ‘‘ସେଇଆ ତ ଦେଖୁଛି । ହେଲେ ମାଛ କିଣୁ କିଣୁ କାଚ ମୁଲେଇବନି ତ ?’’ ନାନିକା ହସିଲା । ଅଜୟ ବି ଶୁଣିଲା, ମନେ ମନେ ହସିଲା ।

 

ବସାକୁ ଫେରି ଦାଣ୍ଡ ଦୁଆରେ ବାପାଙ୍କୁ ଦେଖି ଅଜୟ ଛାତି ଚାଉଁକିନା ହୋଇଗଲା । ଘର ଭିତରେ ରମା, ମାନେ ତା’ର ସ୍ତ୍ରୀ । ଅଜୟକୁ ନିବିଡ଼ ଆଶ୍ଳେଷରେ ଭିଡ଼ି ଧରିଲା । ଅଜୟଠାରେ ବୋଧହୁଏ ଯଥେଷ୍ଟ ଉଷ୍ମତାର ଅଭାବ ଦେଖି ପଚାରିଲା ‘‘କ’ଣ ଦେହ ଭଲ ନାହିଁ କି-?’’ ନିଜର ମନୋଭାବକୁ ଲୁଚାଇ ଅଜୟ କହିଲା ‘‘କାଲିଠାରୁ ଟିକିଏ ଜର ଜର ଲାଗୁଛି । ମୁଣ୍ଡ ବିନ୍ଧୁଛି ।’’ ‘‘ଆସିଲ, ଆସିଲ, ମୁଣ୍ଡ ଟିକିଏ ଚିପି ଦିଏ । ନହେଲେ ତ ଏଇନେ ତମ ହାତ ବୋଇଲେ ଗୋଡ଼ କଥା କହୁଥାନ୍ତା ।’’ ରମା ହସିଲା । ‘‘ତମ ଚିଠି ପାଇ ବାପା ବହୁତ ବ୍ୟସ୍ତ ହେଲେ । ଆମେ କେବେଠାରୁ ଆସନ୍ତୁଣି । ମୁଁ ପରା ବାପଘର ଯାଇଥିଲି । ଗିଲାସେ ପାଣି ଗଡ଼ାଇ ଆଣି ପିଇବାକୁ ଯାହାକୁ କଷ୍ଟ ଲାଗେ ସେ ପୁଣି ହାତରେ ରୋଷେଇ କରୁଛନ୍ତି ! ତମକୁ ରୋଷେଇ କରି ଆସୁଛି ?’’ ‘‘ସେମିତି ଅଲଣା, ଦରସିଝା କରି ଚଳିଯାଉଛି । ଯାହାହେଉ, ତମେ ଆସିଲଣି । ମୋର ଆଉ ଚିନ୍ତା ନାହିଁ ।’’ ମାତ୍ର ମନରେ ବହୁତ ଅନୁତାପ, ବାପାଙ୍କ ପାଖକୁ କାହିଁକି ଚିଠି ଲେଖିଲି ? ମତେ କି ଦୁର୍ବୁଦ୍ଧି ଘୋଟିଲା ?

 

ଅଜୟ ଦେଖୁଛି, ରମା ସକାଳେ ଯାହା ତା’ଠାରୁ ମାଛ କିଣି ଦେଉଛି । ନାନିକାକୁ ଅପେକ୍ଷା କରୁନି । ସେ ବା କଅଣ ଜାଣେ ? ଅଜୟକୁ କୁଟା ଖଣ୍ଡ ଦି’ ଖଣ୍ଡ କରେଇ ଦେଉନି । ସବୁ କାମ ନିଜେ କରୁଛି । ନାନିକା ଅଜୟ ଘରଆଡ଼େ ଆଡ଼େଇ ଚାହିଁଚାହିଁ ଚାଲିଯାଉଛି । ଅଜୟର ଛାତି ଭିତରେ କଅଣ ହୋଇଯାଉଛି । ମାତ୍ର ମୁଖ ଫିଟୁନି । କିଛି ଦିନ ଅଫିସ କାମରେ ମଫସଲ ଗଲା । ତା’ପରେ ନାନିକାକୁ ଆଉ ଦେଖୁନାହିଁ । ଏଣେ ପତିବ୍ରତା ଧର୍ମପତ୍ନୀ ସେବା ଯତ୍ନରେ ଅଜୟ ବାନ୍ଧି ହୋଇଯାଉଛି ।

 

ଅନେକ ଦିନ ପରେ ନାନିକାର ସାଙ୍ଗ ବନୀକୁ ଅଜୟ ଡାକିଲା ‘‘ହେ ବନୀ, ମାଛ ଦେଲୁ-।’’ ‘‘ଉଁ ହୁଁ, ଏ ମାଛ କ’ଣ ମିଠା ଲାଗିବ ବାବୁ ?’’ ‘‘କାହିଁକି ? ଏ କ’ଣ ନାନିକାର ମାଛ ହୋଇଛି-?’’ ବନୀ ହସିଲା । ଅଜୟ ଛାନିଆ ହୋଇଗଲା, ଚାରିଆଡ଼କୁ କନ କନ ହୋଇ ଚାହିଁଲା । କିଏ ଶୁଣିଲା କି ? ରମା ବାଥ୍‌ରୁମରେ । ତୁନି ତୁନି ବନୀକୁ ଡାକି ନାନିକା କଥା ପଚାରିଲା । ‘‘ବାବୁ, ନାନିକା ବିଭାହୋଇ ଗଲାଣି । ଆର ସାହିର ସଇତାକୁ ବିଭା ହେଲା । ବିଭା ବାସୀ ତା’ ମାମୁ ମରିଗଲା, ସଇତାଟା ଭଲ ପିଲା ଥିଲା । ଏବେ ବହୁତ ମଦ ପିଉଛି । ନାନିକାକୁ..... ।’’ ରମା କଥାରେ ଅଜୟର ହୋସ୍‌ ହେଲା । କହିଲା, ଭଲ ମାଛ ହୋଇଛି । ରାତିକୁ ରଖିଦିଅ ।

 

ଅପ୍ରତ୍ୟାଶିତ ଭାବରେ ଅଜୟ ଦିନେ ଦେଖିଲା, ନାନିକା ଟ୍ରକ୍‌ ଡଲାରେ ଅନ୍ୟ କେତେକଙ୍କ ସହିତ ବସି ଚାଲିଯାଉଛି, ପୂର୍ବ ଚେହେରା ଆଉ ନାହିଁ । ମୁହଁଟି ମଳିନ । ଅଜୟକୁ ଦେଖି ମୁହଁ ପୋତି ଦେଲା । କିଛିଦିନ ପରେ ଅଫିସ୍‌ ଫେରନ୍ତି ରମା ପଚାରିଲା ‘‘ହଇଓ, ନାନିକା କିଏ ମ ?’’ ଅଜୟ ପ୍ରଥମେ ହଡ଼ବଡ଼େଇ ଗଲା, ‘‘ନାନିକା ? କୋଉ ନାନିକା ? ଓ, ହଁ, ସେ ବୋଧେ ଗୋଟେ ମାଚବାଲୀ ।’’ ମାଛବାଲୀ ତ, ଆଉ ‘ବୋଧେ’ କଅଣ ମ ? ରମା ହସି ହସି କହିଲା । ‘‘ସେ ଆଜି ଆସି ତମକୁ ଖୋଜୁଥିଲା । ତା’ର ସ୍ୱାମୀ ସଙ୍ଗେ କଳି ଲାଗିଛି ଯେ ତମେ ମଧ୍ୟସ୍ଥି ହୋଇ ତୁଟାଇ ଦେବ । ଛୁଟିଦିନ ଦେଖି ଆସିବାକୁ କହି ଯାଇଛି । ସେ କୁଆଡ଼େ ସବୁଦିନ ଏଠି ମାଛ ଦିଏ । ତମର ସେ ମାଛ ନାଗୁଆ ।’’ ଆଉ ତମେ କହୁଛ–‘‘ବୋଧେ ?’’ ରମା ଖିଲି ଖିଲି ହୋଇ ହସିଲା । ଅଜୟ ଟିକିଏ ଲଜ୍ଜିତ ହେଲା । କିଛି କହିଲା ନାହିଁ ।

 

ରବିବାର ଅପରାହ୍ନ । ଅଜୟକୁ ଛାଇନିଦ ଲାଗିଛି, ଦାଣ୍ଡରେ ଶୁଭିଲା ‘‘.....ଗୋଡ଼ରୁ ବିଭା ଅଳତା ଲିଭିନି, ମାଟି ବୋଝ ମୁଣ୍ଡେଇଲି ।’’ ଭାରି ଯୋଗା ମରଦଟା ତୁରେ ! ମତେ ବହୁତ ସୁଖ ଦେଲୁ ! ଏବେ ଛାଡ଼ପତ୍ର ଦେ । ମୁଁ ତୋ ପାଖରେ ଆଉ ଜମା ରହିବିନି । ଅଜୟ ବାହାରକୁ ଆସି ଦେଖିଲା, ନାନିକା ସୁଁ ସୁଁ ହୋଇ କାନ୍ଦୁଛି । କିଛି ଦୂରରେ ଯୁଆନ୍‌ ଟେକାଟାଏ ତଳକୁ ମୁହଁ ପୋତି ବସିଛି । ସେଇ ବୋଧହୁଏ ସଇତା, ନାନିକାର ସ୍ୱାମୀ । ବାକି ସାହିର ଆଉ ଦୁଇଜଣ । ଅଜୟକୁ ଦେଖି ନାନିକାର କୋହ ବଢ଼ିଗଲା । କାନ୍ଦି କାନ୍ଦି ସେ ବହୁତ ବକିଗଲା । ଅଜୟ ଆଶ୍ଚର୍ଯ୍ୟ ହେଲା, ସ୍ୱଳ୍ପଭାଷିଣୀ, ଲଜ୍ଜ୍ୟାବନତା ନାନିକା ଏପରି ବାବଦୁକା ହେଲା କିପରି ? ତା’ର କହିବାର ସାରାଂଶ ହେଲା–ସଇତା ବହୁତ ମଦ ପିଉଛି । ପ୍ରତିଦିନ ତାକୁ ଦୁଇଟଙ୍କା ମାଗୁଛି, ନହେଲେ ମାରୁଛି । ତାରି କଥାରେ ବେଶି ମଜୁରୀ ପାଇଁ ସେ ଟ୍ରକରେ ଗଲା । କିନ୍ତୁ ଡ୍ରାଇଭର ଦିନେ ତା’ର ଇଜ୍ଜତ ନେବାକୁ ବସିବାରୁ ସେଦିନୁ ଆଉ ଗଲା ନାହିଁ । ସଇତା କହୁଛି ଫେର୍‌ ତାରି ଟ୍ରକରେ ଯାଆ-। ନ ଗଲେ ମାରିବ । ସେ ଆଉ କଦାପି ତା’ ଟ୍ରକରେ ଯିବନି କି ସଇତା ପାଖରେ ରହିବନି । ଦିହ ମେହନତ୍‌ କଲେ ସେ ନିଜେ ତିନିଟା ମରଦ ପୋଷିବ.....ଇତ୍ୟାଦି ।

 

ଅଜୟ ପଚାରିଲା, କିରେ ସଇତା, ନିଜ ଭାରିଜାକୁ ମାଡ଼ ମାରୁଛୁ, ତୋତେ ଲଜ୍ଜ୍ୟା ଲାଗୁନାହିଁ ? ସଇତା ସେମିତି ତଳକୁ ମୁହଁ ପୋତି କହିଲା ‘‘ଏଇ ଥରକ ଶୁଣିଲ ବାବୁ, ଆଉ କେବେ ଶୁଣିବନି । ଆ, ନାନିକା ଯିବା ।’’ ଏହା କହି ତା’ ହାତ ଧରିଲା । ଅଜୟ ନାନିକାକୁ ବୁଝାଇ ସୁଝାଇ ବିଦା କରିଦେଲା ।

 

କେତେ ମାସ ପରେ ଅଜୟ ନଈ କୂଳକୁ ବୁଲି ଯାଇଛି । ଦେଖିଲା, ସଇତା ଓ ଅନ୍ୟମାନେ ଗୋଟିଏ ଶବ ଦାହ କରୁଛନ୍ତି । ଅଜୟ ପଚାରିଲା, ‘‘ସଇତା, ତମ ସାହିରୁ କିଏ ଗଲା କିରେ ?’’ ‘‘ନାନିକାଟା ମରିଗଲା ବାବୁ ।’’ ଅଜୟ ଛାତିରେ ହଠାତ୍‌ ଯେପରି ଗୋଟାଏ ଗୁଳି ବାଜିଲା ! ପାଦ ତଳେ ଭୂମିକମ୍ପ ହେଲା ! ସେ ଯେମିତି କଚାଡ଼ି ହୋଇ ପଡ଼ିଯିବ ! ଇଚ୍ଛା ହେଲା, ସଇତାର ବେକକୁ ମୋଡ଼ି ସେହି ନିଆଁରେ ପକାଇ ଦେବ କି ? ଟଳି ଟଳି ବସାକୁ ଫେରିଲା । ରମାକୁ ଛାତିରେ ଜାବୁଡ଼ି ଧରି କହିଲା ‘‘ରମା, ଆମେ ଆଉ ଏଠି ରହିବାନି, ବଦଳି ହୋଇ ଚାଲିଯିବା ।’’

Image

 

ପ୍ରଭାତୀ ତାରା

 

ଯିବ କି ନ ଯିବ, ଆଗ, ପଛ ଅନେକ ଭାବି ବେନୁ ପ୍ରଧାନ ଶେଷକୁ ଦାଦନ ଗଲା, ଗଲା ଯେ ଗଲା–ଆଉ ଫେରିଲା ନାହିଁ । ଘରେ ଆସନ୍ନପ୍ରସବା ଯୁବତୀ ସ୍ତ୍ରୀର ଅଶ୍ରୁଳ ମୁଖକୁ ଚାହିଁ ଭବିଷ୍ୟତ ଲାଗି କେତେ ସ୍ୱପ୍ନ, କେତେ ଆଶା ଭରସା ଦେଇ ଯାଇଥିଲା । ସେସବୁ ସ୍ୱପ୍ନରେ ରହିଗଲା । ବାର ବର୍ଷ ତଳର କଥା, ମାତ୍ର କାଲିପରି ଲାଗୁଛି । ବିଭା ହୋଇ ଆସିଲା ବେଳେ ଶୋଭାକୁ ମାତ୍ର ପନ୍ଦର ବର୍ଷ । ପିଲାଟା, ଆଉ କେତେ ବର୍ଷ ଯାଇଥିଲେ କିଛି ବଳେଇ ଯାଇନଥାନ୍ତା-। ମାତ୍ର ବାପ, ମା’, କନ୍ୟାଦାୟରୁ ମୁକ୍ତ ହେବା ପାଇଁ ପଚିଶ ବର୍ଷର ଜୁଆନ ଭେଣ୍ଡା ବେନୁ ହାତରେ ତାକୁ ଛନ୍ଦି ଦେଇଥିଲେ । ଗୋଟିଏ ବର୍ଷ ଅତି ଆନନ୍ଦରେ କଟିଥିଲା ।

 

ତା’ପରେ ହଠାତ୍‌ ଦିନେ ଗୋପପୁରକୁ ଅକ୍ରୁର ଆସିଲା ପରି ଗାଁରେ ଜଣେ ଲୋକର ଆବିର୍ଭାବ ହେଲା । ସେ କେଉଁ କଣ୍ଟ୍ରାକ୍ଟରର ଏଜେଣ୍ଟ । ଜଣ ପିଛା ଦୁଇ ତିନି ଶହ ଟଙ୍କା ଆଗୁଆ ଦେଇ ଅନାଗତ ଭବିଷ୍ୟତର ରଙ୍ଗୀନ ଚିତ୍ର ଦେଖାଇ ଲୋକ ସଂଗ୍ରହ କଲା । ବେନୁର ଚେହେରା ଦେଖି ଏକାବେଳକେ ପୂରା ପାଞ୍ଚଶହ ହାଙ୍କି ଦେଇଥିଲା । ବେନୁ ବିଚରା ତା’ ପାଲରେ ପଡ଼ିଗଲା । ମାତ୍ର କାନ୍ଦି କାନ୍ଦି ଶୋଭାର ମୁହଁ ଫୁଲି ଯାଇଥିଲା । ପାଞ୍ଚଖଣ୍ଡ ଶହେଟଙ୍କିଆ ନୋଟକୁ ବେନୁ ଆଡ଼କୁ ଫିଙ୍ଗିଦେଇ କେତେ ନେହୁରା ହୋଇଥିଲା, କେତେ ବାରଣ କରିଥିଲା, କେତେ କାନ୍ଦିଥିଲା, ଅଭିମାନ କରିଥିଲା । ତା’ ଅନ୍ତର ଭିତରୁ ସତେ ଯେମିତି କିଏ କହି ଉଠୁଥିଲା, ବେନୁ ଆଉ ଫେରିବ ନାହିଁ । ମାତ୍ର ସବୁ ବୃଥା ହୋଇଗଲା । ଅର୍ଥର ରାକ୍ଷସୀ ମାୟା ବେନୁକୁ ଟାଣି ନେଇଥିଲା କେଉଁ ଦୂର ଦୂରାନ୍ତକୁ ।

 

ଯିବାର ତିନି ବର୍ଷ ପର୍ଯ୍ୟନ୍ତ ବେନୁ ଚିଠି ଦେଉଥିଲା । ଟଙ୍କା ମଧ୍ୟ ପଠାଉଥିଲା । ତା’ପରେ ସବୁ ବନ୍ଦ । ତା’ ସଙ୍ଗେ ଦାଦନ ଯାଇଥିବା ଲୋକ ସବୁ କିଏ କେମିତି ଫେରିଲେ । କିଏ କହିଲା, ବେନୁଆ ଅନ୍ୟ ସ୍ତ୍ରୀଲୋକ ସହିତ ରହିଗଲାଣି । ସେ ଆଉ ଫେରିବ ନାହିଁ । ଆଉ କିଏ କହିଲା ସେ ଆଉରି ବହୁତ ଦୂରକୁ ଚାଲିଯାଇଛି । ପୁଣି କିଏ କହେ, ବେନୁଆ ରୋଗ ଭୋଗି ଭୋଗି ସଂସାରରୁ ବିଦାୟ ନେଇଯାଇଛି । ଛାତିକୁ ପଥର କରି ଶୋଭା ସବୁ ଶୁଣେ । ପୁଅଟିର ମୁହଁକୁ ଚାହିଁ ଦୁଃଖ ଧନ୍ଦାକରି ସଂସାର ଚଳାଇ ନିଏ ।

 

ଦେହରେ ଯୌବନ ଖୁନ୍ଦିହୋଇ ରହିଛି । ଚତୁର୍ଦ୍ଦିଗରେ ଭୋକିଲା ଆଖି ପଣ ପଣ । ରକ୍ଷକ ବୋଲି କେହି ନାହିଁ । ସ୍ୱଜାତିର ଅନେକ ଯୁବକ ଆଗେଇ ଆସିଛନ୍ତି, ହାତ ବଢ଼ାଇ ଅଛନ୍ତି । ପୁଣି ଅଳତାସୁନ୍ଦର କରି ଆଦରରେ ଘରକୁ ନେଇଯିବେ ବୋଲି । ସରପଞ୍ଚ ବାବୁ ଖବର ଦେଇଛନ୍ତି, ଶୋଭା ଆସି ଆମ କଳଘରେ ରହୁ । ଘରବାଡ଼ି ଦେଖା ଚାହାଁ କରୁ । ଖାଇପିଇ ତିରିଶି ଟଙ୍କା ଦରମା । ବିପତ୍ନୀକ ମହାପାତ୍ରେ ମୁରୁକି ହସି ପ୍ରସ୍ତାବ କରିବସନ୍ତି, ଶୋଭା ଲୋ, ଭଙ୍ଗା କୁଡ଼ିଆଟିରେ ଆଉ କେତେଦିନ ପଡ଼ିରହିଥିବୁ ? ଆମ ଘରେ ଆସି ରହ । ମା’ ଛେଉଣ୍ଡ ଛୋଟ ଛୁଆ ଦୁଇଟାଙ୍କୁ ଟିକିଏ ଆଦରି ନେ । ତୋର ନାଁରେ ଦି’ମାଣ ଜମି ଲେଖିଦେବି । ମନୁଆକୁ ଇସ୍କୁଲରେ ପାଠ ପଢ଼ାଇବି । ମୋର ଆଉ କିଏ ଅଛି ?

 

ଶୋଭାର ମନ କ୍ଷଣକପାଇଁ କୁରୁଳି ଉଠେ । ମନୁଆ ପାଠପଢ଼ିବ । ହାକିମ ହେବ । ତାରି ପୁଅ ମନୁଆ । ଭଲ ସୁନା ନାଖି କନିଆଁଟିଏ ଦେଖି ତାକୁ ବିଭା କରିବ । ତା’ପରେ ତା’ କାମ ଶେଷ । ଓହୋ, କାହିଁ କେତେ ଦୂର ପଥ, ଆଖି ପାଉନାହିଁ । ବାପ ତ ତା’ର ସେମିତି କେତେ ମନ ଚହଲା ଚକଚକିଆ କଥା କହି ଅଧା ବାଟରେ ବସାଇ ଦେଇଗଲା । ପୁଣି ଆଉ ସେ ଆଶ ରାକ୍ଷସୀ ପଛରେ ଧାଇଁବ କାହିଁକି ? ତା’ର ତ କପାଳ ମନ୍ଦ, ଭଲ ଖୋଜିଲେ କାହୁଁ ମିଳିବ ? ବେନୁର ଚଉଡ଼ା ଛାତି, ଦୃଢ଼ ବାହୁବନ୍ଧନ ମନେପଡ଼ି ଶୋଭାର ଦେହ କ୍ଷଣକ ପାଇଁ ଉଲ୍ଲସି ଉଠେ । ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ ସେ ମୁଣ୍ଡରେ ଲଗାଏ । ହେ ପ୍ରଭୁ, ସତେ ଯଦି ତମେ ଅଛ, ସେ ଯେଉଁଠି ଥାଆନ୍ତୁ ଭଲରେ ତାଙ୍କୁ ରଖିଥାଅ ।

 

ବହୁ କଷ୍ଟରେ ଶୋଭା ମନୁଆର ନାଁକୁ ସ୍କୁଲରେ ଲେଖାଇଲା । ହେଲେ ଚାନ୍ଦା, ଭେଦା ଦେଇ ନ ପାରିବାରୁ ନାଁ କଟି ଗଲା । ମନୁଆ ଏବେ ଗାଈ ଜଗୁଛି । ପିଲାଲୋକ, କ’ଣ ସେ ବୁଝେ-? ପାଠ ପଢ଼ାରୁ ମୁକ୍ତି ପାଇ ତା’ ମନ ଖୁସି । ଦିନେ ଦିନେ ଗାଈ ଛାଡ଼ିଦେଇ ସାଙ୍ଗ ପିଲାଙ୍କ ସହିତ ତୋଟାରେ ଡାଳମାଙ୍କୁଡ଼ି ଖେଳେ । ଦିନେ ଦୁର୍ଯ୍ୟୋଗକୁ ମନୁଆର ଗାଈ ମହାପାତ୍ରଙ୍କ ଖଳାରେ ପଶିଲା । ଶୋଭା ଶୁଣିଲା, ମହାପାତ୍ର ତାକୁ ମାଡ଼ ମାରି ପୁଣି ‘ବାବୁ’ଙ୍କ ପାଖକୁ ଧରିନେଇଛନ୍ତି । ଶୋଭାକୁ ଚାରିଆଡ଼ ଅନ୍ଧାର ଦିଶିଲା । ବିଚାରୀ ଭୋକ ଓପାସରେ କାନ୍ଦି ବୋବାଇ ପାଗଳୀ ପରି ଧାଇଁଲା । କାହାକୁ ପଚାରିବ ମନୁଆ କଥା ? ଯାହାହେଉ ଗାଁର ଜଣେ ପରିଚିତ ଲୋକକୁ ସେଠାରେ ଦେଖି ତା’ର ଟିକିଏ ସାହାସ ହେଲା । ପଚାରିଲା ‘‘ମଉସା, ମୋ ମନୁଆ କାହିଁ ?’’ ‘‘ହଁ ହଁ ମନୁଆ ଅଛି, ତୁ ସେହି ଘରେ ବସିଥା କି ମୁଁ ମନୁଆକୁ ଡାକୁଛି ।’’

 

ବସି ବସି ସନ୍ଧ୍ୟା ହେଲା । ମନୁଆ ଆସିଲା ନାହିଁ କି ସେ ଲୋକର ଦେଖା ନାହିଁ । ଚାରିଆଡ଼ ମାଡ଼ି ମାଡ଼ି ପଡ଼ୁଛି । ଶୋଭା କେବଳ ବାହାରୁ ଘର, ଘରୁ ବାହାର ହୋଇ ଅସ୍ଥିର ହେଲାଣି । କ୍ଷୁଧା ତୃଷାରେ ତଣ୍ଟି ପାଟି ଶୁଖି ଗଲାଣି । କେତେ ବେଳକୁ ସେହି ଲୋକ ଆସିଲା, କହିଲା, ଆଲୋ ଝିଅ, ସଞ୍ଜତ ହେଲାଣି ଆଜି ଆଉ ଯିବୁ କେମିତି ? ରାତିରେ ଏହିଠି ରହିଯାଆକି ବଡ଼ି ସକାଳୁ ମନୁଆକୁ ନେଇ ଚାଲିଯିବୁ । ଆଜି ବାବୁ ମନୁଆକୁ ଛାଡ଼ିବାକୁ ମନା କଲେ । ଚାରିଆଡ଼କୁ ଚାହିଁ ତୁନି ତୁନି କହିଲା, ବାବୁ ନିଜେ ଆସିବେ ଯେ । ଶୋଭା ନିରୁତ୍ତର । ଆଁ କରି ଚାହିଁ ରହିଛି ।

 

ସେ ଲୋକ ଚାଲିଯିବା ପରେ ତା’ର ହୋସ୍‌ ଆସିଲା । କର୍ମକୁ ଆଦରି ବସି ରହିଲା । ଯାହା ଭାଗ୍ୟରେ ଥିବ । ମରିଯିବ ପଛେ ମନୁଆକୁ ନ ନେଇ ଯିବ ନାହିଁ । କିଛି ସମୟ ପରେ କେହି ଜଣେ ଆସି ଖାଇବାକୁ ଦେଇଗଲା । ଶୋଭା ଦେଖିଲା, ଉତ୍ତମ ଆହାର, ମାତ୍ର ମନୁଆକୁ ଯେ ଏତେ ବେଳ ଯାଏ ଦେଖି ନାହିଁ । ତାକୁ ତ ଭୋକ ଲାଗିବଣି । ଏଡ଼େ ପିଲାଟାଏ ହେଲାଣି, ମନକୁ ଖାଇବାକୁ କେବେହେଲେ କହିବ ନାହିଁ । ବାୟାଣୀ ପରି ମନକୁ ମନ ଡାକିଲା ‘‘ମନୁଆ, ମନୁଆରେ-? ହେ ମନୁଆ ?’’ କେବଳ ଅସ୍ପଷ୍ଟ ପ୍ରତିଧ୍ୱନି ଛଡ଼ା ଆଉ କିଛି ଶୁଣାଗଲା ନାହିଁ । ଶୋଭା କ’ଣ ଟିକିଏ ପାଟିରେ ମାରିଲା କି ନାହିଁ ଏକା ନିଶ୍ୱାସକେ ଲୋଟାକ ଯାକ ପାଣି ପିଇଦେଇ କାନିପାରି ସେଠି ପଡ଼ିଗଲା । ରକ୍ତ ମାଂସର ଶରୀର । ଏତେ ଦୁଃଖରେ ମଧ୍ୟ ତାକୁ ଛାଇ ନିଦ ଲାଗିଆସିଲା-

 

ତା’ପରେ ଯାହା ଘଟିଲା ତାକୁ ଭାଷାରେ ପ୍ରକାଶ କରିବା କଷ୍ଟ । ବିଚାରୀ ଉପରେ ଆକାଶ ଛିଡ଼ି ପଡ଼ିଲା । ଏପରି ସ୍ଥାନରେ ଏପରି ଘଟିବ ବୋଲି ତା’ର କଳ୍ପନାରେ ନ ଥିଲା । ଅସହାୟା ଅଭାଗିନୀ ନାରୀ ନିଷ୍ଠୁର ନିୟତି ହାତରେ କ୍ରୀଡ଼ନକ ହୋଇ ସେହି ରାତିକ ଭିତରେ ତା’ର ସର୍ବସ୍ୱ ହରାଇ ବସିଲା । ସମସ୍ତ ପ୍ରତିରୋଧ, ଅନୁନୟ ବିନୟ କାକୁତି ମିନତି, ତା’ର ବୃଥା ହୋଇଗଲା । ଇଚ୍ଛା ହେଉଥିଲା, ସୂର୍ଯ୍ୟୋଦୟ ପୂର୍ବରୁ ସେ ତା’ର ଜୀବନ ଦୀପକୁ ଲିଭାଇ ଦେବ । ଏ କଳୁଷିତ ଶରୀରକୁ ନେଇ ବଞ୍ଚିରହିବା ହୁଏତ ଅସମ୍ଭବ । କିନ୍ତୁ ଏକମାତ୍ର ମନୁଆର ବନ୍ଧନ ତାକୁ ପଛକୁ ଟାଣିଲା ।

 

ସବୁଦିନ ପରି ସକାଳ ହେଲା । କାଉ କୋଇଲି କୁମ୍ଭାଟୁଆ ରାବିଲେ । ସୁଲୁସୁଲିଆ ପବନ ବହିଲା, ଲୋକେ ଯେଝା କାମକୁ ଚାଲିଲେ । ବାହାରେ ସବୁ ଗତାନୁଗତିକ, ବୈଚିତ୍ର୍ୟହୀନ ମାତ୍ର ଗୋଟାଏ ରାତି ଭିତରେ ଏକା ତାହାରି ଜୀବନରେ ହୋଇଯାଇଛି ବିରାଟ ପରିବର୍ତ୍ତନ । ନାରୀର ସର୍ବସ୍ୱ ହରାଇ ସେ ହୋଇଛି ସମ୍ପୂର୍ଣ୍ଣ ନିସ୍ୱ ।

 

କେବଳ ସେତିକି ନୁହେଁ, ଯେଉଁ କଳଙ୍କର ପସରା ନିୟତି ତା’ର ନିଃସହାୟ ମସ୍ତକରେ ଲଦିଦେଲା, ତାକୁ ବହନ କରି ସେ ଦୁନିଆଁ ଦାଣ୍ଡରେ ଚାଲିପାରିବ ତ ? ଯେଉଁ ହଳାହଳ ବିଷ ତା’ର ନିରୀହ ନିର୍ଦ୍ଦୋଷ ଶରୀରରେ ସଞ୍ଚାର କରିଦିଆଗଲା, ତା’ର ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲେ ସେ ଆଉ ସଂସାରରେ ପ୍ରାଣ ଧରି ତିଷ୍ଠି ପାରିବ ତ ? ଶୋଭାକୁ ଲାଗିଲା ସେ ଯେପରି ବାୟାଣୀ ହୋଇଯିବ । ଗତ ରାତ୍ରିର ଭୟାବହ ସ୍ମୃତି ତା’ର ମସ୍ତିଷ୍କକୁ ସତେ ଯେପରି ବିଦୀର୍ଣ୍ଣ କରିଦେବ । ବାଟରେ ଚାଲୁ ଚାଲୁ ମନୁଆକୁ ଛାତିରେ ଭିଡ଼ି କରି ଭୋ ଭୋ ହୋଇ କାନ୍ଦି ଉଠିଲା । ପିଲାଲୋକ ବିଚରା କିଛି ବୁଝୁନାହିଁ । କେବଳ ମାଆ ମୁହଁକୁ ବଲବଲ କରି ଚାହିଁଲା ।

 

ବାଟ ସରିଲା । ମାଆ ପୁଅ ଦୁହେଁ ଗାଁରେ ପହଞ୍ଚିଲେ । ଶୋଭାକୁ ଲକ୍ଷ୍ୟକରି କେତେ ଆଡ଼ଚାହାଣୀ, କେତେ ବ୍ୟଙ୍ଗ ବିଦ୍ରୂପ, ଟାହିଟାପରା, ଫିସ୍‌ଫିସ୍‌ କଥା, ବେଶ୍‌ କିଛି ଦିନ ଧରି ଗାଁରେ ଚାଲିଲା । କ୍ରମେ ସେସବୁ ଦେହସହା ହୋଇଗଲା । ମାତ୍ର ଯେଉଁଦିନ ସେ ନିଶ୍ଚିତଭାବେ ଜାଣିଲା ଯେ, ତା’ର ଶରୀରରେ ଅଙ୍କୁରୋଦ୍‌ଗମ ହୋଇଛି ସେଦିନ ସେ ଆତଙ୍କରେ ଶିହରି ଉଠିଥିଲା । ଆଖି ଆଗରେ ଅନ୍ଧକାର ଜମାଟ ବାନ୍ଧିଲା । ସଂସାର ପ୍ରତି, ଜୀବନ ପ୍ରତି ମମତା ତୁଟି ଗଲା । କୌଣସି କାର୍ଯ୍ୟରେ ଆଉ ମନ ଲାଗିଲା ନାହିଁ । ଏକମାତ୍ର ଚିନ୍ତା, କିପରି କେଉଁ କୌଶଳରେ ସଂସାରରୁ ବିଦାୟ ନେବ । ଏ କଳଙ୍କମୟ ଜୀବନ ଧରି ଏ ନିର୍ମମ ସମାଜରେ ଆତଯାତ ହେବା ଆଉ କି ସମ୍ଭବ ?

 

ଶୋଭା ବହୁ ସତର୍କତାର ସହିତ ନିଜ ଶରୀରକୁ ଆଚ୍ଛାଦିତ କରେ । ଯେତେଦୂର ସମ୍ଭବ ଲୋକ ଚକ୍ଷୁର ଅନ୍ତରାଳରେ ନିଜକୁ ରଖେ । ପାପ ପରିପାକ ହେବା ପୂର୍ବରୁ ସେ ଅବଶ୍ୟ ସଂସାରରୁ ବିଦାୟ ନେବ । ଆହା, ତା’ର ପ୍ରାଣର ମନୁଆ ନୟନ ପିତୁଳା ଯାହାରି ଲାଗି ଏତେ ଅବସ୍ଥା–ତା’ର କ’ଣ ହେବ ? ତାକୁ କିଏ ରଖିବ ? କାହିଁକି, ଯିଏ ଦିନ ରାତି କରୁଛି, ତାକୁ ସେହି ରଖୁ । ସେହି ତା’ର ଦାୟିତ୍ୱ ନେଉ । ଶୋଭାର ମନ କଠିନ ହୋଇଆସେ । ପିଲା ଦିନର କଥା ମନେପଡ଼େ । ସାଙ୍ଗସାଥି ମେଳରେ କି ଆନନ୍ଦରେ ପିଲା ଦିନଟି କଟିଥିଲା । ପାପକୁ ସେ କେବେହେଲେ ଗୋଡ଼ ବଢ଼ାଇ ନାହିଁ କି ପାପ ଚିନ୍ତାକୁ ମନରେ ସ୍ଥାନ ଦେଇ ନାହିଁ । ତେବେ କାହିଁକି ତା’ର ଏ ନିଷ୍ପାପ ଜୀବନର ଏପରି ଶୋଚନୀୟ ନିଦାରୁଣ ପରିଣତି ହେଲା ? କିଏ ଏହାର ଉତ୍ତର ଦେବ ?

 

ଶୋଭା ସ୍ୱପ୍ନ ଦେଖେ । ଗୋଟେ ବିରାଟ ଭୟଙ୍କର ରାକ୍ଷସ ଜିହ୍ୱା ଲହ ଲହ କରି ଧାଇଁ ଆସୁଛି, ତା’ ତଣ୍ଟି ଚିପି ରକ୍ତ ପିଇଯିବ । ପିଇଯାଉ, ତା’ର ଜୀବନ ପ୍ରତି ଆଉ କି ଲୋଭ ଅଛି ? ସେ ନିଶ୍ଚଳ ହୋଇ ଠିଆ ହୋଇ ରହେ । ନିରେଖି କରି ଚାହେଁ । ଓହୋ, ଏ ଯେ ବେନୁଆ, ତା’ର ସ୍ୱାମୀ । ବେନୁଆ ବଡ଼ ହତଶ୍ରୀ ଦିଶୁଛି । ପୂର୍ବର ଚେହେରା ଆଉ ନାହିଁ । ମୁହଁରେ ଦାଢ଼ି ବଢ଼ି ଯାଇଛି-। ପାଖକୁ ଆସି ଦାନ୍ତ କଡ଼ମଡ଼ କରି କହିଲା, ବଜାତ ଦୋଚାରୀ ମାଇକିନିଆ, ତୋ ପେଟ ଚିରି ଦିଫାଳ କରି ଦେବି । ସେ ଛୁଆ ତଣ୍ଟି ଚିପି ଦେବି । ଦୁଃଖ, କ୍ରୋଧ, ଅଭିମାନରେ ଶୋଭା ବି ଗର୍ଜି ଉଠେ । ତମେ ପରା ମୋ ହାତ ଧରି ବିଭା ହୋଇଥିଲ ? କେଉଁଠି ଥିଲ ଆଜିଯାକେ ? କାହା ପାଖରେ ମୋତେ ଛାଡ଼ି ଯାଇଥିଲ ? ଏ ସଢ଼ା ପଚା ଦେହକୁ କାଉ, କୁକୁର, ଶାଗୁଣା ମୁହଁରୁ ଆଉ କିଏ ରକ୍ଷା କରିଥାନ୍ତା ? ତମରି ପ୍ରାଣକୁ ମୋ ଦେହରେ ସଞ୍ଚାରି ଯାଇଥିଲ । ସେହି ପ୍ରାଣକୁ, ସେହି ପ୍ରାଣର ମନୁଆକୁ ରକ୍ଷା କରିବାକୁ ଯାଇ ଏ ଦେହ ବରବାଦୀ ହୋଇଗଲା । ଏହାର ରକ୍ଷକ ତ କେହି ନ ଥିଲେ । ଅସହାୟା ଶକ୍ତିହୀନା ନାରୀ ମୁଁ । ମୋର ଆଉ କି ଉପାୟ ଥିଲା ? ବାପ ନ ଥିଲା ପିଲା, ଗିରସ୍ତ ନ ଥିଲା ତିର୍ଲାର ସାହାଭରସା ଆଉ କିଏ ହୁଅନ୍ତା ? ମୋତେ ଯାହା ମରଣ ନ ହେଲା । ମୁଁ ହତଭାଗୀ କାହିଁକି ବଞ୍ଚି ରହିଲି ? ଏହା କହି ବେନୁଆର ଗୋଡ଼ତଳେ ଢୁ କରି ମୁଣ୍ଡ ପିଟିଦେଲା ।

 

ହଠାତ୍‌ ନିଦ ଭାଙ୍ଗିଗଲା । ଶୋଭା ବାହୁନି ବାହୁନି କେତେ କାନ୍ଦିଲା । ନିଦ୍ରିତ ମନୁଆର ମୁଖରେ ଚୁମା ଦେଲା । ମନକୁ ଦୃଢ଼ କଲା । ଏଇ ପ୍ରକୃଷ୍ଟ ସମୟ । ସାରା ସଂସାର ନିଦ୍ରିତ । ତା’ ଜୀବନର ଆଉ ପ୍ରଭାତ ନ ହେଉ । ଆଉ ସେ ସୂର୍ଯ୍ୟୋଦୟ ନଦେଖୁ । ଏ ସଂସାରକୁ ଆଉ ଯେ ଚାହିଁ ହେଉ ନାହିଁ । ସତେ ଯେପରି ଚାରିଆଡ଼େ ପଣ ପଣ ବାଘ, ଭାଲୁ, ଗଧିଆ, କୁକୁର, ଶାଗୁଣା ତରାଟି ଚାହିଁ ରହିଛନ୍ତି ଏ ଦେହକୁ ଝୁଣି ନେଇଯିବେ । ପୁଳା ପୁଳା କରି ମାଉଁସ ଖାଇଯିବେ । ରାତିର ଅନ୍ଧକାର ଭିତରେ କେଉଁଠି ସବୁ ଛପି ଯାଇଅଛନ୍ତି । ସକାଳ ହେଲାମାତ୍ରେ ଖେଦି ଆସିବେ-। ଆଉ ରକ୍ଷା ନାହିଁ, ରକ୍ଷା ନାହିଁ ।

 

କବାଟକୁ ଆଉଜେଇ ଆଣି ଶୋଭା ଏକମୁହାଁ ହୋଇ ଚାଲିଛି । ନିର୍ଭୟରେ ଚାଲିଛି । ମରଣାକାଂକ୍ଷୀର ପୁଣି ଭୟ କ’ଣ ? ବରଂ ତା’ର ଆନନ୍ଦ–ଏଇ ଯେଉଁ ରକ୍ତ ମାଂସର ଦେହଟା ପ୍ରତି ଏତେ ତୀବ୍ର ଆକର୍ଷଣ ଏହାକୁ ନିଜ ହାତରେ ଧ୍ୱଂସ କରିଦେଇ ସେ ନିଷ୍ଠୁର ସମାଜ ଉପରେ ମନଇଚ୍ଛା ପ୍ରତିଶୋଧ ନେବ । ଆସନ୍ତାକାଲି ହୁଏତ ଏ ଦେହଟାକୁ କେଉଁଠି କାଉ ଶାଗୁଣା ବେଢ଼ି ଖାଉଥିବେ । ଗନ୍ଧରେ ନାକ ଫାଟି ଯାଉଥିବ । ଜୀଅନ୍ତା ଦେହ ଉପରେ ଯେଉଁ ସଇାତାନମାନଙ୍କର ଏତେ ଆଖି, ଏତେ ଲୋଭ, ଯାହାକୁ ପାଇବା ପାଇଁ ଯେକୌଣସି ପାପ ଅନ୍ୟାୟ ଅନୀତି, ନିଷ୍ଠୁରତା ଆଚରଣ କରିବାକୁ ସେମାନେ ତିଳେହେଲେ ପଶ୍ଚାତ୍‌ପଦ ନୁହନ୍ତି, କାଲି ସେ ଦେହର ପାଖ ସେମାନେ ଆଉ ପଶିପାରିବେ ନାହିଁ । ଏହାହିଁ ହେବ ସେମାନଙ୍କ ପ୍ରତି ତା’ର ଚରମ ପ୍ରତିଶୋଧ ।

 

ଶୋଭା କେତେବେଳେ ଆସି ନଦୀ କୂଳରେ ପହଞ୍ଚିଯାଇଛି । ବର୍ଷାଦିନ ନଦୀ, ଦୁଇ କୂଳ ଖାଇ ଉଛୁଳୁଛି । ନଦୀ ଗର୍ଭକୁ ଲମ୍ଫ ଦେଲା ସେ । ହଠାତ୍‌ କେହି ଜଣେ ଧାଇଁଆସି ପଛରୁ ତାକୁ ଜାବୁଡ଼ି ଧରିଲା । ଛାଡ଼ ମୋତେ, ତମ ଗୋଡ଼ ଧରୁଛି–କହି ଶୋଭା ଖୁବ୍‌ ଛାଟିପିଟି ହେଲା । ମାତ୍ର ଆଗନ୍ତୁକ ତାକୁ ଧରି ବନ୍ଧ ଉପରକୁ ନେଇଗଲା । ଶୋଭା ଚିହ୍ନିଲା, ସେ ଗାଁର ମହାପାତ୍ର । କ୍ରୋଧ, ଘୃଣାରେ ତା’ର ସର୍ବାଙ୍ଗ ଜଳିଗଲା । ମାତ୍ର ମହାପାତ୍ର ବହୁତ ଅନୁନୟ ବିନୟ କରି କହିଲେ, ଶୋଭା, ମୁଁ ମହାପାତକୀ । ତୋର ଏ ଦୁଃଖ ଦୁର୍ଦ୍ଦଶା ପାଇଁ ମୁହିଁ କେବଳ ଦାୟୀ । ତୁ ସରଳ, ନିଷ୍ପାପ, ସେ କଳଙ୍କ ତୋର ନୁହେଁ, ମୋର ।

 

ତୁ ଶେଷରେ ଏପରି କାଣ୍ଡ କାଳେ କରିବୁ ବୋଲି ଆଶଙ୍କା କରି ମୁଁ ଛାଇପରି ତୋର ଅଲକ୍ଷ୍ୟରେ ଜଗି ରହିଛି । ତୁ ମତେ କ୍ଷମା ଦେ ଶୋଭା । ମୋ ପାପର ପ୍ରାୟଶ୍ଚିତ କରିବାକୁ ସୁଯୋଗ ଦେ । ମୁଁ ଧର୍ମକୁ ସାକ୍ଷୀ ରଖି ଗଙ୍ଗାମାତାଙ୍କ ଦେହ ଛୁଇଁ ଶପଥ କରୁଛି, ମୁଁ ଧର୍ମ ମତରେ ତୋତେ ବିବାହ କରିବି । ତୁ ହେବୁ ମୋର ଧର୍ମପତ୍ନୀ । ଏହା କହି ଆଞ୍ଜୁଳାଏ ଜଳ ଟେକିଦେଲା ।

 

ଶୋଭା ସବୁ ଶୁଣିଲା । ମହାପାତ୍ରଙ୍କ ମୁଖକୁ ବଲବଲ କରି ଚାହିଁଲା । ତା’ପରେ ଚେତା ହରାଇ ଭୂମିରେ ଲୋଟି ପଡ଼ିଲା । ଅନ୍ଧକାରର ବୁକୁ ଚିରି ପୂର୍ବାକାଶରେ ପ୍ରଭାତୀ ତାରା ଉଇଁ ଆସୁଥିଲା ।

Image

 

ଦୁର୍ଗତି-ନାଶିନୀ

 

‘‘ସାର୍‍ ଆପଣ ଥରେ ନିଜର ମେଡ଼ିକାଲ ଚେକ୍‌ଅପ୍‌ କରେଇ ନେଲେ ଭଲ ହୁଅନ୍ତା । କାଳେ ହାଇବ୍ଲଡ଼ପ୍ରେସର ଥିବ; ପୂର୍ବରୁ ପ୍ରିକସନ୍‌ ନେବା ଭଲ ।’’ ଅଫିସ୍‍ର ବଡ଼ବାବୁ ବଡ଼ ଆନ୍ତରିକତାର ସହିତ କହିଲେ ତାଙ୍କ ହାକିମ ରାମ ବାବୁଙ୍କୁ । ‘‘କାହିଁକି ବାବୁ, ସେଇଟା ତ ହେଲା ବଡ଼ଲୋକଙ୍କ ରୋଗ । ଆମେ ଏମିତି କି ଭୋଗରେ ଅଛୁ ଯେ ସେ ରୋଗ ଆମକୁ ଧରିବ ? ବାର ଦିନେ ତେର ଓଷା, ନିରାମିଷ ଆହାର । ପାନ, ଚା’, ସିଗାରେଟ, ବିଶେଷ କରି ‘ପାନୀୟ’ ବିବର୍ଜିତ ଶରୀରରେ ସେ ରୋଗପାଇଁ କି ଆକର୍ଷଣ ବା ଅଛି ? ଅବଶ୍ୟ ପଣ୍ଡିତମାନେ କହନ୍ତି, ‘‘ଶରୀରଂ ନୂନଂ ବ୍ୟାଧି ମନ୍ଦିରଂ ।’’ କିଏ ବା ଜୋର କରି କହିବ, ମୋ ଶରୀରରେ ଅମକ ବ୍ୟାଧି ହେବନି ? ଯାହାହେଉ, ମୋର ବ୍ଲଡ଼ପ୍ରେସର୍‌ ଏପର୍ଯ୍ୟନ୍ତ ନର୍ମାଲ ଅଛି । ଅବଶ୍ୟ ଏ ବପୁକୁ ଦେଖି କେବଳ ତମର କାହିଁକି, ଅନେକଙ୍କର ଏପରି ଧାରଣା ହୋଇଥାଏ ।’’

 

‘‘ସାର୍‌, ସନ୍ଧ୍ୟାବେଳେ ଆସିବି କି ଦେବୀ ଦେଖି ଯିବା ?’’ ନାଁ, ବାବା, ‘‘ସେ ବିଳାସ ମୋର ଆବଶ୍ୟକ ନାହିଁ । ମୁଁ ଏଇଠି ସବୁଦିନ ପରି ଚଣ୍ଡୀଙ୍କୁ ଦର୍ଶନ କରିବି ।’’

 

ଚଣ୍ଡୀ ମନ୍ଦିରରେ ସାନ୍ଧ୍ୟ ଦର୍ଶନ ଶେଷ କଲେ ରାମ ବାବୁ । ଆଜି ଦଶହରା । ମା’ଙ୍କର ସୁନ୍ଦର, ଚମତ୍କାର ବେଶ ହୋଇଛି । ଖୁବ୍‌ ଜନଗହଳି । ଦୁଇ ଦିନ ତଳେ ଏଠାରେ ଶହ ଶହ ବୋଦା ବଳି ପଡ଼ିଛନ୍ତି । ଦୈନନ୍ଦିନ ସାନ୍ଧ୍ୟଦର୍ଶନ ବେଳେ ରାମ ବାବୁ, ଧାଡ଼ି ବାନ୍ଧିଥିବା ସେହି ନିରୀହ ପଶୁଗୁଡ଼ିକୁ ଦେଖିଛନ୍ତି । ତଳକୁ ମୁହଁ ପୋତି ସେମାନେ ଚୁପ୍‌ଚାପ୍‌ ଠିଆ ହୋଇ ନିଜର ପାଳିକୁ ଅପେକ୍ଷା କରିଥାନ୍ତି । କେହି କେହି କହନ୍ତି ଠାକୁରାଣୀଙ୍କ ମହିମାରେ ସେମାନେ ସମ୍ମୋହିତ, ମୂକ ହୋଇ ଯାଇଥାନ୍ତି । ତେଣୁ କୁଆଡ଼େ ପଳାଇ ଯାଆନ୍ତି ନାହିଁ କି ବୋବାଳି ଛାଡ଼ନ୍ତି ନାହିଁ । ଏ କଥାକୁ ଅବିଶ୍ୱାସ କଲେ ପୁଣି କୁଆଡ଼େ ମହାପାପ । ଠାକୁରାଣୀ ରୁଷ୍ଟ ହେବେ ସଂଶୟାତ୍ମା ବିନଶ୍ୟତି ।

 

ଯାହାହେଉ, ରାମ ବାବୁଙ୍କ ଘରେ କଡ଼ା ତାଗିଦ୍‌, କେହି ବଳି ଦେଖିବାକୁ ଯିବେ ନାହିଁ । ମାତ୍ର ତାଙ୍କର ଦୁଷ୍ଟ ସାନପୁଅ ଜିତୁ ରାତି ୧୨ଟାରେ ଉଠି କୌଣସି ନାରୀର (ନର–ପ୍ରବେଶ ନିଷେଧ) କାନି ପଣତ ତଳେ ଲୁଚି ମନ୍ଦିର ଭିତରକୁ ଖସିଯାଇ39 ଚାରି ଛଅଟା ବଳି ଦେଖିଆସି ସକାଳେ ସମସ୍ତଙ୍କ ଆଗେ ଗପି ଲାଗିଛି–କେମିତି ବୋଦାର ପଛ ଗୋଡ଼ ଦୁଇଟାକୁ ଜଣେ ଟାଣି ଧରିଲା.....ଇତ୍ୟାଦି । ହାୟ, ଏହି କ୍ରୂର ପ୍ରଥାଟା କିପରି ହେଲେ ଉଠିଯାନ୍ତା ! ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନିଶା-ନିବାରଣ କରାଉଛନ୍ତି । ଏ ନିଷ୍ଠୁର ପ୍ରଥାକୁ ତା’ ସଙ୍ଗରେ ହେଲେ ଯୋଡ଼ି ଦିଅନ୍ତେ । ଦେଖାଯାନ୍ତା, ଠାକୁରାଣୀ ରୁଷ୍ଟ ହୋଇ କାହାର କି କ୍ଷତି କରୁଛନ୍ତି !

 

ଅବଶ୍ୟ ରାମ ବାବୁ ଏକଦା ଖୁବ୍‌ ଶିକାର ପ୍ରିୟ ଥିଲେ । ‘‘ଜୀବମାରିଣ ମାଂସ ଖାଇ’’–ଏ ବ୍ୟାଧବୃତ୍ତି ଦିନକ ପାଇଁ ମଧ୍ୟ ବନ୍ଦ ନ ଥିଲା । ବନ୍ଧୁକଟି ଏବେ ବି ଅଛି । ମାତ୍ର ଛାଡ଼ିଯାଇଛି ତାଙ୍କର ଶିକାର ନିଶା । ଯୌବନର ଅନେକ ଆସକ୍ତି, ଅନେକ ସଉକ, ଦୁନିଆର ଦାଉ ଘାତ ସହି ପରବର୍ତ୍ତୀ ଜୀବନରେ ଛାଡ଼ିଯାଏ । ଗତ କୋଡ଼ିଏ ବର୍ଷ ହେଲା ପ୍ରତିଜ୍ଞାବଦ୍ଧ ହୋଇ ସେ ଶିକାର ଛାଡ଼ିଛନ୍ତି । ଶିକାର ସମ୍ପର୍କରେ ବହୁତ ତିକ୍ତ ଅନୁଭୂତି ତାଙ୍କର । ସେ କହନ୍ତି, ତାଙ୍କ ଜୀବନରେ ସେ ଏତେ ଦୈବୀଦଣ୍ଡ ଭୋଗକଲେ ଯେ ଯୌବନ କେତେବେଳେ ଆସି କେତେବେଳେ ଚାଲିଗଲା ସେ ଜାଣିପାରିଲେ ନାହିଁ । ସ୍ତ୍ରୀ ପାଗଳୀ ହେଲା । ଏମିତି ଆଉ କେତେକଥା । ସତେ ଯେମିତି କେଉଁ ପରୀରାଇଜରୁ ଟିକି ଟିକି ସୁନ୍ଦର ପୁଅ ଝିଅଗୁଡ଼ିଏ ନାଚି ନାଚି ଆସି କିଛିଦିନ ତାଙ୍କରି ଛାତି ଉପରେ ନାଚ କୁଦ କରି ପୁଣି ନାଚି ନାଚି ଫେରିଗଲେ । ଗଲାବେଳେ ହତଭାଗା ପିତାମାତାଙ୍କର ଅନ୍ତରର ସବୁ ରସ, ସବୁ ନିର୍ଯ୍ୟାସ ନିଗାଡ଼ି, ନିଃଶେଷ କରି ସିଠା ଫିଙ୍ଗିଦେଇ ଚାଲିଗଲେ । ଗଭୀର ଈଶ୍ୱର-ବିଶ୍ୱାସୀ ରାମ ବାବୁ ମର୍ମରେ ଅନୁଭବ କଲେ, ଏ ନିଦାରୁଣ ଦଣ୍ଡ ପୂର୍ବ ଦୁଷ୍କୃତର ପ୍ରାୟଶ୍ଚିତ୍ତ ବିନା ଅନ୍ୟ କିଛି ନୁହେଁ । ସେଥିଲାଗି ପରବର୍ତ୍ତୀ ଜୀବନରେ ସେ କିଛିଟା ସତର୍କ ହୋଇଛନ୍ତି ।

 

ଆଜିର ଏ ବର୍ଣ୍ଣାଢ୍ୟ ଲୋକରଣ୍ୟ, ରାମ ବାବୁଙ୍କର ପ୍ରୌଢ଼ ମନରେ ମଧ୍ୟ କିଛି ପୁଲକ ସଂଚାର କଲା । କଟକରେ ଛଅବର୍ଷ ପାଠପଢ଼ା ମଧ୍ୟରେ ପୂଜାବେଳକୁ ସବୁଥର ଗାଁରେ । ତା’ପରେ ଦୂର ଦୂରାନ୍ତରେ ଚାକିରି । ଆଜିର ଏ ସୁଯୋଗ କଦାପି ଛାଡ଼ିବାର ନୁହେଁ । ନିଜ ପରିଚୟକୁ ଯଥା ସମ୍ଭବ ଗୋପନ ରଖି ମୁକ୍ତ ଭାବରେ ସେ ପୂଜୋତ୍ସବକୁ ଉପଭୋଗ କରିବେ । ଆଉ କଲେଜ ଜୀବନର ସେହି ନିଖୁଣ ଶରୀର ଅନାହତ, ମୁକ୍ତ ବିହଙ୍ଗମଟିକୁ କଟକର ଗଳି କନ୍ଦିରେ ଖୋଜି ଘୂରି ବୁଲିବେ ।

 

କ୍ୱାଟରକୁ ଫେରିଆସି ଆଡ଼ ମଇଳାଧୋତି ଖଣ୍ଡେ ଓ ସେହିପରି ଖଣ୍ଡେ ଜାମା ଦେହରେ ଗଳାଇ କଳା ମଫଲରଟିକୁ ମୁଣ୍ଡ ଓ ବେକ ଚାରିପଟ ଗୁଡ଼ାଇ ଦେଇ ଚଷମାଟା ପିନ୍ଧି ନେଲେ, ତା’ପରେ ଦ୍ରୁତ ପଦକ୍ଷେପରେ ଲୋକ-ସମୁଦ୍ର ଭିତରେ ଢେଉଟିଏ ହୋଇ ମିଶିଗଲେ । ମହମ୍ମଦିଆ ବଜାର ଦେଇ ଚାନ୍ଦିନୀଚୌକ, ବିନୋଦବିହାରୀ, ତା’ପରେ ଚୌଧୁରୀବଜାର, ତା’ପରେ..... ତା’ପରେ..... ଏମିତି ଚାଲିବେ ସେ ।

 

ରାମ ବାବୁ କଣେଇ ଚାହିଁଲେ । କିଏ ତାଙ୍କ ପ୍ରତି ଦୃଷ୍ଟିପାତ କରୁଛନ୍ତି କି ? ନାଁ ସବୁ ଠିକ୍‌ ଅଛି । ଯାତ୍ରା ବେଶ୍‌ ଉପଭୋଗ୍ୟ ମନେହେଉଛି । ବିରାଟ ଜନ-ସ୍ରୋତ, ତହିଁରେ ଅର୍ଦ୍ଧାଧିକ ନାରୀ । ସୁନ୍ଦର ବର୍ଣ୍ଣୋତ୍ସବମୟ ପରିବେଶ । ହଠାତ୍‌ ଗୋଟାଏ ଧୂଳିଆ ଜନ୍ଦା ଯେମିତି ରଟ୍‌ କରି ରାମ ବାବୁଙ୍କର କେଉଁ ମର୍ମସ୍ଥଳକୁ କାମୁଡ଼ି ଦେଲା । କେଉଁ ଦୂର ଅତୀତର ଏକ ତିକ୍ତ ଅନୁଭୂତି । ଧେତ୍‌, ଏତିକି ବେଳକୁ ଥିଲା ମନେପଡ଼ିବାକୁ !

 

ପିଲାଦିନୁ ରାମ ବାବୁ ବଡ଼ ଖୁସି ମିଞ୍ଜାସର ଥିଲେ । ପିଲାଦିନେ କୁଆଡ଼େ ତାଙ୍କ ସାର୍‌ ଥରେ କହୁଥିଲେ, ‘‘ରାମରେ, ତୋରି ପରି ମୁଁ ଯଦି ସବୁବେଳେ ହସି ପାରନ୍ତି ତେବେ ମୋର ପରମାୟୁ ଅନେକ ଦିନ ବଢ଼ିଯାନ୍ତା ।’’ ଆଜି ମଧ୍ୟ ଗାଁରେ ଅନେକ ଲୋକ ବଞ୍ଚିଛନ୍ତି । ଯେଉଁମାନେ ରାମ ବାବୁଙ୍କୁ ଦେଖିଲେ ସେ ପିଲାଦିନେ ଗାଁ ଥିଏଟରରେ ରଘୁ ଅରଖିତ, ରାଜା ହରିଶ୍ଚନ୍ଦ୍ର, ଦୁଷ୍ମନ୍ତ, ପୁରୁଷୋତ୍ତମ ପାର୍ଟରେ ସୁନ୍ଦର ଅଭିନୟ କରିଥିବାର ମନେପକାଇ ରାମ ବାବୁଙ୍କୁ କୋଳାଗ୍ରତ କରନ୍ତି । ଜୀବନରେ ସବୁ ହର୍ଷ, ଆନନ୍ଦ, ଉତ୍ସାହ ନିଃଶେଷ ହୋଇଗଲା, ଯେତେବେଳେ ଅଳ୍ପ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଏପରି ତିନିଗୋଟି ସନ୍ତାନ ତାଙ୍କର ବାହୁଡ଼ି ଗଲେ । ଜୀବନ ଦୁର୍ବିସହ ବୋଧ ହେଲା । ସମୟ ଗଡ଼ିଚାଲିଲା । ମାତ୍ର ସେ ବିରାଟ ଗହୀରା କ୍ଷତକୁ ସମୟ ଶୁଖାଇ ପାରିନାହିଁ । ସାମାନ୍ୟ ଚାପ ପଡ଼ିଲେ ସେଥିରୁ ଝର ଝର ହୋଇ ରକ୍ତ ବହେ ।

 

ତା’ପରେ କେଉଁ କାରଣରୁ କେଜାଣି, କୌଣସିଠାରେ ସ୍ୱାମୀ ସ୍ତ୍ରୀ ଏକତ୍ର ଦେଖିଲେ ରାମ ବାବୁଙ୍କର ଏକ ମନସ୍ତାତ୍ତ୍ୱିକ ଉତ୍କଣ୍ଠା ଜାତ ହୁଏ–ସେ ସେମାନଙ୍କର ମୁଖକୁ ଲକ୍ଷ୍ୟ କରନ୍ତି । ଏମାନଙ୍କ ଜୀବନ ସୁଖ ଶାନ୍ତିମୟ ନା ଏମାନେ ମୋରି ପରି ଆଭଗା, ଅସୁଖୀ ? ଏ ସ୍ତ୍ରୀ କିପରି ସ୍ୱଭାବର ହୋଇଥିବ ? ମିଷ୍ଟଭାଷିଣୀ ନା କଟୂଭାଷିଣୀ ? ସହିଷ୍ଣୁ ନା ଅସହିଷ୍ଣ ? ସ୍ୱାମୀ ପ୍ରତି ଏହାର କେତେଦୂର ଦରଦ, ଏ ପ୍ରେମ କରି ବିଭାହୋଇଥିବ ନା ବାପା ମା’ଙ୍କ ମାଧ୍ୟମରେ ? ସନ୍ତାନ ପରିସ୍ଥିତି କିପରି ? କିଛି ଦୈବୀ-ଦଣ୍ଡ ଭୋଗିଛି କି ? ହଠାତ୍‌ ରାମ ବାବୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତଟେକନ୍ତି–ପ୍ରଭୁହେ, ଶତ୍ରୁକୁ ମଧ୍ୟ ସେ ଦଣ୍ଡ ନହେଉ ।

 

ଦୂର ଅତୀତରେ ଠିକ୍‌ ଏହିପରି ଏକ ପରିସ୍ଥିତିରେ ଜଣେ ସ୍ତ୍ରୀଲୋକ ରାମ ବାବୁଙ୍କୁ ଲକ୍ଷ୍ୟକରି ଚପାଗଳାରେ ଅଭିଶାପ ଦେଇଥିଲା । ‘‘ଏ ଲୋକଟା କେମିତି ଚାହୁଁଛିଲୋ ମା’ ! ଆକ୍ଷି ଦୁଇଟା ତା’ର ଫୁଟି ଯାଆନ୍ତା କି ।’’ ସର୍ପାହତ ପରି ଚମକିପଡ଼ି ଦୃଷ୍ଟି ଫେରାଇ ନେଇଥିଲେ ରାମ ବାବୁ ।

 

ଯାତ୍ରାରେ ଅନେକ ଯୁଗ୍ମ ନାରୀ-ପୁରୁଷଙ୍କୁ ଦେଖି ହଠାତ୍‌ ସେହି କଥା ମନେପଡ଼ିଗଲା ରାମ ବାବୁଙ୍କର । ଅବଶ୍ୟ ତା’ପରେ ଜୀବନରେ ଆଉ ସେ ଏପରି ଭୁଲ କରିନାହାନ୍ତି । ବିଶେଷ କରି ଦେବ-ମନ୍ଦିର ଭିତରେ ସେ ଦେବ ବିଗ୍ରହ ଛଡ଼ା ଆଉ କାହାରି ମୁଖକୁ ଭୁଲରେ ମଧ୍ୟ ଚାହାନ୍ତି ନାହିଁ । ସେଥିପାଇଁ ଅତୀତରେ କେତେ ବନ୍ଧୁ ତାଙ୍କୁ ଭୁଲ ବୁଝିଛନ୍ତି । ଆଜି ସେ ଦିଗରେ ସେ ଖୁବ୍‌ ସତର୍କ । ମୁହଁକୁ ପ୍ରାୟ ତଳକୁ କରି ଚାଲିଛନ୍ତି ।

 

ଆରେ, ଚାନ୍ଦନୀଚୌକ ଯାଇ କେତେବେଳେ ନିମଚଉଡ଼ି ଆସି ହେଲାଣି । ଧେତତେରୀ, ମନଟା ଖରାପ ହୋଇଗଲା । ଆଜି ପରା ଦିନରେ ମନଟାକୁ ଏମିତି ଖରାପ ହେବାକୁ ଦିଆଯାଇ ନପାରେ । ପାନଦୋକାନୀ କପିଳ ସେମିତି ତା’ କ୍ୟାବିନରେ ବସି ପାନ ବିକୁଛି-। ବିଚରା ବୁଢ଼ା ହୋଇଗଲାଣି । ମାତ୍ର ଧୋତି ଉପରେ ସେମିତି ମସିଆ ଖାକିଜାମା ପିନ୍ଧୁଛି-। ଗରାଖ ସଙ୍ଗେ କଥା ହେଉ ହେଉ ସେହି ଦିଲ୍‌ଦାରିଆ ହସ ବି ଏବେ ହସୁଛି । ଦେଖାଯାଉ, କପିଳ ଚିହ୍ନିପାରୁଛି କି ନାହିଁ ? ରାମ ବାବୁ ତା’ ଦୋକାନରୁ ସିଗାରେଟ ଖଣ୍ଡିଏ କିଣି ଲଗାଇଲେ । ପଇସା ଦେଲେ । ତା’ପରେ ବାଟେ ବାଟେ ଚାଲିଲେ । ହେଁ, କପିଳା ପୁଣି ଚିହ୍ନିବ ? ସେ ନା ତା’ ବୋପା-। କାହିଁ ଏ ପୃଥୁଳକାୟ ଶରୀର ସାଙ୍ଗକୁ ଦରପାକଲା ନିଶ, ତା’ ସଙ୍ଗେ ମୋଟା ଫ୍ରେମ ଚଷମାକୁ କଳା ମଫଲର । ଆଉ କାହିଁ ସେ ତିରିଶ ବର୍ଷ ତଳର ଫିନ୍‌ ଫିନ୍‌ କଲେଜ ଚେହେରା ।

 

ଆଗେଇଲେ ରାମ ବାବୁ । ତା’ପରେ ପଡ଼ିଲା ବାଲୁବଜାରର ହମିଦ୍‌ମିଆଁ ଖଲିଫା । କଲେଜ ଜୀବନର ସବୁଯାକ ପେଣ୍ଟ ଜାମା ସେ ତାରି ହାତରେ କରାଇଛନ୍ତି । ମଜୁରୀ ପଇସା କେବେ ସେ ମାଗେନି । ରାମ ବାବୁଙ୍କ ଚେହେରା, ଚାଲି ଚଳନ ଦେଖି ତାଙ୍କର ଆର୍ଥିକ ସଂସ୍ଥିତି ବିଷୟରେ ହମିଦ୍‌ର ଗୋଟାଏ ଉଚ୍ଚଧାରଣା ହୋଇଯାଇଥିଲା କି କ’ଣ ? ଏବେ ସିଲେଇ ମେସିନ୍‌ ସାଙ୍ଗକୁ ଛୋଟକାଟର ଷ୍ଟେସନେରୀ ଦୋକାନଟିଏ କରିଛି । ଆକ୍ଷିରେ ଚଷମା ଲଗାଇ ତଳକୁ ମୁହଁ ପୋତି କଅଣ ସିଲେଇ କରୁଛି ଓ ପାକୁଆ ପାଟିରେ ପାନ ପୂରାଇ ଖୁବ୍‌ ଜୋରରେ ଛେଳି ପରି ପାକୁଳି କରୁଛି । ଦେଖିବା, ହମିଦ୍‌ ଚିହ୍ନୁଛି କି ନାହିଁ ? ‘‘ଏ ବ୍ୟାଗ୍‌ କେତେ ଦାମ ?’’ ‘‘ଅଢ଼େଇ ଟଙ୍କା ବାବୁ, ଲିଅନ୍ତୁ ।’’ ‘‘ୟା’ଠାରୁ ଟିକିଏ ବଡ଼ ସାଇଜ୍‌ ଦରକାର ଥିଲା.....ଆଛା ଥାଉ ।’’

 

ହମିଦ୍‍ ଦୋ–ଦୋ ଚିହ୍ନା ହେଲା କି କ’ଣ, ଠିକ୍‌ ଜଣାଗଲା ନାହିଁ, ସେ ହୁଏତ ଭାବିଥିବ, ସେତେବେଳର ସେ ଛନଛନିଆ କଲେଜ ଟୋକା ଆଜିକୁ କିଛି ଗୋଟାଏ ବଡ଼ଲୋକ ହେବଣି ନା ! ସେ କାହିଁକି ପାଦରେ ଏମିତି ଚାଲି ଚାଲି ଆସି ଅଢ଼େଇଟଙ୍କିଆ ବ୍ୟାଗ୍‌ ମୂଲଉଥାନ୍ତା ?

 

ତା’ପରେ ବିନୋଦ ବିହାରୀ । ମେଢ଼ର ସାଜସଜ୍ଜା ଚମତ୍କାର । ‘‘ଆରେ, ରାମ ବାବୁ ଯେ-! ନମସ୍କାର ଆଜ୍ଞା । ବହୁ ଦିନ ପରେ ଦେଖା ।’’ ସଇଲା କଥା, ହେ ଭଗବାନ......କିଏ ଇଏ ? ‘‘ମୁଁ ତ ଚିହ୍ନିପାରୁନି ଆଜ୍ଞା । କ୍ଷମା କରିବେ ।’’ ହୋଃ, ହୋଃ, ଚିହ୍ନିପାରୁନାହାନ୍ତି ? ମୁଁ ନାରଣ ବାବୁ-। ସିଭିଲ୍‌ କୋର୍ଟ ପେସ୍କାର । ଆପଣଙ୍କ ମେସରେ ଖାଉ ନ ଥିଲି ?’’ ରାମ ବାବୁ ତାଙ୍କୁ କୁଣ୍ଢାଇ ପକାଇଲେ । ନାରଣ ବାବୁ ଖୁସିବାସିଆ ଲୋକ । ଆକ୍ଷିଦୃଶିଆ ଗୋରା ତକ୍‌ ତକ୍‌ ଚେହେରା-। ଥରେ ତାଙ୍କର ବେଶ୍ୟାଳୟ ଗମନର ଅନୁଭୂତି ସେ କହୁଥିଲେ । ତାଙ୍କର ସଂକ୍ରାମକ ରୋଗକୁ ଭାରି ଡର । ବେଶ୍ୟା ସହିତ ତା’ ଘର ଭିତରେ କିପରି ବ୍ୟବହାର କଲେ କେଜାଣି ସେ କୁଆଡ଼େ ୟାଙ୍କ ଉପରେ ଚିଡ଼ିଉଠି କହିଲା–‘‘ହେଃ, ତୁ’ଟା କି ମରଦ ବା ? ଦିହକୁ ମୋର ଖାଲି ଗରମ କରି ଦେଉଛୁ-। ଯା ମୋ ପାଖରୁ ପଳା ।’’ ରାମ ବାବୁ ରହସ୍ୟ କରି ପଚାରିଲେ, ‘‘ଆଚ୍ଛା, ନାରଣ ବାବୁ, ଆପଣଙ୍କର ସେ କେମିତି ଅଛି ?’’ ‘‘କିଏ ଆଜ୍ଞା ?’’ ‘‘ସେଇ ଦେହ ଗରମବାଲୀ ମ ।’’ ଗୋଟାଏ ଜୋର୍‌ ହସ ହସି ନାରଣ ବାବୁ କହିଲେ, ‘‘ଆଜ୍ଞା ଆପଣଙ୍କର ଏତେ ଦିନର କଥା ମନେ ଅଛି-?’’

 

ନାରଣ ବାବୁ ବିଦାୟ ନେଲେ । ରାମ ବାବୁ ପୁଣି କେଉଁଠି ଚିହ୍ନା ପଡ଼ିଯିବା ଭୟରେ ମଫଲରଟାକୁ ଆହୁରି ଟିକିଏ ଆଗକୁ ଟାଣିଦେଇ ବାଙ୍କାବଜାର ବାଟେ ଚୌଧୁରୀବଜାରରେ ଯାଇ ଉଠିଲେ । ଚୌଧୁରୀବଜାର ଦେବୀ ମେଢ଼ ପାଖ ଜନଗହଳିରେ ପୋଲିସ୍‌ ସମସ୍ତଙ୍କ ସହିତ ରାମ ବାବୁଙ୍କୁ ମଧ୍ୟ ପ୍ରଥମେ ଠେଲା ପେଲା କଲା । ତା’ପରେ ବୋଧହୁଏ ରାମ ବାବୁଙ୍କ ହସ୍ତର କଠିନ ସ୍ପର୍ଶପାଇ କିମ୍ବା ବିଶାଳ ବପୁକୁ ଦେଖି ପୋଲିସ୍‍ ଅଫିସର ଜଣକ କହିଲେ ‘‘ଆଜ୍ଞା, ଆପଣଙ୍କୁ ଠେଲିବାକୁ ମୋର ବଳ ନାହିଁ ?’’ ତା’ ସାଙ୍ଗକୁ ପାଖରେ ଥିବା ଲୋକଙ୍କର ସମର୍ଥନସୂଚକ ହସ ମିଶିଯିବାଦ୍ୱାରା ରାମ ବାବୁଙ୍କ ମନରେ କିଛିଟା ଆହ୍ଲାଦ ସୃଷ୍ଟିହେଲା । ‘‘ନାହିଁଭାଇ, ଠେଲିବା ଦରକାର ନାହିଁ । ମୋ ବାଟରେ ମୁଁ ଚାଲିଯାଉଛି’’ କହି ରାମ ବାବୁ ଭିଡ଼ଭିତରେ ଆଗେଇ ଗଲେ । ଭିଡ଼ ଟିକିଏ ପତଳା ଧରି ଆସିଲାବେଳକୁ ପାଖ ଦୋକାନରୁ ଗୋଟାଏ ଟୋକା ତାଳଫୋଟକାଟାଏ ଫିଙ୍ଗିଦେଲା ତାଙ୍କ ଗୋଡ଼ ପାଖକୁ । ‘‘ହାତ୍‌ ତୋ ବାବୁ ମୁଣ୍ଡରେ.....’’ କହି ରାମ ବାବୁ ଆଗକୁ ଡେଇଁ ପଡ଼ିଲେ ।

 

ରାମ ବାବୁଙ୍କ ପରିକ୍ରମାର ଶେଷ ପର୍ଯ୍ୟାୟରେ ଏକ ଅଘଟଣା ଘଟିଲା । ଚଣ୍ଡୀମନ୍ଦିର ସାମନା ରାସ୍ତାଉପରେ ଗୋଟାଏ ବୁଲା ଷଣ୍ଢ ଭିଖାରୁଣୀଟିଏ ପାତିଥିବା ଲୁଗା ଉପରୁ ଚାଉଳ ଖାଇ ତାକୁ ମାରି ଗୋଡ଼ାଇଲା । ଅଳ୍ପସମୟ ପୂର୍ବରୁ ପୋଲିସ୍‌ ଅଫିସରଙ୍କ ମନ୍ତବ୍ୟରେ ଆହ୍ଲାଦିତ ହୋଇଥିବା ରାମ ବାବୁ ହଠାତ୍‌ ଧାଇଁଯାଇ ଷଣ୍ଢର ଶିଙ୍ଗ ଦୁଇଟା ଧରିନେଲେ । ଭିଖାରୁଣୀ ରକ୍ଷା ପାଇଗଲା ସତ, ମାତ୍ର ବିଚରା ରାମ ବାବୁ ଏବେ ଯାଆନ୍ତି କୁଆଡ଼େ ? ଶିଙ୍ଗ ଛାଡ଼ିଦେଲେ ଷଣ୍ଢ ନିଶ୍ଚୟ ମାରିବ । ହଠାତ୍‌ ଉଠି ଯିବାପାଇଁ ଦୁଇ ପାର୍ଶ୍ୱରେ କୌଣସି ପିଣ୍ଡା ନାହିଁ । ଏଣେ ଲୋକେ ସାହାଯ୍ୟ କରିବା ପରିବର୍ତ୍ତେ ଷଣ୍ଢ ମଣିଷ ଲଢ଼େଇକୁ ଉପଭୋଗ କରୁଛନ୍ତି । ଭାଗ୍ୟକୁ ଗୋଟାଏ ଜିପ୍‌ ଆସି ଷଣ୍ଢ ଦେହରେ ବୋଧହୁଏ ଜାଣି ଜାଣି ଆସ୍ତେ ଧକ୍‌କା ଦେଲା । ରାମ ବାବୁ ଏହି ସୁଯୋଗରେ ଷଣ୍ଢକୁ ଛାଡ଼ି ଏକାନିଶ୍ୱାସକେ ଆସି ନିଜ କ୍ୱାଟର ବାରଣ୍ଡା ଆର୍ମବେଞ୍ଚ ଉପରେ ଲଥ୍‌ କରି ବସି ପଡ଼ିଲେ । ତାଙ୍କ ମୁହଁରୁ ବାହାରି ପଡ଼ିଲା–‘ହେ ମା’ ଦୁର୍ଗା, ଦୁର୍ଗତିନାଶିନୀ !’

Image

 

ନିୟତିର ହସ

 

ବସରେ ପ୍ରବଳ ଭିଡ଼ । ବସ୍‌ ଭିତରେ ଯେତିକି ଲୋକ ବସିଛନ୍ତି, ଠିଆ ହୋଇଛନ୍ତି ପ୍ରାୟ ତିନି ସେତିକି । ତଥାପି ଲୋକ ଠେଲାପେଲା ହୋଇ ଉଠୁଛନ୍ତି । ଭିତରୁ କେହି ଜଣେ ପାଟି କରି ଉଠିଲେ, ‘ସେତିକିରେ ବନ୍ଦକର ବାବୁ, ଠିଆ ହେବାକୁ ଆଉ ଜାଗା ନାହିଁ । ଶ୍ୱାସରୁଦ୍ଧ ହୋଇ ମଣିଷ ମରିଯିବ ଯେ ।’ ଗର୍ଜିଉଠିଲେ କଣ୍ଡକ୍ଟର ‘ଯେତିକି ଲୋକ ଚଢ଼ିଛନ୍ତି, ଆହୁରି ସେତିକି ଲୋକ ଏ ବସରେ ଯିବେ ।’ ‘କାହିଁକି, ଆପଣଙ୍କର ଏ ବସ୍‌ କ’ଣ ସବୁ ଆଇନ୍‌ର ବାହାରେ ? ୟାର କ୍ୟାପାସିଟି କେତେ ?’ ‘କ୍ୟାପାସିଟି କଥା କହିବ ଯଦି ତଳକୁ ଓହ୍ଲାଅ । ଯେଉଁ ବସ୍‌ କ୍ୟାପାସିଟିରେ ଆସୁଛି, ସେଇଥିରେ ଆସ ।’

 

ମୋ ସାଙ୍ଗ ରବି, ଏବେ ଭିଡ଼ରେ ମଧ୍ୟ ବସ୍‌ ଭିତରକୁ ଉଠିଗଲାଣି । ମୋତେ ଡାକୁଛି, ‘ଆ, ଉଠିଆ । ଠିଆ ହୋଇ ଚାଲିଯିବା । ବାଟରେ ସିଟ୍‌ ମିଳିଯିବ ।’ ‘ନା ଭାଇ ଏତେ ବାଟ ମୁଁ ଠିଆ ହୋଇ ଯାଇ ପାରିବି ନାହିଁ । ପଛରେ ବସ୍‌ ଲାଗିଲାଣି । ଆମେ ପବ୍ଲିକ ଲୋକ ପବ୍ଲିକ୍‌ ବସରେ ଯିବା । ଏ ପ୍ରାଇଭେଟ ବସ୍‌ ଆମକୁ ପୋଷାଏ ନାହିଁ । ବାବାରେ ବାବା, କଣ୍ଡକ୍ଟର ଯେମିତି କଥା କହୁଛନ୍ତି ନା, କେଜାଣି ବାଟରେ ବାଡ଼େଇ ପକେଇବେ ।’

 

ବସ୍‌ ଚାଲିଗଲା । ପଛ ବସ୍‌ର ଦରଜା ଖୋଲି ଭିତରକୁ ଉଠିଲି । ଭିତର ପ୍ରାୟ ଖାଲି । ଅଳ୍ପ କେତେ ଜଣ ପଛ ସିଟରେ ବସିଛନ୍ତି । ଲୋକଗୁଡ଼ାକ ସତେ କେତେ ବୋକା, ଆଗ ସିଟ୍‌ ଛାଡ଼ି ପଛରେ ବସିଛନ୍ତି । ଗୋଟାଏ ସୁବିଧା ସିଟ୍‌ ଦେଖି ବେଶ୍‌ ଦାଁ....ଠ ଉପରେ ଯାଇ ବସିପଡ଼ିଲି । ଆରେ ଆରେ, ପ୍ୟାଣ୍ଟ ପଛଟା ସାରା ଭିଜିଗଲା ଯେ ! ସ୍ପଞ୍ଜଟା ପୂରା ଓଦା ହୋଇ ରହିଥିଲା । ମୋତେ ତ ଏ କଥା ଆଦୌ ଜଣାନାହିଁ । ଡାଇରିଆ ରୋଗୀ ହଠାତ୍‌ ଲୁଗାପଟାରେ ପଡ଼ିଗଲେ, ଲୁଗାକୁ ଅଳ୍ପ ଟେକି ପଛକୁ ଯେପରି ଆକୁଳ ନୟନରେ ଚାହେଁ, ସେହିପରି ଚାହିଁ ଦେଖିଲି । ବଡ଼ ଲଜ୍ଜ୍ୟା ଲାଗିଲା ।

 

ଠିକ୍‌ ଏତିକିବେଳେ କିଏ ଜଣେ ଖିଲି ଖିଲି ହୋଇ ହସି ଉଠିଲା । ଏଁ, କିଏ ସେ ହସିଲା-? କିଏ ବେ ? ଯୁଡ଼ୋ ମାରି ତା’ ଦାନ୍ତ ଝଡ଼େଇ ଦେବି । ପଛକୁ ଅନାଇ ଲକ୍ଷ କଲି, କାହିଁ କେହି ତ ହସିଲା ପରି ଜଣା ଯାଉନାହିଁ । ଅତି ନିରୀହ ଜୀବଗୁଡ଼ିକ । ଜୁଳୁଜୁଳୁ କରି ଚାହିଁଛନ୍ତି । ବରଂ ସେମାନଙ୍କ ଆଖିରେ ସହାନୁଭୂତିର ସଙ୍କେତ ।

 

ଯାହାହେଉ ଭାଗ୍ୟକୁ ନିନ୍ଦି ସେହିପରି ଅବସ୍ଥାରେ ଟିକିଏ ଆଡ଼େଇ ହୋଇ ବସିଲି । ବେଶ୍‌ ମୋଟା ଗୋଟାଏ ମୁଣାକୁ କାନ୍ଧରେ ଥୋଇ ଜଣେ ଲୋକ ବସରେ ଉଠିଲେ । ସଙ୍ଗେ ସଙ୍ଗେ କଣ୍ଡକ୍ଟର ପାଟିକରି ଉଠିଲେ ‘ଓ ବାବୁ, ମୁଣାକୁ ଉପରେ ଉଠାଅ ।’ ‘ଆଜ୍ଞା, ଛାଚି ମୁଆଁଗୁଡ଼ାକ, ଝିଅ ଘରକୁ ନେଉଛି । ବର୍ଷା ହେଲେ ନଷ୍ଟ ହୋଇଯିବ ।’ ‘ନହେଲେ ଓହ୍ଲେଇ ଯାଅ । ଇଏ କ’ଣ ଟ୍ରକ୍‌ ହୋଇଛି ? ଭଣା ଗଲା ରାତି ଯେତେ ବର୍ଷା ହୋଇଛି, ଆଉ ମେଘରେ ପାଣିଥିବ ଯେ ବର୍ଷା ହେବ-?’

 

କଣ୍ଡକ୍ଟର ପିସା ସଂଗ୍ରହ କରିନେଲେ । ଡ୍ରାଇଭର ଆସି ଗାଡ଼ି ଷ୍ଟାର୍ଟ କଲେ । ଗାଡ଼ି ଭିତରେ ସତେ ଯେପରି ଭୂମିକମ୍ପ ହେଲା । ପ୍ରବଳ ଘଡ଼ଘଡ଼ ଶବ୍ଦରେ କାନ ତାବଦା ହେବା ସଙ୍ଗେସଙ୍ଗେ ତାଳୁରୁ ତଳିପା ପର୍ଯ୍ୟନ୍ତ ଜୋରରେ ଥରିଉଠିଲା । ତେଣେ ପୋଡ଼ା ଡିଜେଲର ତୀବ୍ର ଗନ୍ଧରେ ଜଣେ ଆଜ୍‌ମା ରୋଗୀଙ୍କର ଏତେ ଜୋର୍‌ ଧଇଁ ଉଠିଲା ଯେ ପାଖଲୋକ ତାଙ୍କୁ କୋଳରେ ଆଉଜାଇ ଧରି ଛାତି ମୁଣ୍ଡ ଆଉଁଷିବାରେ ଲାଗିଗଲେ ।

 

ଡ୍ରାଇଭର ଡାକିଲେ ‘ଆରେ ତ୍ରିନାଥ, ଡିଜେଲଗୁଡ଼ା କ’ଣ ଲିକ୍‌ କରୁଛିରେ ?’ ‘କଲେ କରୁ ହେ, ତମ ହାତରୁ ପଡ଼ିଯାଉଛି କି ? ଚାଲ, ଆଉ ଡେରି କରନା ।’ ଘଣ୍ଟି ବାଜିଲା, ଗାଡ଼ି ଚାଲିଲା । ପଛରେ ଦୁଇଜଣ ଲୋକ ଧଇଁସଇଁ ହୋଇ ଧାଇଁଛନ୍ତି । ‘ହେ ହେ ବାବୁ, ଗାଡ଼ି ରଖ, ରଖ-।’ ଶୁଣୁଛି କିଏ ? ଆଗରେ ଭିଡ଼ ଦେଖି ଗାଡ଼ିର ଗତି ଟିକିଏ ଧିମେଇ ଗଲା । ଲୋକ ଦୁଇଜଣ ଝାଳନାଳ ହୋଇ ଗାଡ଼ି ଭିତରେ ପଶୁପଶୁ ଟିକିଏ ଚଢ଼ା ଗଳାରେ କହିଲେ ‘ଗାଡ଼ିରେ ଆମ ଜିନିଷ ପତ୍ର ଅଛି । ଆମେ ଆସୁ ଆସୁ ତମେ ଛାଡ଼ିଦେଲ କେମିତି ?’ ‘ତମେ ଆମର ବଙ୍କା କରିପାରିବନି ହେ । କାହିଁକି ବକ୍‌ବକ୍‌ କରୁଛ ? ଚୁପ୍‌ଚାପ୍‌ ଗାଡ଼ିରେ ବସ ନହେଲେ ସାମାନ୍‌ ନେଇ ଓହ୍ଲେଇ ଯାଅ-। ଗାଡ଼ିରେ ସାମାନ୍‍ ଥୋଇଦେଇ ଚାଲିଗଲେ ହାଓ୍ୟା ଖାଇବାକୁ । ବାବୁର ବସ୍‌ କିନା-?’

 

ଶେଷ ପଦକ ଉଦ୍ଦିଷ୍ଟ ଲୋକକୁ ଶୁଭିଲା କି ନାହିଁ କେଜାଣି ? ମାତ୍ର ମୋତେ ବେଶ୍‌ ଶୁଭିଲା । ମନରେ କ୍ରୋଧ ହେଲା । ପରିସ୍ଥିତି ଦୃଷ୍ଟିରୁ କ୍ରୋଧକୁ ଚାପି ରଖିଲି । ‘ମୂର୍ଖେ ପାଇଲେ ଅଧିକାର..... ।’ ଛାଡ଼, ଡ୍ରାଇଭରଙ୍କ ଡାକରେ ମୋର ଚିନ୍ତା ବ୍ୟାହତ ହେଲା । ‘ତ୍ରିନାଥ ଗିଅର ସିଲିପ୍‌ କରୁଛି, ବ୍ରେକ୍‌ ଧରୁନାହିଁରେ ।’ ‘କିସ ପାଇଟି ହେ, ତମେ ଗାଡ଼ି ଗେରେଜରୁ କାଢ଼ିଲ କେଣେ-?’

 

ଏବେ ଆଉ କିସ କରିବ ? ଗିଅର ଉପରେ ଆସ୍ତେ ଆସ୍ତେ ଚଳେଇନିଅ । X X ଡ୍ରାଇଭର ଲକ୍ଷ୍ୟ କଲେ, ଅଦୂରରେ ଚେକିଂ ହେଉଛି । କେତେଟା ଗାଡ଼ି ଠିଆ ହୋଇଛି । ଇସାରା ପାଇ କଣ୍ଡକ୍ଟର ସଙ୍ଗେ ସଙ୍ଗ ଖାତା କାଢ଼ି ଟିକଟ ଗୁଡ଼ାଏ କାଟି ପକାଇଲେ ଓ କଟାଯାଇଥିବା ଟିକଟକୁ ପକେଟରେ ପୂରାଇ ଦେଇ ସୁନାପିଲା ପରି ଠିଆ ହେଲେ । ଚେକିଂ ହେଲା । କଣ୍ଡକ୍ଟର ବାବୁଙ୍କ ସଙ୍ଗରେ ତଳକୁ ଓହ୍ଲେଇ ଗଲେ ଓ ତା’ପରେ ଆସି ଗାଡ଼ି ଛାଡ଼ିବାକୁ ଘଣ୍ଟି ମାରିଲେ ।

 

ବୋଧହୁଏ ସ୍ୱାମୀ ସ୍ତ୍ରୀ ଦୁଇଜଣ କୋଳରେ ଶିଶୁଟିଏ ଧରି ଗାଡ଼ିରେ ଉଠିଲେ । କଣ୍ଡକ୍ଟର ସଙ୍ଗେ ସଙ୍ଗେ ଅଢ଼େଇଟା ଟିକଟ କରି ଭଦ୍ରଲୋକଙ୍କୁ ଧରାଇ ଦେଲେ । ଭଦ୍ରଲୋକ ଅଭିଯୋଗ କଲେ, ‘ଏ ପିଲାକୁ ତ ତିନିବର୍ଷ ପୂରିନି । ନପଚାରି କ’ଣ ଟିକଟ କାଟି ନେଲ ?’ ‘ସେ ଗେନ୍ଦୁରୀ କାମ ମତେ ଜଣାନାହିଁ ହେ ବାବୁ । ଏତେ ବଡ଼ ପିଲା, ବୋଲୁଛ କ’ଣ ନା ତିନିବର୍ଷ ପୂରିନି । ସେ ବେଆଇନ ପାଇଟି ମୋ ଦେହି ହେବନି ।’

 

ଅନ୍ୟ ଜଣେ ସସ୍ତ୍ରୀକ ଯାତ୍ରୀ ଅନୁରୋଧ କଲେ କଣ୍ଡକ୍ଟର ବାବୁ, ‘ଏଇ ଆଗ ଛକରେ ଟିକିଏ ରୋକିଦେଲେ ଆମେ ଏଇଠି ଉତୁରି ଯାଆନ୍ତୁ । ବେଳ ରତ ରତ, ପୁଣି ବର୍ଷା ଆସୁଛି । ଆଗ ଗାଁରୁ ରିକ୍‌ସା ମିଳିବନି । ଭାରି ହଇରାଣ ହେବୁ ।’

 

‘ଇଏ ଏକ୍‌ସପ୍ରେସ୍‌ ବସ୍‌, ତମର ବୋଲକରା କି ହେ ? ସେ ବେଆଇନ କାମ ମୋ ଦେହି ହେବନାହିଁ । ତମକୁ କିଏ କହୁଥିଲା, ଏ ବସରେ ଆସିବାକୁ ?’ ଭଦ୍ରଲୋକଙ୍କର ବହୁତ କାକୁତି ମିନତି ସତ୍ତ୍ୱେ ବସ୍‌ ଚାଲିଗଲା ଓ ପରବର୍ତ୍ତୀ ଷ୍ଟପେଜରେ ରହିଲା । ଭଦ୍ରଲୋକ ସସ୍ତ୍ରୀକ ଓହ୍ଲାଇ ଗଲେ । ବୋଧହୁଏ ଅତ୍ୟନ୍ତ ବିରକ୍ତି ହେତୁ ପଦଟିଏ ତାଙ୍କର ପାଟିରୁ ବାହାରିଗଲା....‘ନଜାଣି–ପିଲାଏ ଏମାନଙ୍କୁ ବାଡ଼ାନ୍ତି ?’ ହଠାତ୍‌ ଡ୍ରାଇଭର ଖପ୍‌ କରି ଗାଡ଼ିରୁ ଡେଇଁପଡ଼ି ବାଁ ହାତରେ ଭଦ୍ରଲୋକଙ୍କ ସାର୍ଟ କଲର୍‌ ଧରିନେଲେ–‘ତେରେ ବାପ୍‌ ମରେ ଶା...., କଅଣ କହିଲୁ ବେ ? ଆଉ ଥରେ କହିଲୁ ?’ ଭଦ୍ରଲୋକ ସ୍ତମ୍ଭୀଭୂତ । ଦର୍ଶକମାନେ ମୂକ । କାହାରି ପାଟିରୁ କଥା ବାହାରୁ ନାହିଁ । ମୋର ଯୁବକ ରକ୍ତ ତାତି ଉଠିଲା । ମାତ୍ର ଡ୍ରାଇଭରର ରୁଦ୍ରମୂର୍ତ୍ତି ଦେଖି ମର୍ଯ୍ୟାଦା ହାନି ଭୟରେ ନୀରବ ରହିବାକୁ ବାଧ୍ୟ ହେଲି । ଭଦ୍ରଲୋକଙ୍କର ଶୋକାକୁଳା ସ୍ତ୍ରୀ ଉଭୟଙ୍କ ମଝିରେ ଆସି ଠିଆ ହୋଇଯିବାରୁ ଡ୍ରାଇଭର କଲର୍‌ ଛାଡ଼ିଦେଲେ ।

 

ଗାଡ଼ି ଷ୍ଟାଣ୍ଡ ଛାଡ଼ିଲା । କିଛି ଦୂର ଯିବାପରେ ଗୋଟାଏ ନିଛାଟିଆ ସ୍ଥାନରେ ହଠାତ୍‌ ବନ୍ଦ ହେଲା । ଜଣେ ଲୋକ ଡ୍ରାଇଭର ଦରଜା ବାଟେ ପଶି ଆସି ଡ୍ରାଇଭରଙ୍କ ଡାହାଣ ପାଖରେ ବସିପଡ଼ିଲା । କେହି ଜଣେ ପ୍ରଗଳ୍‌ଭ ପାସେଞ୍ଜର ପଚାରିଲେ ‘କଣ୍ଡକ୍ଟର ବାବୁ, ଇଏ କି ଆଇନ ?’ ‘ଓଃ, ସିଏ ଷ୍ଟାଫ୍‌ । ନଜାଣି କାହିଁକି ପାଟି କରୁଛ ?’

 

ଗାଡ଼ି ଚାଲିଛି । ଅଳ୍ପ ଅଳ୍ପ ବର୍ଷା ପକେଇଲାଣି । ଉପରେ ଛାଚିମୁଆଁ ରଖିଥିବା ପାସେଞ୍ଜର ପାଟି କରି ଉଠିଲେ, ‘‘ବାବୁ, ଗାଡ଼ି ରୋକି ଉପରେ ହେଲେ ପାଲ ପକାଇ ଦିଅ ଭଲା । ମୋ ଜିନିଷ ନଷ୍ଟ ହେଲା ।’’ ମାତ୍ର ଶୁଣୁଛି କିଏ ? ଗାଡ଼ି ଚାଲିଛି । ବିଚରା ଭଦ୍ରଲୋକଙ୍କର ବାରମ୍ବାର ଆକୁଳ ଚିତ୍କାର ମୋର ବଡ଼ ଅସହ୍ୟ ହେଲା । କ୍ଲିନରଙ୍କୁ କହିଲି ‘‘ହେ ବାବୁ, ଉପରେ ପାଲ ଘୋଡ଼ାଇ ଦିଅ । ତୁମକୁ କ’ଣ ଶୁଭୁ ନାହିଁ ?’’ କ୍ଲିନର ମୁହଁ ବୁଲାଇ ଦେଲା । ଅନ୍ୟ ଜଣେ ପାସେଞ୍ଜର କହିଲେ, ‘‘ଆଜ୍ଞା, ପାଲ ଅଛି ଯେ ଘୋଡ଼ାଇବେ ?’’ ହାୟ, ଭଗବାନ, ବିଚରା ଝିଅଘରେ ପାଲାହେଲା ବେଳକୁ କେବଳ କନାମୁଣି ଭିତରେ କିଛି ଭିଜା ଲିଆ ମାତ୍ର ଥିବ ।

 

ବର୍ଷାର ବେଗ ବଢ଼ିବା ସଙ୍ଗେ ସଙ୍ଗ ଗାଡ଼ି ଭିତରେ ଛାତରୁ ଟପଟପ ହୋଇ ପାଣି ପଡ଼ିଲା । ସାଇଡ୍‍ ପରଦା ମଧ୍ୟ ନାହିଁ । ଚିରା ଛିଣ୍ଡା ହୋଇ ଯାହା ବା ଝୁଲୁଛି, ସେଥିରେ ବର୍ଷା ପାଣି ରୋକିବା ଅସମ୍ଭବ । ସମସ୍ତେ ଓଦାରେ ଜୁଡ଼ୁବୁଡ଼ୁ । ସିଟ୍‌ ଉପରେ ଆଉ ବସି ହେଉନାହିଁ । ରେକ୍ଲିନ୍‌ କଟା ହୋଇଯାଇଛି । କେଉଁଠି ମେଞ୍ଚାଏ ସ୍ପଞ୍ଜ, ତ କେଉଁଠି କତା ବାହାରି ଶାଗୁଣା, ଶବର ଅନ୍ତବୁଜୁଳା ଟାଣି ବାହାର କରିନେଲା ପରି ଦିଶୁଛି । କେହି ଜଣେ କହିଲେ ‘‘ବସ୍‌ ଭିତରେ କ’ଣ ଛତାଟାଣି ଠିଆହେବାକୁ ପଡ଼ିବ ?’’ ଉତ୍ତର ମିଳିଲା, ‘‘ନହେଲେ ସିଟ୍‌ ତଳେ ପଶିଯାଅ ।’’ ଅଭିଯୋଗ ବହି ମାଗିବାରୁ କୁହାଗଲା ‘‘ସେଇଟା ମେନେଜରଙ୍କ ଅଫିସରେ ଥିଲେ ଥିବ ଯାଅ, ସେଇଠି ଲେଖିବ । ପୁଅ ଭାରି ସିନିଅର ଦେଖେଇ ହଉଛି ।’’

 

ଏତେ ବିରକ୍ତକର ପରିବେଶରେ ମଧ୍ୟ ଏସବୁ ଉକ୍ତି ପ୍ରତ୍ୟୁକ୍ତି ଶୁଣି କିଛିଟା ହସ ଲାଗୁଥାଏ । କାରଣ ଏହା ଏକ ସାମୂହିକ ଅନୁଭୂତି । ମୋ’ପରି ଆଉ ଅନେକ ମଧ୍ୟ ବସ୍‌ ଭିତରେ ରହି ଏହି ଦୁଃଖ, ଅସୁବିଧା ଭୋଗ କରୁଛନ୍ତି । ଏହି ମାତ୍ର ହେଲା ସାନ୍ତ୍ୱନା । ଦେଖିଲି, ବସ୍‌ ଷ୍ଟାଫ ଏପରି ପରିସ୍ଥିତି ସହିତ ସମ୍ପୂର୍ଣ୍ଣ ଅଭ୍ୟସ୍ତ । ତାଙ୍କର ଏଥିକୁ ତିଳେହେଲେ ଶୋଚନା ନାହିଁ କି ପାସେଞ୍ଜର ସୁଖ ସୁବିଧା ପ୍ରତି ଖାତର ରାହିଁ । କହିବ କାହାକୁ ? କେହି ବଡ଼ବଡ଼ିଆ ତ କେବେହେଲେ ବସରେ ଯାଆନ୍ତି ନାହିଁ କି ନିରୀହ ନାଗରିକଙ୍କର ଏ ନିର୍ଯ୍ୟାତନା ତାଙ୍କ ଦୃଷ୍ଟିରେ ପଡ଼େ ନାହିଁ । ପୁଣି ସଂଗଠନ ଓ ପଇସାର ବଳ କଳାକୁ ଧଳା କରିଦେଇପାରେ । ବ୍ୟକ୍ତିଗତ ଭାବରେ ଏ ଉତ୍ପୀଡ଼ନ, ଏ ଅବ୍ୟବସ୍ଥାର ମୁକାବିଲା କରିବାକୁ କାହା ଡେଣାରେ ପକ୍ଷୀ ଅଛି, କାହା ଜିଭରେ ହାଡ଼ ଅଛି ? ହଠାତ୍‌ ମୋର ଭାବନାରେ ବାଧାଦେଇ ଡ୍ରାଇଭର ଡାକିଲେ ‘‘ତ୍ରିନାଥ ?’’ ‘‘କ’ଣହେଲା ?’’ ‘‘ବାଁ ପଟ ଲାଇଟ୍‌ଟା ଜଳୁନିରେ । ବଲବ୍‌ ଫିଉଜ ହୋଇଯାଇଛି କି କ’ଣ ?’’ ‘‘ଏହେ, ଗୋଟାକରେ କେମିତିହେଲେ ଚଳେଇ ନିଅହେ, କେତେ ବାହୁନୁଛ ? ଦେଖ, ଜାଗ୍ରତରେ ନିଅ ।’’

 

ଏଣେ ବର୍ଷା ଛେଚୁଛି । ଓ୍ୟାଇପର୍‌ କାମ କରୁନାହିଁ । ଡ୍ରାଇଭର ଗାମୁଛା ଧରି ସାମନା କାଚକୁ ବାରମ୍ବାର ପୋଛିବାରେ ଲାଗିଛନ୍ତି । ପାସେଞ୍ଜରମାନେ କର୍ମ ଆଦରି ନିଜ ନିଜ ସିଟରେ କୁଙ୍କରି କାଙ୍କେରି ବସିଛନ୍ତି । କେହି କେହି ସିଟ୍‌ ରଡ଼୍‌ ଧରି ଠିଆହୋଇ ରହିଛନ୍ତି । ସତେ ଯେପରି ଅଗାଧ ସମୁଦ୍ରରେ ବାତ୍ୟାଗ୍ରସ୍ତ ବାଷ୍ପୀୟ ପୋତ ମଧ୍ୟରେ କେତେଗୁଡ଼ିଏ ଆତଙ୍କିତ ନିରୀହ ପ୍ରାଣୀ ଆଉ ପରସ୍ପର ମଧ୍ୟରେ ବଚସା ଦୂରେ ଥାଉ ମାମୁଲି କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଯାଇଛି । ସମସ୍ତଙ୍କ ମନରେ ଏକମାତ୍ର ଚିନ୍ତା କିପରି ଏ ଦୁର୍ଦ୍ଦଶାରୁ ମୁକ୍ତି ଲାଭ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ । ହଠାତ୍‌ ଏକ ବିରାଟ ଶବ୍ଦ କରି ବସ୍‌ଟା କେଉଁଠି ଯେପରି ଖୁବ୍‌ ଜୋରରେ ପିଟି ହୋଇଗଲା......... ।

 

ପରଦିନ ନିଜକୁ ଆବିଷ୍କାର କଲି ହସ୍‌ପିଟାଲର ଏକ ବେଡ଼ରେ, ବୋଉ ମୋର କାନ୍ଦୁଛି-। ବାପା ଗାଲରେ ହାତଦେଇ ବସିଛନ୍ତି । ଆତ୍ମୀୟ ସ୍ୱଜନ ଘେରିଛନ୍ତି । ସେପର୍ଯ୍ୟନ୍ତ ମୁଁ ବୋଧହୁଏ ଅଚେତ ଥିଲି । ସମସ୍ତେ ଆଶ୍ୱସ୍ତ ଯେ ମୋର ଚେତା ଫେରିଆସିଛି । କଥା କହିବାକୁ ଇଚ୍ଛା ହେଉଛି-। ମାତ୍ର ପ୍ରବଳ କଷ୍ଟ । ଜିଭରେ ଅନୁଭବ କଲି ବୋଧହୁଏ ଛାମୁଦାନ୍ତ ଦୁଇଟି ସବୁଦିନ ପାଇଁ ଯାଇଛି-। ଏତେବେଳକୁ ମନେପଡ଼ିଲା–ମୁଁ ବସ୍‌ ଭିତରେ ବସି ପଡ଼ିଲା ବେଳେ ପ୍ୟାଣ୍ଟଟିକିଏ ଓଦା ହୋଇଯିବାରୁ ମନେ ମନେ ଖୁବ୍‌ ବିରକ୍ତ ହୋଇଥିଲି । ସେତିକିବେଳେ କେହି ଜଣେ ଖିଲି ଖିଲି ହୋଇ ହସିଉଠିଥିଲା । ସେ ଆଉ କେହି ନୁହେଁ । ସେ ନିୟତି, ଅଶରୀରୀ । ଆଗକୁ ମୋ’ପାଇଁ ଏତେ ଅଧିକ ଦୁଃଖ ଅଛି ବୋଲି ଜାଣି ସେ ବୋଧହୁଏ ସେପରି ହସୁଥିଲା ।

Image

 

ଅବାନ୍ତର

 

‘ଡାକ୍ତର ବାବୁ, ତୁମେ ଏଣ୍ଡୁଅ ଦେଖିଛ ?’ ବାତାୟନ ପଥ ଦେଇ ଉଦାସ ନୟନରେ ବାହାରକୁ ଚାହିଁ ରହିଥିବା ଅଧ୍ୟାପକ ଆଚାର୍ଯ୍ୟ ହଠାତ୍‌ ମୁହଁ ବୁଲାଇ ନିଜର ରୁଗ୍‌ଣା ସ୍ତ୍ରୀଙ୍କୁ ପରୀକ୍ଷା କରୁଥିବା ଡାକ୍ତର ମହାପାତ୍ରଙ୍କୁ ପଚାରିଲେ । ଷ୍ଟେଥକୁ କାନରୁ ଖସାଇ ଡାକ୍ତର କହିଲେ ‘ଏଇ ଗଛ ଲଟାରେ ବସି ଯେଉଁ କ୍ଷୁଦ୍ର ଜୀବଗୁଡ଼ିକ ମୁଣ୍ଡ ଟୁଙ୍ଗାରୁଥାନ୍ତି–କଥାରେ କହନ୍ତିନି ? ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଛି । ଆପଣ ତାକୁହିଁ ମିନ୍‌ କରୁଛନ୍ତି ତ ?’ ‘ହଁ, ହଁ, ଠିକ୍‌ ତାକୁହିଁ ମିନ୍‌ କରୁଛି । ସେହି ମୁଣ୍ଡ ଟୁଙ୍ଗାରିବା ଭିତରେ ଯେ ଏକ ଗଭୀର ତତ୍ତ୍ୱ ନିହିତ ଅଛି ତାହା ତୁମେ ଜାଣ ? ବୋଧହୁଏ ଜାଣ ନାହିଁ । କାରଣ ଏହା କୌଣସି ଡାକ୍ତରୀ ବହିରେ ଲେଖା ନାହିଁ ।’ ଅଧ୍ୟାପକ ରହସ୍ୟ କରି କହିଲେ, ‘ତୁମେ କାର୍ଯ୍ୟ ସାର, ମୁଁ ସେକଥା କହୁଛି ।’ ଡାକ୍ତର ପୁଣି ଷ୍ଟେଥକୁ କାନରେ ଦେଇ ରୋଗୀ ଦେହରେ ଲଗାଇଲେ ।

 

ଅଧ୍ୟାପକଙ୍କର ସ୍ତ୍ରୀ ମନୋରମା ଡାକ୍ତରଙ୍କ ଜ୍ୟେଷ୍ଠା ଭଗିନୀ । ସାଧାରଣ ସ୍ୱାସ୍ଥ୍ୟ ଭଲ । ରକ୍ତଚାପ ସାମାନ୍ୟ କମ୍‌ ହେତୁ ସାମୟିକ ଅବସାଦ ଛଡ଼ା ଅନ୍ୟ କୌଣସି ଶାରୀରିକ କ୍ଳେଶ ନ ଥିଲା । ଏବେ ହଠାତ୍‌ ମୁଣ୍ଡ ବୁଲାଇଦେଇ ପଡ଼ିଯିବା ଫଳରେ ସାଂଘାତିକ ଆଘାତ ପାଇ ଦୁଇଦିନ ହେଲା ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି । ପରୀକ୍ଷାଦ୍ୱାରା ଜଣାଗଲା ରକ୍ତଚାପ ହଠାତ୍‌ ବଢ଼ିଯାଇ ବିପଦ ସୀମା ଟପିଛି । ସମସ୍ତେ ଆତଙ୍କିତ, ପ୍ରଥମ ଷ୍ଟ୍ରୋକ୍‌ରୁ ସେ ବର୍ତ୍ତିବେ ତ ?

 

ଏବେ ଅଧ୍ୟାପକ ଏକପ୍ରକାର ଭକୁଆ ପାଲଟି ଯାଇଛନ୍ତି । ଅତୀତରେ ସ୍ତ୍ରୀ କେବେ କେମିତି ଦେହ ଅସୁସ୍ଥ କଥା କହିଲେ ସେ ହସି ଉଡ଼ାଇ ଦିଅନ୍ତି । କହନ୍ତି, ‘ତୋ’ଠାରୁ ମୁଁ ଆଠବର୍ଷ ବଡ଼, ତେଣୁ ଆଗ ମୋତେ ଟିକଟ ମିଳିସାରିଲେ ଯାଇ ତା’ପରେ ତୋ କଥା ଉଠିବ ।’ ଏବେ କିନ୍ତୁ ତାଙ୍କ ଛାତିରେ ଛନକା ପଶିଯାଇଛି । ଖାଇବା ପିଇବା ଭୁଲି ଉଦାସ ନୟନରେ ଘଣ୍ଟା ଘଣ୍ଟା ଧରି ବାହାରକୁ ଚାହିଁ ରହୁଛନ୍ତି । ନାହିଁତ ବେଳେବେଳେ ଗୁଡ଼ାଏ ଅସଂଲଗ୍ନ ଅବାନ୍ତର ବା ଆପାତତଃ ସେହିପରି ବୋଧ ହେଉଥିବା କଥା କହି ଚାଲିଛନ୍ତି । ଶୁଣିବା ଲୋକ ଅନ୍ୟମନସ୍କ ହେଲେ ବଡ଼ ବିରକ୍ତ ହୁଅନ୍ତି, ଅଭିମାନ କରନ୍ତି । ତେଣୁ ଡାକ୍ତର ଯଦିଓ ପ୍ରତି ଘଣ୍ଟାରେ ରୋଗୀର ନାଡ଼ି, ରକ୍ତଚାପ ଇତ୍ୟାଦି ପରୀକ୍ଷା କରି ଚାଲିଛନ୍ତି–ତଥାପି ଏଣେ କାନ ଅଛି ଅଧ୍ୟାପକଙ୍କ ଆଡ଼େ । କାଳେ କିଛି କଥା ଆରମ୍ଭ କରି ବସିବେ ।

 

ଦୀର୍ଘ ପଞ୍ଚତ୍ରିଶ ବର୍ଷ ଧରି ଓଡ଼ିଶାର ବିଭିନ୍ନ କଲେଜରେ ସୁନାମର ସହିତ କାର୍ଯ୍ୟ କଲାପରେ ଗତ ଦୁଇମାସ ହେଲା ଅବସର ନେଇଛନ୍ତି ସେ । ଉତ୍ତମ ସ୍ୱାସ୍ଥ୍ୟ ବିଶିଷ୍ଟ ନିରାମୟ ବଳିଷ୍ଠ ଶରୀର । ମାତ୍ର ଏବେ କେତେଦିନ ହେଲା, ବିନା ରୋଗ ବ୍ୟାଧିରେ ହଠାତ୍‌ ସ୍ୱାସ୍ଥ୍ୟ ଭାଙ୍ଗିଯାଇଛି । ଚାକିରିର ଅନ୍ତିମ ପର୍ଯ୍ୟାୟରେ ବିନା ଅପରାଧରେ ଏକ କଳ୍ପନାତୀତ ଦାରୁଣ ବିପର୍ଯ୍ୟୟର ସମ୍ମୁଖୀନ ହେଲେ ସେ । ସ୍ୱାର୍ଥନ୍ୱେଷୀ ନୀଚ ପ୍ରବଞ୍ଚକମାନଙ୍କର କୂଟ ଚକ୍ରାନ୍ତର ସାନ୍ଦ୍ର ବ୍ୟୂହକୁ ଭେଦ କରି ତାଙ୍କର କ୍ଷୀଣ ସ୍ୱର କର୍ତ୍ତୃପକ୍ଷଙ୍କର କର୍ଣ୍ଣ କୁହରରେ ପ୍ରବେଶ କରି ପାରିଲା ନାହିଁ-। ପୁଣି ଯଥାର୍ଥ ମୁକାବିଲା ପାଇଁ ଶକ୍ତି ବା ସମ୍ବଳ ନ ଥିଲା ତାଙ୍କର । ଫଳରେ ନିଜ ସହିତେ ନିଜ ପରିବାରର ପିଲା, ବଡ଼ ପ୍ରତ୍ୟେକ ବ୍ୟକ୍ତି ତାଙ୍କରି ଆକ୍ଷି ଆଗରେ ନିର୍ମମଭାବେ ନିର୍ଯାତିତ ହେଲେ-। ସେହି ଦିନୁ ଅଧ୍ୟାପକଙ୍କ ଚିରହାସ୍ୟମୟ ମୁଖରୁ ହସ ଲିଭି ଯାଇଛି । କେବଳ ଶରୀର କାହିଁକି, ସ୍ୱଭାବ ପ୍ରକୃତିର ମଧ୍ୟ ଅନେକ ପରିବର୍ତ୍ତନ ଘଟିଯାଇଛି ।

 

ତା’ପରେ ଆସିଲା ଅବସର ବାସର । ମରଣ ପରି ତାହା ଅତି ନିର୍ମମ ସତ୍ୟ, ବାସ୍ତବ, ଅବଶ୍ୟମ୍ଭାବୀ । ପିଲାମାନେ କେହି ପାରିନାହାନ୍ତି । କନ୍ୟାଦାୟରୁ ସେ ମୁକ୍ତ ହୋଇ ନାହାନ୍ତି । ପୈତୃକ ସମ୍ପତ୍ତିରେ ଭରସା ନାହିଁ । ଇତର ବୃତ୍ତିର କୌଶଳ ଆୟତ୍ତ କରିବାକୁ ବଳ ବା ବୟସ ନାହିଁ-। ଏକ ବିଚିତ୍ର, ସାଂଘାତିକ ବେକାର ଅବସ୍ଥା । ଏହା ସାଂସାରିକ ଦାୟିତ୍ୱଶୂନ୍ୟ ଆଦ୍ୟ ଯୌବନର ବେକାରୀ ନୁହେଁ । ଏ ବେକାରୀ ତା’ଠାରୁ ସହସ୍ର ଗୁଣରେ ଭୟାବହ । ଏ ବେକାରୀ ଆସିଛି ଠିକ୍‌ ଯେତେବେଳେ ସଂସାରର ସମସ୍ତ ଗୁରୁଦାୟିତ୍ୱ ମସ୍ତକ ଉପରେ ପୁଞ୍ଜିଭୂତ ।

 

ଏଣେ ଚକ୍ଷୁ ସମ୍ମୁଖରେ ଆଲୋକ ନିଷ୍ପ୍ରଭ, ପରିପାର୍ଶ୍ୱ ଅସ୍ପଷ୍ଟ, ଶରୀରରେ ବାର୍ଦ୍ଧକ୍ୟର ବେପଥୁ । ଚାରିଆଡ଼େ ହେୟ, ଉଦାସୀନ, ଅବଜ୍ଞାର ମନୋଭାବ । ପ୍ରତି ପଦକ୍ଷେପ ଆଶଙ୍କାକୁଳ, ପତନର ଆଶଙ୍କା–ଏହି ସବୁ ଯେପରି ଏକାବେଳେକେ ଏଇ କେତେ ଦିନ ଭିତରେ ହଠାତ୍‌ କାହୁଁ ମାଡ଼ି ଆସି ଅଧ୍ୟାପକଙ୍କୁ କାବୁ କରିପକାଇଛି ।

 

ଅଧ୍ୟାପକ ବାହାରକୁ ଚାହିଁ ଗୁଣୁ ଗୁଣୁ ହୋଇ ଗୀତ ଗାଇବା ଆରମ୍ଭ କରି ଦେଇଛନ୍ତି । ମାଇକରେ କେଉଁଠି ଗୋଟାଏ ରେକର୍ଡ଼ ବାଜିବା ପରେ ପରେ ସେ ସେହି ସୁର୍‌ ଧରିନେଇଛନ୍ତି ‘‘......ଭାସିଗଲି ଭବ-ଜଳେ ନାବ ଦିଅ କୂଳକୁ..... ।’’ ହାୟ ହାୟ, ସେ ପ୍ରେମିକଶେଖରଙ୍କର ନାବକେଳୀ କେବେ ସରିବ ନା ନାବ କୂଳରେ ଲାଗିବ ।

 

ରୋଗିଣୀ କଡ଼ ଲେଉଟାଇଲେ । ସମସ୍ତେ ଆଶ୍ୱସ୍ତ, ତାଙ୍କର ଚେତନା ଫେରିଛି । ଯାହାହେଉ ପ୍ରଥମ ଷ୍ଟ୍ରୋକ୍‌ଟା ସେ ସମ୍ଭାଳି ନେଲେ । ‘‘ଡାକ୍ତର ତମେ ଆଜି ରାତିଟା ଏଠାରେ ରହିଯାଅ । କେଜାଣି କାଳେ ପୁଣି ତମର ଆବଶ୍ୟକତା ପଡ଼ିପାରେ ।’’ ‘‘ମୁଁ’’ ରହିଯିବି ଆଜ୍ଞା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ହଁ, ଆପଣ ସେ ଏଣ୍ଡୁଅ କଥାଟା କହିବେ ପରା ।

 

‘‘ଓହୋ ସେ କଥା ତୁମେ ମନେରଖିଛ । ଅଥଚ ମୁଁ ଭୁଲି ଯାଇଛି । ବାଲ୍ମିକୀ ରାମାୟଣରେ ରାମ-ଭାରତ କଥୋପକଥନ ପ୍ରସଂଗରେ ‘ରାଜା’ର ଚଉଦ ଦୋଷ ବର୍ଣ୍ଣିତ ହୋଇଛି-। ସେଥିମଧ୍ୟରୁ ‘ଅଦର୍ଶନଂ’ ଅର୍ଥାତ୍‌ ଦର୍ଶନାକାଙ୍‌କ୍ଷୀକୁ ଦର୍ଶନ ନଦେବା ଅନ୍ୟତମ ଦୋଷ । ଏହି ବିଷୟଟି, ରାମାୟଣରେ ନୃଗୁରାଜାଚରିତରେ ଆହୁରି ସ୍ପଷ୍ଟ କରି ଦିଆଯାଇଛି । ପ୍ରଭୁ ରାମଚନ୍ଦ୍ର ସୀତାଦେବୀଙ୍କୁ ବିନାଅପରାଧରେ ନିର୍ବାସନ ଦଣ୍ଡ ଦେଇ ଘୋର ଚିନ୍ତା ଓ ଦୁଃଖରେ ଆଉ ଚଳିପାରିଲେ ନାହିଁ । ଏପରିକି ସେ ସ୍ନାନ ଶୌଚ ଭୋଜନ ଶୟନ, ସମସ୍ତ ତ୍ୟାଗକରି କେବଳ ଗୋଟିଏ ସ୍ଥାନରେ ପଡ଼ିରହି ‘ହା ସୀତା’ ବୋଲି ଅନବରତ ରୋଦନ କଲେ ।

 

ରାଜକାର୍ଯ୍ୟ ବ୍ୟାହତ ହେଲା । ସମସ୍ତଙ୍କ ଅନୁରୋଧରେ କୁଳଗୁରୁ ବଶିଷ୍ଠ ଯାଇ ଶ୍ରୀରାମଙ୍କୁ ବୁଝାଇ କହିଲେ । ‘‘ହେ ମହାରାଜ, ତୁମେ ନିଜ ଶରୀରକୁ କଷ୍ଟ ଦେଇପାର । ମାତ୍ର ପ୍ରଜାମାନଙ୍କୁ କଷ୍ଟଦେବା ଉଚିତ୍‌ ନୁହେଁ । ପ୍ରଜାପାଳନ ଯଥାରୀତି ଚାଲିବା ଉଚିତ୍‌ । ନଚେତ୍‌ ଯେଉଁ ପ୍ରଜାନୁରଞ୍ଜନ ପାଇଁ ତୁମେ ଏତେ ବଡ଼ ମହାନ୍‌ ତ୍ୟାଗ ବରଣ କରି ସଂସାରରେ ଅକ୍ଷୟ କୀର୍ତ୍ତି ସ୍ଥାପନ କଲ, ସେ ଉଦ୍ଦେଶ୍ୟ ପୂରଣ ହେବନାହିଁ ।

 

ଗୁରୁବାକ୍ୟ ଶ୍ରବଣରେ ଶ୍ରୀରାମ ସଚେତନ ହେଲେ । ସଙ୍ଗେ ସଙ୍ଗେ ଲକ୍ଷ୍ମଣଙ୍କୁ ଡକାଇ ପଚାରିଲେ ‘‘ବାବୁ, ଆମ ପ୍ରଜାମାନଙ୍କର କୌଣସି ଅଶାନ୍ତି ହୋଇନାହିଁ ତ ? ଏଥିମଧ୍ୟରେ ମୋର ଦର୍ଶନପ୍ରାର୍ଥୀ କେହି ନିରାଶ ହୋଇ ଫେରିଯାଇ ନାହାନ୍ତି ତ ? କାରଣ ରାଜାର ଚଉଦ ଦୋଷ ମଧ୍ୟରେ ଏହି ‘‘ଅଦର୍ଶନ’’ ଏକ ବଡ଼ ଦୋଷ । ଏହି ଦୋଷ ହେତୁ ରାଜା, ସଂବୃତ ନାମକ ଘୋର ନର୍କରେ ପତିତ ହୁଏ । ମୁଁ ତୁମକୁ ନୃଗୁରାଜାଙ୍କ ବିଷୟ କହୁଛି ଶୁଣ :–ନୃଗୁରାଜା ମହାଦାନୀ, ଦେବତା ବ୍ରାହ୍ମଣ ଭକ୍ତ, ସତ୍ୟବାଦୀ, ଶୁଚିମନ୍ତ ଏବଂ ଉତ୍ତମ ପ୍ରଜାପାଳକ ଥିଲେ । ଥରେ ସେ ପୁଷ୍କର ତୀର୍ଥରେ ଏକ କୋଟି ସବତ୍ସାଗାଭୀ ବ୍ରାହ୍ମଣମାନଙ୍କୁ ଦାନ କଲେ । ସେହି ଗାଭୀଗୋଷ୍ଠ ମଧ୍ୟରେ ଜଣେ ଦରିଦ୍ର ବ୍ରାହ୍ମଣଙ୍କର ଗାଈ ଦୈବାତ୍‌ ମିଶିଯାଇଥିଲା । ରାଜା ତାକୁ ମଧ୍ୟ ଭୁଲରେ ଦାନ କରିଦେଲେ । ବ୍ରାହ୍ମଣ ବିଚରା ଅନେକ ଅନୁସନ୍ଧାନ କରି ଅନ୍ୟ ଏକ ଗ୍ରାମରେ ଜଣେ ବ୍ରାହ୍ମଣ ଘରେ ନିଜ ଗାଈକୁ ଦେଖିଲେ ଓ ପଚାରିବାରୁ ସେ ତାକୁ ନୃଗୁରାଜାଙ୍କଠାରୁ ଦାନ ରୂପେ ଗ୍ରହଣ କରିଛନ୍ତି ବୋଲି ପ୍ରକାଶ କଲେ ।

 

ବ୍ରାହ୍ମଣ କ୍ଷୁଣ୍ଣ ମନରେ ନୃଗୁରାଜାଙ୍କ ନିକଟକୁ ଗଲେ । ମାତ୍ର ଦର୍ଶନ ନିମିତ୍ତ ରାଜାଙ୍କର ଅନୁମତି ତାଙ୍କୁ ମିଳିଲା ନାହିଁ । ତେଣୁ ବ୍ରାହ୍ମଣ କ୍ରୁଦ୍ଧ ହୋଇ ଅଭିଶାପ ଦେଲେ ‘‘ହେ ରାଜା’ ତୁମେ ଏଣ୍ଡୁଅ ହୋଇ ବୃକ୍ଷ କୋଟରରେ ବାସ କର । ତୁମକୁ ଦେଖିବେ ନାହିଁ କି ତୁମେ ମଧ୍ୟ କାହାକୁ ଦେଖିବ ନାହିଁ । ତେବେ ତୁମେ ଧାର୍ମିକ ହେତୁ ଦୁଇଯୁଗ ବିତିଲା ପରେ ତୃତୀୟ ଅର୍ଥାତ୍‌ ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ ରୂପରେ ବନବିହାର କରିବେ, ତାଙ୍କରି ମୁଖ ଚାହିଁ ତୁମେ ଶାପମୁକ୍ତ ହେବ ।

 

ଦେବର୍ଷି ନାରଦଙ୍କଠାରୁ ଏ ଦୁଃସମ୍ବାଦ ପାଇ ନୃଗୁରାଜା ଅତ୍ୟନ୍ତ ଅନୁତପ୍ତ ଓ ମର୍ମାହତ ହେଲେ । ମାତ୍ର ସେତେବେଳେ ଆଉ ଉପାୟ ନ ଥିଲା । ଏତେବଡ଼ ଧାର୍ମିକ ରାଜାଙ୍କୁ ସାମାନ୍ୟ ଛୁଟି ପାଇଁ ଦୁଇ ଯୁଗଧରି ଅଭିଶାପ ଭୋଗ କରିବାକୁ ହେଲା । ଶ୍ରୀରାମଙ୍କ ମୁଖରୁ ଏହା ଶ୍ରବଣ କରି ଲକ୍ଷ୍ମଣ ଚମତ୍କୃତ ହେଲେ ।

 

ଏବେ ବୁଝ ଡାକ୍ତର, ଏହି ଏଣ୍ଡୁଅ ସାମାନ୍ୟ ପ୍ରାଣୀ ନୁହେଁ । ଏ ହେଉଛି, ସତ୍ୟ ଯୁଗର ସେହି ନୃଗୁରାଜା । ଥରେ ଜଣେ ପ୍ରାର୍ଥୀକୁ ଦର୍ଶନ ଦେଇ ନ ଥିବା ହେତୁ ଏବେ ମୁଣ୍ଡ ଟୁଙ୍ଗାରିବା ଛଳରେ ସମସ୍ତଙ୍କୁ ପାଖକୁ ଡାକୁଛନ୍ତି ଏବଂ ନିଜର ଦୋଷ ସ୍ୱୀକାର କରିଛନ୍ତି ।’’

 

ଡାକ୍ତର ଅନୁଭବ କଲେ, ରାମାୟଣର ଏହି ସୁନ୍ଦର କାହାଣୀଟି ଗଭୀର ଅର୍ଥପୂର୍ଣ୍ଣ ଏ ବି ହୁଏତ ସବୁଯୁଗରେ ଶାସକ ବର୍ଗପ୍ରତି ଏକ ସରଳ ଚେତାବନୀ । ମାତ୍ର ନିଜର ସ୍ତ୍ରୀ ଯେତେବେଳେ କଠିନ ରୋଗାକ୍ରାନ୍ତ, ଜୀବନ ମରଣର ସନ୍ଧିସ୍ଥଳରେ, ସେତେବେଳେ ଅଧ୍ୟାପକଙ୍କର ଏ ଅବାନ୍ତର ଏଣ୍ଡୁଅ ଉପାଖ୍ୟାନ ମନେପଡ଼ିଲା କାହିଁକି ? ଏହା ସହିତ ସ୍ତ୍ରୀଙ୍କର ହଠାତ୍‌ କଠିନ ରୋଗାକ୍ରାନ୍ତ ହେବା ଘଟଣାର କିଛି ସମ୍ପର୍କ ରହିଛି କି ? ଏହା ଉଭୟଙ୍କ ପାଇଁ ଏକ ଦାରୁଣ ମାନସିକ ଆଘାତର ପ୍ରତିକ୍ରିୟା ନୁହେଁ ତ ?

 

ଏସବୁ ପ୍ରଶ୍ନର ଉତ୍ତର ଦେବ କିଏ ? ଶାରୀରିକ ଚିକିତ୍ସାର ପରିସର ଭିତରେ ଏ ପ୍ରଶ୍ନସବୁ ଅବାନ୍ତର ହେବ ନାହିଁ କି ? ତଥାପି ଡାକ୍ତର ନିଜର ବ୍ରକ୍ତିଗତ ସମ୍ପର୍କ ଦୃଷ୍ଟିରୁ ଅଧ୍ୟାପକଙ୍କର ବିରକ୍ତ ପାଇଁ ପ୍ରସ୍ତୁତ ହୋଇ ସାହସ କରି ତାଙ୍କ ଏ ପ୍ରଶ୍ନ ପଚାରିଲେ । ମାତ୍ର ତାଙ୍କ ପ୍ରଶ୍ନର ଅସ୍ପଷ୍ଟ ପ୍ରତିଧ୍ୱନି ମାତ୍ର ଶୁଭିଲା । ଉତ୍ତର ମିଳିଲା ନାହିଁ । ଡାକ୍ତର ସ୍ତମ୍ଭୀଭୂତ । ସତେ ଯେପରି ଅଧ୍ୟାପକ ପୁଣି ରହସ୍ୟ କରି କହୁଛନ୍ତି । ‘‘ଡାକ୍ତର ମୋର ଶରୀରରେ ଏବେ ଯେଉଁ ପ୍ରକ୍ରିୟା ଘଟିଯାଇଛି ତା’ର ଚିକିତ୍ସା ପଦ୍ଧତି ତମ ଡାକ୍ତରୀ ପାଠରେ କେଉଁଠି ହେଲେ ଲେଖା ନାହିଁ ।’’ *

 

* (ଦୈନିକ ପ୍ରଜାତନ୍ତ୍ର ସାହିତ୍ୟ ବିଭାଗରେ ପ୍ରକାଶିତ)

Image

 

ଅବାଞ୍ଛିତ

 

ରାତି ବହୁତ ହେଲାଣି । ହେଲେ ରାଜେନ୍ଦ୍ର ଆକ୍ଷିକୁ ନିଦ ନାହିଁ । ଶେଯ ଉପରେ ପଡ଼ିରହି ସେ ଖାଲି ଭାବୁଛି, କେତେବେଳେ ସକାଳ ହେବ । ଆଉ ସେ ବାବାଜି ପାଖରୁ ପାନ ମନ୍ତୁରେଇ ଆଣି କାଞ୍ଚନକୁ ଦେବ । ବହୁ କଷ୍ଟରେ ଧୋବଣୀକୁ ହାତ କରି କାଞ୍ଚନ ଶାଢ଼ିର ଦଶି ଟିକିଏ ସଂଗ୍ରହ କରିଛି । ଆଉ ତାଙ୍କ ବାରି ଖତଗଦା ପାଖରୁ ପାଇଛି, ତା’ ମୁଣ୍ଡର ବାଳ । ଏତେ ଲମ୍ବାବାଳ କାଞ୍ଚନର ନ ହୋଇ ଆଉ କାହାର ହୋଇପାରେ ? ବାକି ରହିଲା ନଖ । ବହୁତ ଚେଷ୍ଟାକରି ସୁଦ୍ଧା ତାଙ୍କୁ ସଂଗ୍ରହ କରିପାରିନାହିଁ । ଗୋଟିଏ ଆଇଟମ୍‌ ନହେଲେ କ’ଣ ଚଳିଯିବନି ? କାଞ୍ଚିଟା ତ ଦେଖିଲାକ୍ଷଣି ଏବେ ଖାଲି ଫଁ ଫଁ ହେଉଛି । ନଖ କଥା କହିଲେ ନିଶ୍ଚେ ଚିହିଁକି ଉଠିବ । ବାକି ପନ୍ଦରଟଙ୍କା ଆଜି ବୋଉ ଟଙ୍କା ପେଟରାରୁ ଚୋରି କରିଛି । ବାବାଜି କହିଛି ଏଇତକ ଜିନିଷ ଆଉ ଟଙ୍କା ପାଇଲେ ସେ ପୂଜା କରିବ । ତା’ପରେ ପାନ ଖଣ୍ଡେ ମନ୍ତ୍ର କରି ଦେବ । କାଞ୍ଚନ ସେଇ ପାନକୁ ଖାଇଲେ ପୋଷା କୁକୁର ପରି ପଛରେ ଗୋଡ଼ାଇବ ।

 

ପୂର୍ବରୁ ଅବଶ୍ୟ ବାବାଜି ଗୋଟାଏ ଇଲମ ଦେଇଥିଲା । ହେଲେ ନିଜ ଦୋଷରୁ ସେଇଟା ଫୁସକି ଗଲା । ବାବାଜି କହିଥିଲା, ସଂକ୍ରାନ୍ତି ଦିନ ଦେଖି ଗୋଟାଏ ଚୁଚୁନ୍ଦ୍ରା ମାରି ନିରୋଳା ଜାଗାରେ ପୋତିବ । ସାତଦିନ ପର୍ଯ୍ୟନ୍ତ ଦୁଧ, ଅରୁଆଚାଉଳ ଧୂପ ଦେବ ତା’ପରେ ତା’ର ହାଡ଼ ଖଣ୍ଡିଏ ଆଣିଦେଲେ ବାବାଜି ତାକୁ ମନ୍ତ୍ର କରିଦେବ । ସେହି ମନ୍ତ୍ରହାଡ଼କୁ ଖାଲି ଛୁଆଁଇ ଦେଲେ ଯିଏ ସିଏ ବଶ୍ୟ ହୋଇଯିବ । ଗଜେନ୍ଦ୍ର, ସବୁ ବିଧିମତେ କରିସାରି ଯେତେବେଳେ ମାଟି ଖୋଳି ହାଡ଼ ଆଣିବାକୁ ଯାଏ, ଦୁର୍ଗନ୍ଧରେ ନାକ ଫାଟିଗଲା । ହାଡ଼ ଚମ କିଛି ବାରି ହେଲାନାହିଁ । ସେଥିର ସିନା ସେ ଫେଲ୍‌ ମାରିଲା । ଏଗର ଟୋକୀ ଯିବ କୁଆଡ଼େ ?

 

ଖାସ୍‌ ଏଇ ଧନ୍ଦା କରିବାକୁ ଜ୍ୱରହୋଇଛି ବୋଲି ମିଛରେ କହି ଏଥର ସେ ଯାତ୍ରା ଦଳରେ ଯାଇନାହିଁ । ଯାତ୍ରା ଦଳର ଶ୍ୟାମ ରାଜା ପାର୍ଟ କରେ । ବଂଶୀ ବଜାଏ । ବେଶ୍‌ ଏତିକି । ଏତିକିରେ ସେ କାଞ୍ଚନର ମନଟାକୁ ଏମିତି କିଣି ନେଇଛି ଯେ ଟୋକୀ ଆଉ ମୁହଁକୁ ଟିକିଏ ହେଲେ ଚାହୁଁନାହିଁ । କାଞ୍ଚନ, ଗଜେନ୍ଦ୍ରର ପିଲାଦିନର ସାଥୀ । ସମବୟସୀ । ଘରକୁ ଘର ପ୍ରାୟ ଲଗାଲଗି । ପିଲାଦିନେ ବର କନ୍ୟା ହୋଇ ଖେଳିଲାବେଳେ ଦୁହିଁଙ୍କର ମା’ କଥାହୋଇଥିଲେ, ବଡ଼ହେଲେ ଦୁହିଁଙ୍କୁ ବିଭା କରିବେ । ଘର ଝିଅ ଘରେ ରହିବ । ସେହି ପିଲାଦିନୁ ଗଜେନ୍ଦ୍ର, କାଞ୍ଚନକୁ ଅତି ଆପଣାର ବୋଲି ମନେକରିଆସୁଛି । ତାକୁ ବିଭାହେବା କଥା ମନେପକାଇ ସେ ଆନନ୍ଦରେ କୁରୁଳି ଉଠେ ।

 

ଏବେ କେତେଦିନ ହେଲାଣି, ତଳସାହିର ଶାମା ତା’ର ଗୋଟାଏ ଗଳଗ୍ରହ ହୋଇଉଠିଛି । ତା’ର ବୟସ କେଜାଣି ଦେଢ଼ଗୁଣରୁ ବେଶି ହେବ । କେଉଁବାଟରେ କେମିତି କାଞ୍ଚନ ସଙ୍ଗେ ସମ୍ପର୍କ ଜମେଇ ଦେଇଛି । ମା’ ମଲାପରେ କାଞ୍ଚନଟା ଅବଶ୍ୟ ଟିକିଏ ଉପରମୁହିଁ ହୋଇଯାଇଛି । ହେଲେ ମଧ୍ୟ ଏତେ ଦିନର ସମ୍ପର୍କ ସେ ତୁଟାଇ ଦେବ ? ଶମାଟା କୋଉ ଗୁଣକୁ ତା’ର ଯୋଗ୍ୟ ? ବାଡ଼ି ଗୋବରେ ତ ଗୋବେ ବୋଲି ନାହିଁ । ନାଟ କଲେ ପେଟ ପୋଷେ । ଶଳା ଦରବୁଢ଼ା ନିଶ୍ଚେ କାଞ୍ଚନକୁ କିଛି ଜଡ଼ି ମନ୍ତ୍ର କରିଛି । ନହେଲେ ସେଦିନ ନଈକୂଳେ ମୁହଁଅନ୍ଧାରଟାରେ ଓଲଟି କାଞ୍ଚନ ତାକୁ କୁଣ୍ଢାଇ ପକାନ୍ତା ! ସେଦିନ ତା’ ମନରେ ଯେଉଁ ରାଗ ହେଲା ନା ଶାମର ତଣ୍ଟି କଣାକରି ରକ୍ତ ପିଇଯାନ୍ତା । ତିନି ଦିନ ପର୍ଯ୍ୟନ୍ତ ଅନ୍ନ ଜଳ ଛୁଇଁ ନାହିଁ । ହଉ, ଏଇଥର ଦେଖିବୁରେ ପୁଅ ।

 

ଚିଠି ଖଣ୍ଡେ ଲେଖିଦେଇଥିଲା କାଞ୍ଚନ ପାଖକୁ ତା’ ସାନ ଭଉଣୀ ହାତରେ । ଚାରଣାର ବୁନ୍ଦିଆ ତାକୁ ଖୁଆଇଥିଲା । କେତେ ଭାବି ଚିନ୍ତି ଲେଖିଥିଲା.....ପ୍ରାଣେଶ୍ୱରୀ, ହୃଦୟଶ୍ୱରୀ–ଧେତ୍‌ ଏଗୁଡ଼ାକ ସବୁ ପୁରୁଣା ହୋଇଲାଣି । ଶେଷରେ ଲେଖିଥିଲା, ‘‘ପ୍ରିୟସଖୀ’...... । ଚିଠିଖଣ୍ଡ କାଞ୍ଚନ ପାଇଲା କି ନାହିଁ ? ଦେଖିଲେ, ସେମିତି ଟଙ୍ଗ ଟଙ୍ଗ ହୋଇ ଚାଲିଯାଉଛି । କଥା କହିବା ଦୂରେ ଥାଉ ଆଡ଼ଆକ୍ଷିରେ ଅନଉ ନାହିଁ, ଏଣେ ବୋଉ ବିଭାଘର ଲଗେଇଲାଣି ଆର ଗାଁରେ । ଝିଅଟି କୁଆଡ଼େ ଦେଖିବାକୁ ଭାରି ସୁନ୍ଦର, ବୋଉ କହୁଛି ଗଜେନ୍ଦ୍ର ବାପାମା’ଙ୍କର ଏକମାତ୍ର ସନ୍ତାନ । ପିଲାଦିନୁ ବାପ ଛେଉଣ୍ଡ । ହେଲେ ପୈତୃକ ସମ୍ପତ୍ତି ପାଞ୍ଚଏକର ଜମି । ‘ମା’ ପୁଅଙ୍କର ଚଳଣିରେ ଅଭାବ ନାହିଁ । ଖାଲି ଗୋଟାଏ ସଉକରେ ଗଜିଆ ନାଟ ଦଳରେ ମିଶିଛି । ବୁଢ଼ୀର ମନ, ଶୀଘ୍ର ପୁଅକୁ ହାତକୁ ଦି’ହାତ କରି ବୋହୂ ସେବା ଟିକିଏ ପାଇବ । ମାତ୍ର ଗଜିଆର ଏକାଜିଦ....ସେଇ କାଞ୍ଚନ । ଏଣେ ଲୋକେ କହୁଛନ୍ତି, କାଞ୍ଚନକୁ ବୋହୂ କଲେ ପୁଅକୁ ବୋହୂ ବଳେଇ ପକେଇବ । ଯାହା କହନ୍ତୁ, ବୋହୂ ପୁଅକୁ କାଖେଇ ନବ ।

 

ରାତି ପାହି ସକାଳ ହେଲା । ଦାନ୍ତଟା ଘଷି ପକାଇ ଗଜେନ୍ଦ୍ର ବାବାଜି ପାଖେ ହାଜର । ବାବାଜି ମନା କରିଛି, ପୂଜା ଶେଷପର୍ଯ୍ୟନ୍ତ କିଛି ନଖାଇ ପୂରା ଉପବାସ ରହିବାକୁ ପଡ଼ିବ । ପୂଜାସାରି ପାନ ହାତରେ ଧରି ବାବାଜି ମନ୍ତ୍ର ପଢ଼ିଲା । ‘‘ଓଁ ପାନ ତ ପାନ, ଶଙ୍ଖମୟୀ ଚୂନ, ରକ୍ତମୟୀ ଖଇର । ଏ ପାନ ଯେ ଖାଇ, ବର୍ଷେ ଛ’ମାସ ଲାଗି ଥାଇ– ।’’ ‘‘ଆଜ୍ଞା ବାବାଜି ମାହାପ୍ରୁ-?’’ ‘କିରେ କ’ଣ ?’ ‘ଆଜ୍ଞା ବର୍ଷେ ଛଅ ମାସ ଲାଗି ତାପରେ କ’ଣ ଛାଡ଼ିଯିବ ?’ ‘ନାଁରେ ବୋକା, ମନ୍ତ୍ରରେ ସେମିତି ବୋଲାଯାଏ ।’ ପୁଣି ପଢ଼ିଲା, ‘ଓଁ ଗିରସ୍ତକୁ ଦେଖି ବିଶିପିତା । ମୋତେ ଦେଖିଲେ କରଇ ଇଷ୍ଟଦେବତା–ଲାଖ ଲାଖ ପାନ..... ।’’ ଏ–ହେଁ, ବାଆଜି ମାହାପ୍ରୁ ? ‘‘ଧେତ୍‌ ବେ, ପୁଣି କଅଣ ?’’ ‘‘ଆଜ୍ଞା ସେ ପରା ବିଭା ହୋଇନାହିଁ, ତା’ର ପୁଣି ଗିରସ୍ତ କଅଣ ?’’ ‘‘ବୁଝିଲୁ ଗଜିଆ, ତୋ ବାପ ମା’ ତୋର ଠିକ୍‌ ନାଁ ଦେଇଥିଲେ । ତୁ ଗୋଟାଏ ନିପଟ ଗଜମୂର୍ଖ ! ଏମିତି ମଝିରେ ଡିଷ୍ଟର୍ବ କଲେ ମନ୍ତ୍ର ଆଉ କାଟୁ କରିବଟି ?’’ ‘ଆଜ୍ଞା, ଆଜ୍ଞା ମୋର ଭୁଲ ହୋଇଛି । ଚୁପ୍‌ ହେଇ ବସିଲି ।’

 

ଗଜେନ୍ଦ୍ର ନଈ କୂଳରେ ଜଗିଛି । କାଞ୍ଚନ ଆସିଲା, ନଈରୁ ପାଣି ନେଇ ଫେରିଲା ବେଳକୁ ଡାକିଲା ‘କାଞ୍ଚନ, ଆଲୋ ଟିକିଏ ଶୁଣ୍‌ମ ।’ କ–ଅଣ କିରେ ? କାହିଁକି ଡାକୁଛୁ ? ହଇରେ ଗଜିଆ, ତୋ ସଖୀ କିଏ କିରେ ? କାହା ପାଖୁ ଚିଠି ଦେଇଥିଲୁ ବା ? ନାଟ ଦଳରେ ମିଶି ତୋ ମୁଣ୍ଡ ବିଗିଡ଼ି ଗଲାଣିକିରେ ?

 

ବିଚରା ଗଜେନ୍ଦ୍ରର ପାଟି ଆପୁ ଆପୁ, ତଣ୍ଟି ଅଠା ଅଠା ଧରିଲାଣି ପାଟିରୁ ଆଉ କଥା ବାହାରୁ ନାହିଁ । ଏଣେ ଆକ୍ଷି ଆଗରୁ କାଞ୍ଚନ ତା’ର ସ୍ଫୀତ ନିତମ୍ବକୁ କଳସୀ ଜଳରେ ଭିଜାଇ ଚାଲିଯାଉଛି । ଗଜେନ୍ଦ୍ର ପୁଣି ଡାକିଲା ‘କାଞ୍ଚନ ପାନ ଖାଇବୁ କି ? ନେ ।’ ‘କି ପାନ ବା ? ସେ ବାଡ଼ିଖିଆ ବାଆଜି ଦେଇଛି କିରେ ? ରହରେ ଛତରା, ତୋ ବୋଉ ଆଗେ ଯାଇ ସବୁ କହୁଛି ।’

 

ଗଜେନ୍ଦ୍ରର ଧୈର୍ଯ୍ୟ ଚ୍ୟୁତି ହେଲା । ସେ ମଧ୍ୟ ପାଟି କରି କହିଲା ମତେ କ’ଣ ଧମକଉଛୁ ବା ? ମୁଁ ସବୁଦେଖିଛି ଯେ । ସେଦିନ ନଈ କୂଳରେ ଶାମାକୁ କୁଣ୍ଢାଇପକାଇ ତା’ ମୁହଁରେ ବୋକ ଦେଉଥିଲୁ । ସେ କୋଉ ଦିନ ତୋର ଏଡ଼େ ଆପଣାର ହୋଇଗଲା ଆଉ...... । ଗଜେନ୍ଦ୍ର ଆଉ କିଛି କହିନପାରି ରାଗରେ କାନ୍ଦି ପକାଇଲା । କାଞ୍ଚନର ମୁହଁ ଶେତା ପଡ଼ିଯାଇଥିଲା । ‘ଏମା, ଏ ଟୋକା ସବୁ ଦେଖିଛି ଲୋ ମା !’ ଗଜେନ୍ଦ୍ରକୁ କହିଲା ‘ହଇରେ ଗଜି, ମୁଁ ପରା ତୋ ମାଉସୀ ହେବିରେ । ତୋ ବୋଉକୁ ମୁଁ ନାନୀ ବୋଲି ଡାକେ ।’ ମାଉସୀ ନା ଛେନା’–କହି ଗଜି ତମ ତମ ହୋଇ ଚାଲିଗଲା ।

 

ନଈକୂଳରେ ବହୁ ସମୟ ଧରି ବସିଲା । ସୂର୍ଯ୍ୟ ଅସ୍ତଗଲେ । ଗାଁ ଗୋଠ ବାହୁଡ଼ିଲେ । ନଈ ଗଣ୍ଡ ଭିତରେ ପରୀରାଇଜର ଶୋଭା ସୃଷ୍ଟି ହେଲା । ଛୋଟ ଟେକାଟିଏ ଧରି ସେ ଫିଙ୍ଗିଲା । ଜଳରେ ଛୋଟ ଆବର୍ତ୍ତଟିଏ ସୃଷ୍ଟି ହେଲା ଓ ପରମୁହୂର୍ତ୍ତରେ ମିଳାଇ ଗଲା । ଗଜେନ୍ଦ୍ର ଭାବିଲା, ଯଦି ସେ ନିଜେ ଗଣ୍ଡକୁ ଡେଇଁ ପଡ଼େ ତେବେ ବଡ଼ ଆବର୍ତ୍ତଟିଏ ସୃଷ୍ଟି ହେବ । ଆଉ ସେ ଫିଙ୍ଗିଥିବା ଟେକା ଭଳି ଜଳର ଅତଳ ଗର୍ଭରେ କୁଆଡ଼େ ସେ ଲୀନ ହୋଇଯିବ । କାଲି ହୁଏତ ଠିକ୍‌ ଏହି ସ୍ଥାନରେ ଶାମ ଆଉ କାଞ୍ଚନ ପରସ୍ପର ନିବିଡ଼ ଆଲିଙ୍ଗନରେ ଆବଦ୍ଧ ହେବେ । ସେ ଅସହ୍ୟ ଦୃଶ୍ୟ ଦେଖିବାକୁ ଆଉ ସେ ନ ଥିବ । ଦୁଃଖ ଓ କ୍ରୋଧରେ ତରୁଣ କୋମଳ ହୃଦୟ ତା’ର ସତେଯେପରି ବିଦୀର୍ଣ୍ଣ ହେଲା ! ଦୀର୍ଘ ନିଶ୍ୱାସ ସହିତ ପାଟିରୁ ବାହାରି ପଡ଼ିଲା ‘‘ହେ ବିଧାତା କି ଦୋଷ କରିଥିଲି ମୁଁ ତୋର ।’’ ଗଜେନ୍ଦ୍ର ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦି ଉଠିଲା । ବୁହେ କାନ୍ଦି ପକାଇବାରୁ ମନଟା ତା’ର ଟିକିଏ ଯେପରି ହାଲକା ହୋଇଗଲା । ପୁଣି ମନେପଡ଼ିଲା କାଞ୍ଚନ ପାନ କଥା ଶୁଣି କାହିଁକି ବିଗିଡ଼ି ଗଲା ? ବାବାଜିଠାରୁ ପାନ ଆଣିବା ସେ ଜାଣିଲା କିପରି ? ନିଶ୍ଚୟ ତାକୁ ଆଉ କିଏ ଏହିପରି ପାନ ଆଣି ଦେଇଛି । ଶାମା ଛଡ଼ା ସେ ଆଉ କେହି ନୁହେଁ । ସେହି ସେହି ବଦମାସ୍‌-। କାଞ୍ଚନ ବିଚାରୀ ମନ୍ତ୍ରର ପ୍ରଭାବରେ ପଡ଼ିଯାଇଛି ।

 

ପରଦିନ ଗଜେନ୍ଦ୍ର ସହରକୁ ଯାଇ ଯାତ୍ରାଦଳରେ ହାଜର । ଓସ୍ତାଦ କହିଲେ ‘‘କିରେ, ଦେହ ଭଲ ହୋଇଗଲା ? କେଡ଼େ ଶୁଖିଲାଟା ଦିଶୁଛୁ ?’’ ରାତ୍ରିରେ ଯାତ୍ରା ସାରି ସମସ୍ତେ ଖାଇପିଇ ଶୋଇଲେ । ଗଜେନ୍ଦ୍ର ଧୀରେ ଉଠିଯାଇ ଯାତ୍ରା ଖଣ୍ଡାରୁ ଗୋଟାଏ ନେଇ ଶୋଇଥିବା ଶାମାର ପେଟକୁ ଖୁବ୍‌ ଜୋରରେ ଭୁଷି ଦେଲା ।

 

ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିବା ଶାମାକୁ ଲୋକେ ସଙ୍ଗେ ସଙ୍ଗେ ହସ୍‌ପିଟାଲକୁ ଟେକିନେଲେ । ଗଜେନ୍ଦ୍ର ଉପରେ ହେଲା ମାଡ଼ । ସେ ମଧ୍ୟ ଦରମରା ହୋଇ ଅଚେତ ଅବସ୍ଥାରେ ଗଲା ହସ୍‌ପିଟାଲ । ଲୋକେ କୁହାକୁହି ହେଲେ ଶ୍ୟାମର ଆଘାତ ଗୁରୁତର ନୁହେଁ । ମାତ୍ର ଗଜିଆଟା ଆଉ ବଞ୍ଚିବ ନାହିଁ ଆହା, ପିଲାଟା କେତେ ଭଲ । ଯାହା କହନ୍ତି, ମାଛିକୁ ମର ବୋଲି କହେ ନାହିଁ । ଡାକ୍ତର, ଓସ୍ତାଦକୁ ଡାକି କହିଲେ, ପେସେଣ୍ଟ ତା’ର ମା’କୁ ଖୋଜୁଛି । ଆଉ କାଞ୍ଚନ କିଏ ତାକୁ ଖୋଜୁଛି । ସବୁକଥା ଶୁଣୁ ଶୁଣୁ ମା’ର ଚେତା ବୁଡ଼ିଗଲା । ଚେତା ପାଇ ‘ଆରେ ମୋ ଧନରେ, ଆରେ ମୋ ଏକୋଇରବଳା ବିଶିକେଶନରେ, ତୋତେ ମୁଁ ସୁନାନାଖୀ କନିଆ ବିଭା କରି ଥାନ୍ତିରେ–ଏହିପରି ବାହୁନି ବାହୁନି ଗଛପତ୍ର କନ୍ଦାଇ ପଡ଼ି ଉଠି ଧାଇଁଲା । କାଞ୍ଚନ ମଧ୍ୟ ଆସିଲା । ପାଖରେ ବସି ଗଜେନ୍ଦ୍ରର ଦୁଇ ଆକ୍ଷିରୁ ବହିଆସିଥିବା ଦୁଇ ଧାର ଲୁହକୁ ନିଜ ପଣତ କାନିରେ ପୋଛିଦେଇ ଆଦରରେ ଡାକିଲା, ‘ଗଜିରେ ଗଜି, ?’ ଗଜି ଆକ୍ଷି ଖୋଲି ଚାହିଁଲା । ‘କା-ଞ୍ଚ-ନ-ମା-ଉ-ସୀ, ତୁ ଆସିଛୁ ! ମୋତେ....’ ଆଉ କଥା ବାହାରିନି । ବହୁ କଷ୍ଟରେ ସେ ଦୁଇ ହାତକୁ ଉଠାଇ ଯୋଡ଼ିଲା । ଅନନ୍ତ ବାୟୁମଣ୍ଡଳରେ କ୍ଷୁଦ୍ର ଢେଉଟିଏ ଉଠି ପୁଣି ମିଳାଇ ଗଲା ।

Image

 

ଅପ୍ରତ୍ୟାଶିତ

 

ସେ ଦିନ ରଞ୍ଜିତା କଲେଜର ସଂସ୍କୃତ ଆସୋସିଏସନ ମାସିକ ବୈଠକରେ ବକ୍ତୃତା ଦେଉଥାଏ । ବିଷୟବସ୍ତୁ–‘ବାଲ୍ମିକୀ ରାମାୟଣରେ ସୀତା ଚରିତ୍ର ।’ ରଞ୍ଜିତାର ସୁନ୍ଦର ଚେହେରା ସାଙ୍ଗକୁ ତା’ର ଓଜସ୍ୱିନୀ ଭାଷା ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରିଦେଇଥାଏ । ହଲ ଭିତରେ ଯାହା କହନ୍ତି ଛୁଞ୍ଚିଟିଏ ପକାଇବାକୁ ଜାଗା ନ ଥାଏ ।

 

ବକ୍ତୃତା ପ୍ରସଙ୍ଗରେ ରଞ୍ଜିତା ରାମାୟଣରୁ ଗୋଟିଏ ଶ୍ଲୋକ ଆବୃତ୍ତି କଲା ।

 

‘‘ଈର୍ଷ୍ୟା ରୋଷୌ ବହିଷ୍କୃତ୍ୟ ପୀତ ଶେଷମିବୋଦକଂ

ନୟ ମାଂ ବୀର ବିସ୍ତବ୍‌ଧଃ ପାପଂ ମୟୀ ନ ବିଦ୍ୟତେ ।’’

 

ଶ୍ରୀରାମଙ୍କର ବନ ଗମନ ସମୟରେ ସୀତା, ସ୍ୱାମୀଙ୍କ ନିକଟରେ ଅଳିକରି କହୁଛନ୍ତି, ‘ହେ ବୀର, ମୋ’ଠାରେ କୌଣସି ପାପ ନାହିଁ । ତୁମେ ମନରୁ ଈର୍ଷା ରୋଷ ପରିହାର କରି, ତୃଷାର୍ତ୍ତ ପଥିକ, ନିଜ ପାଖେ ରଖିଥିବା ଜଳପାତ୍ରରୁ କିଛି ଜଳ ପାନକରି ଅବଶିଷ୍ଟ ଜଳକୁ ଫିଙ୍ଗିନଦେଇ ଭବିଷ୍ୟତ ଆବଶ୍ୟକତା ଦୃଷ୍ଟିରୁ ଯେପରି ସଙ୍ଗରେ ନେଇଥାଏ, ତୁମେ ମୋତେ ସେହିପରି ସଙ୍ଗରେ ନେଇଯାଅ ।’

 

ଏତିକି କହୁ କହୁ ଅତ୍ୟନ୍ତ ଭାବପ୍ରବଣତା ବଶତଃ ରଞ୍ଜିତାର କଣ୍ଠରୁଦ୍ଧ ହୋଇଯାଇଥିଲା ଓ ସେ କାନ୍ଦି ପକାଇଥିଲା । ଶ୍ରୋତାମାନେ ପ୍ରଶଂସା ସୂଚକ ତାଳି ବୃଷ୍ଟି କରିଥିଲେ । ଲାଜେଇ ଯାଇଥିଲା, ବିଚରା ରଞ୍ଜିତା । କମନ୍‌ରୁମରେ ସାଙ୍ଗସାଥିମାନେ ତାକୁ ଘେରିଯାଇ କୁତୁ କୁତୁ କରି ହସାଇବାକୁ ଚେଷ୍ଟା କରିଥିଲେ । ରଞ୍ଜିତା ମଧ୍ୟ ଜୋରରେ ହସିଉଠିଥିଲା ।

 

ସେମାନଙ୍କ ହସରେ କମନ୍‌ରୁମ୍‌ କମ୍ପୁଥିଲାବେଳେ ବିଅରର୍‌ ଆସି ରଞ୍ଜିତାକୁ ଡାକିଲା । ‘ଦେଈ, ତମକୁ କିଏ ବାବୁ ଡାକୁଛନ୍ତି ।’ ରଞ୍ଜିତା ଦ୍ୱାର ମୁହଁକୁ ଯାଇ ପରଦା ଆଡ଼େଇବା ସଙ୍ଗେ ସଙ୍ଗେ ଦେଖିଲା, କଲେଜ ହିରୋ ପଙ୍କଜ ଦାସ ଠିଆ ହୋଇ ତାକୁ ନମସ୍କାର ଜଣାଉଛି । କଲେଜର ସବୁ ଫଙ୍କ୍‌ସନ୍‌ ଡ୍ରାମା, ସ୍ପୋର୍ଟସ୍‌, ଷ୍ଟାଇକ୍‌, ବାର୍ଷିକୋତ୍ସବ, ସବୁଥିରେ ସେ ଅଗ୍ରଣୀ । ‘ମୁଁ ଆଜ୍ଞା, ପଙ୍କଜ ଦାସ । ଏଇ କଲେଜରେ ଫୋର୍ଥ୍‌ ଇଅରରେ ପଢ଼େ ।’ ‘ମୁଁ ଆପଣଙ୍କୁ ଚିହ୍ନିଛି । କଅଣ କହନ୍ତୁ ।’ ‘କିଛି ନାହିଁ, ଆପଣ ଆଜି ଯେଉଁ ସ୍ପିଚ୍‌ ଦେଲେନା, ଆପଣଙ୍କ ପ୍ରଶଂସା ଜଣାଇବାକୁ ପ୍ରକୃତରେ ମୁଁ ଭାଷା ଖୋଜି ପାଉନି ।’ ତଳକୁ ମୁହଁ ପୋତି ହସିଥିଲା ରଞ୍ଜିତା ।

 

ତା’ପରେ ପରେ ପ୍ରାୟ ପ୍ରତିଦିନ ଲେଡ଼ିଜ୍‌ କମନ୍‌ରୁମ୍‌ ଦ୍ୱାରପାଖେ ପଙ୍କଜ ଦାସ କଥାବାର୍ତ୍ତା ହୁଏ ରଞ୍ଜିତା ସଙ୍ଗେ । ଅବଶ୍ୟ ମାମୁଲି କଥାବାର୍ତ୍ତା । ତଥାପି ରଞ୍ଜିତାକୁ ବଡ଼ ସଂକୋଚ ଲାଗେ । ଅନ୍ୟ ଝିଅମାନଙ୍କର ସେହି ଦ୍ୱାର ଦେଇ ଯିବା ଆସିବାରେ ବାଧା ହୁଏ । ପ୍ରିନ୍‌ସପାଲ ସେ ବାଟେ କେତେଥର ଯିବା ଆସିବା କଲେଣି । ସେ ବାଟେ ଯାଉଥିବା ପୁଅପିଲା ଟିକିଏ ରଞ୍ଜିତା ମୁହଁକୁ, ଟିକିଏ ପଙ୍କଜ ମୁହଁକୁ ଚାହିଁଦେଇ ଯାଆନ୍ତି । ଆଉ ଏକ ବିଚିତ୍ର ଯୋଗାଯୋଗ–ପଙ୍କଜ, ରଞ୍ଜିତା ସଙ୍ଗେ ଯେତେବେଳେ କଥାବାର୍ତ୍ତା ହୁଏ, ଗେଟ୍‌ ପାଖ ଦେବଦାରୁ ଗଛ ମୂଳରେ ଠିଆହୋଇ ଗୋଟାଏ ଦାଢ଼ିଆପିଲା ବାରମ୍ବାର ସେମାନଙ୍କ ଆଡ଼କୁ ଚାହିଁରହେ । ତା’ ମନରେ ଈର୍ଷା, ଦ୍ୱେଷ ବା ଅନ୍ୟ କିଛି ଅଛି । ରଞ୍ଜିତା ଜାଣିପାରେ ନାହିଁ । ମାତ୍ର ମନଟା ଦବି ଯାଏ । ଭୟ ଲାଗେ । ଜୀବନରେ ଏପର୍ଯ୍ୟନ୍ତ କୌଣସି ପୁରୁଷ ପିଲା ସଙ୍ଗେ ତା’ର ଘନିଷ୍ଠତା ହୋଇନାହିଁ କି ସେ ଦିଗରେ ତା’ର ନଜର ନାହିଁ । ବାଲ୍ୟକାଳରୁ ପିତୃହୀନା । ସ୍ନେହମୟୀ ମା’ ହିଁ ତା’ର ସର୍ବସ୍ୱ । ଏବେ ମଧ୍ୟ ତାହାରି କୋଳରେ ମୁହଁ ଗୁଞ୍ଜି ସେ ଶୋଇବାକୁ ଭଲପାଏ ।

 

ସହପାଠିନୀ ଜଣେ ଦିନେ କହୁଥିଲା ‘ରଞ୍ଜୁଲୋ, ପଙ୍କଜ ଦାସ କୁଆଡ଼େ ଭଲ ପିଲା ନୁହେଁ । ଭାରି ଗର୍ବି । ବାପା ତା’ର ପୂର୍ବତନ ମନ୍ତ୍ରୀ ଥିଲେ । ଭାରି ହିସାବୀ ଲୋକ । ପୁଅର ବିବାହ ପାଇଁ ଏହି ଦିନୁ କୁଆଡ଼େ ଅଙ୍କ କଷିବା ଆରମ୍ଭ କଲେଣି । ତୁ ତ ନିରୀହ ସରଳ ପିଲା । ହୁସିଆର ଥା, କାଳେ ଠକି ଯିବୁ ।’

 

ପଙ୍କଜକୁ ଏଡ଼େଇବା ପାଇଁ ରଞ୍ଜିତା, ଲିଜର ପିରିଅଡ଼ରେ କମନ୍‌ରୁମ୍‌କୁ ନଆସି ଲାଇବ୍ରେରୀରେ ଯାଇ ବସେ । ଦିନେ ଲାଗ ଲାଗ ଦୁଇଟି କାଗଜ ଗୁଳା ତା’ ଉପରେ ଆସି ପଡ଼ିଲା-। ପଛକୁ ଚାହିଁ ଦେଖେତ ସେହି ଦାଢ଼ିଆ ପିଲା ଖଣ୍ଡେ ଦୂରରେ ବସି ହିଁ ହିଁ ହୋଇ ହସୁଛି । ରାଗରେ ତା’ର ବ୍ରହ୍ମ ତାତି ଉଠିଲା । ମାତ୍ର କିଛି ନକହି ସଙ୍ଗେ ସଙ୍ଗେ ଉଠି ଚାଲି ଯାଇଥିଲା ସେ । ଛି, ଛି, ଝିଅ କଲେଜରେ ଏସବୁ ଉପଦ୍ରବ ନାହିଁ । ଭଲ ପଢ଼ାହୁଏ ବୋଲି ଏଠାରେ ନାମ ଲେଖାଇ ସେ ଭୁଲ କଲା ।

 

ରଞ୍ଜିତା ଆସି କମନ୍‌ରୁମରେ ବସିଲା । ଦ୍ରୁତ ଗତିରେ ଚାଲିଆସିବା ହେତୁ ସେପର୍ଯ୍ୟନ୍ତ ତା’ର ଖର ନିଃଶ୍ୱାସ ବନ୍ଦ ହୋଇନଥାଏ । ହଠାତ୍‌ ବେହେରା ଆସି ଡାକିଲା ‘ଦେଈ, କିଏ ଡାକୁଛନ୍ତି-।’ ‘କହ, ମୁଁ ବର୍ତ୍ତମାନ ଯାଇପାରିବି ନାହିଁ ।’ ତାପରେ ସଙ୍ଗେ ସଙ୍ଗେ ଉଠିଯାଇ ଦେଖିଲା, ସେହି ଦାଢ଼ିଆ ପିଲା । ରାଗରେ ତା’ର ଦେହ ସାରା ଥରି ଉଠିଲା । ଇଚ୍ଛାହେଲା, ଚଟି କାଢ଼ିବାକୁ । ହଠାତ୍‌ ଦାଢ଼ିଆ ନିଜ ପକେଟ୍‌ରୁ ରଞ୍ଜିତାର ରୁମାଲଟି କାଢ଼ି ବଢ଼ାଇଦେଲା ଓ ହିଁ, ହିଁ, ହୋଇ ହସିଲା-। ମାଡ଼ାମ୍‌, ଏଇଟାକୁ ଲାଇବ୍ରେରୀରେ ପକାଇ ଦେଇ ଆସିଥିଲେ । ‘ଧନ୍ୟବାଦ’ କହି ରଞ୍ଜିତା ଚଟ୍‌ କରି ତା’ ହାତରୁ ରୁମାଲ୍‌ଟି ନେଇଗଲା ଓ ପରଦା ଆରପଟେ ଅଦୃଶ୍ୟ ହୋଇଗଲା । ସତେ ଯେପରି ଦ୍ରୌପଦୀ, କୀଚକ ହାତରୁ ପଣତ କାନି ଛଡ଼ାଇ ନେଇ ପଳାଇଲେ !

 

ରଞ୍ଜିତା ବସିପଡ଼ି ଖର ନିଃଶ୍ୱାସ ଛାଡ଼ିଲା । ସହପାଠିନୀକୁ ଡାକିଲା ‘ହେ ସଞ୍ଜୁ, ପାଣି ଗ୍ଲାସେ ଗଡ଼େଇ ଦେଲୁ । ମୋ ପ୍ରାଣ ବାହାରିଯିବ ।’ ପାଣି ଗ୍ଲାସକ ଏକାନିଃଶ୍ୱାସକେ ପିଇ ଟିକିଏ ସୁସ୍ଥ ବୋଧ କଲା ସେ । ‘ସଞ୍ଜୁ, ଏ ଦାଢ଼ିଆ ଟୋକା କିଏ ?’ ‘ସେ ଗୋଟାଏ ବାଳୁଙ୍ଗା, ଝିଅମାନଙ୍କୁ ଫଲୋ କରିବା, ରାସ୍ତା ଘାଟରେ କମେଣ୍ଟ ମାରିବା–ଏଇ ହେଲା କାମ । ପାଠପଢ଼ିବା ନାଁରେ ବାପର ଅନ୍ନ ଧ୍ୱଂସ କରୁଛି । ଏଗୁଡ଼ାଙ୍କର ସାତ ଜନ୍ମରେ ପାଠ ହେବ ?’

 

ଆଉ ଦିନେ ରଞ୍ଜିତା ଘରୁ ବହିପତ୍ର ଧରି ଠିକ୍‌ କଲେଜ ବାହାରିଲା ବେଳକୁ ପଙ୍କଜ ସେ ବାଟେ ସ୍କୁଟରରେ ଯାଉଛି । ତାକୁ ଡାକିଲା, ସ୍କୁଟରରେ ନେଇ ଯିବାକୁ । ମାତ୍ର ରଞ୍ଜିତା ମନା କଲା ଓ ସବୁଦିନପରି ରିକ୍‌ସାରେ ଗଲା । ବାଟରେ ଭାବୁଥାଏ, ପଙ୍କଜର କେଡ଼େ ସାହାସ ! ତା’ ସଙ୍ଗେ ତା’ର ଏପରି କିଛି ଘନିଷ୍ଠତା ହୋଇଯାଇନି, ଯାହାଫଳରେ ସେ ତାକୁ ସ୍କୁଟର ପଛରେ ବସାଇ ବିଚ୍‌ ବଜାରରେ ନେଇଯିବ । ହୋଇପାରେ ସେ ବଡ଼ଲୋକ । ମାତ୍ର ରଞ୍ଜିତାର ତ ଆତ୍ମସମ୍ମାନ ଅଛି । ଆଜି ନିଶ୍ଚୟ ସେ ତାକୁ ଭଲ କରି ଦି’ପଦ ଶୁଣାଇଦେବ, ପରିଣତି ଯାହା ହେଲେ ହେଉ ।

 

କଥା କହିବାର କଳା ରଞ୍ଜିତାକୁ ବେଶ୍‌ ଜଣା । ସେଦିନ କଲେଜରେ ସେ ପଙ୍କଜକୁ ବେଶ୍‌ ମିଠାକଡ଼ା ମକରଧ୍ୱଜ ପାନେ ଚଢ଼ାଇ ଦେଇଥିଲା ଏବଂ ତାହା ଭଲ କାମ ମଧ୍ୟ କରିଥିଲା । ସେହି ଦିନୁ ପଙ୍କଜ ଆଉ କମନ୍‌ରୁମ୍‌ ଦ୍ୱାର ନିକଟକୁ ଆସେ ନାହିଁ । କ୍ଲାସ୍‍କୁ ଯିବାଆସିବା ବେଳେ ଭେଟିଲେ ବାଟ ଆଡ଼େଇ ଚାଲିଯାଏ । ରଞ୍ଜିତାକୁ ବେଳେ ବେଳେ ଅନୁତାପ କଲାପରି ଲାଗେ । ମାତ୍ର ମନକୁ ସେ ଦୃଢ଼ କରେ । ଯାହା ହୋଇଛି, ଭଲ ହୋଇଛି । ଈଶ୍ୱର ଯାହା କରନ୍ତି, ପ୍ରାଣୀର ମଙ୍ଗଳ ନିମନ୍ତେ ।

 

ଦିନେ ରିକ୍‌ସାନମିଳିବାରୁ ରଞ୍ଜିତା ଚାଲି ଚାଲି କଲେଜ ଯାଉଥାଏ । ବାଟରେ ରିକ୍‌ସା ପାଇଲେ ଉଠିଯିବ । ହଠାତ୍‌ ଗୋଟିଏ ପିଲା ରାସ୍ତା ଉପରକୁ ଆସି କହିଲା ‘ମାଡ଼ାମ୍‌, ନମସ୍କାର, ଆପଣଙ୍କର ଯଦି ଇଚ୍ଛା ଅଛି, ଆମର ସମୟ ଅଛି ।’ ରଞ୍ଜିତା ଏକବାର ସ୍ତମ୍ଭୀତ । ‘ମେଞ୍ଚଡ଼ ଟୋକା ଖଣ୍ଡେ । ଗାଲଚିପିଲେ ଦୁଧ ବାହାରି ପଡ଼ିବ । ତତେ ଏକଥା କିଏ ଶିଖେଇଛି କହ, ନହେଲେ ଚାଲ ତୋ ସାର୍‌ଙ୍କ ପାଖକୁ । ତୁ କୋଉ ସ୍କୁଲରେ ପଢୁଛୁ ? ’

 

ରଞ୍ଜିତାର ଧମକରେ ପିଲାଟା ଡରିଗଲା । ଗଛ ମୂଳକୁ ହାତ ଦେଖାଇ କହିଲା, ସେଇ ବାବୁ ପରା । ମତେ ଦି’ଟା ଚକୋଲେଟ୍‌ ଦେଇଛନ୍ତି । ରଞ୍ଜିତା ଦେଖିଲା, କଲେଜର ସେହି ଦାଢ଼ିଆ-। ହିଁ ହିଁ ହୋଇ ହସୁଛି । ରଞ୍ଜିତା ପାଟିକରି ଉଠିଲା ‘ଆପଣ ଯଦି ଭଦ୍ରଘରର ପିଲା ଭଦ୍ରଲୋକର ସନ୍ତାନ ହୋଇଥିବେ ତେବେ ଆଜିଠୁ ମୋ ପିଛା ଛାଡ଼ିବେ । ନହେଲେ ମୁଁ ବୁଝିବି, ଇଉ ଆର୍‌ ଏ ବାଷ୍ଟାର୍ଡ଼ ।’

 

ଲୋକେ ଜମିବାର ଦେଖି ଦାଢ଼ିଆ ସାଇକଲରେ ବସି ଚମ୍ପଟ ଦେଲା । ରଞ୍ଜିତା ରିକ୍‌ସାରେ କଲେଜ ଆସିଲା । ଦେହଟା ବହୁତ ସମୟ ପର୍ଯ୍ୟନ୍ତ ଥରୁଥାଏ । ସେଦିନ କୌଣସି କଥାରେ ଆଉ ମନ ଲାଗିଲାନି ତା’ର । କିଛି ଦିନ ପରେ.... ।

 

ସେଦିନ ଥାଏ ରହିବାର । ସନ୍ଧ୍ୟାବେଳେ ମାର୍କେଟିଂ ସାରି ଘରକୁ ଫେରୁଥାଏ ସେ । ହଠାତ୍‌ କେତେଜଣ ଲୋକ ଜିପରେ ଆସି ତା’ର ମୁହଁକୁ ବାନ୍ଧି ପକାଇ ରାସ୍ତାରୁ ଉଠାଇ ନେଲେ । ପରିସ୍ଥିତିକୁ ଉପଲବ୍‌ଧି କରିବା ପୂର୍ବରୁ ସେ ହୋଇସାରିଥିଲା ବନ୍ଦିନୀ । ଜିପ୍‌ ଛୁଟି ଚାଲିଥିଲା । ପାଟି କରିବାର ଉପାୟ ନ ଥିଲା । ଗୋଟାଏ ଘରେ ତାକୁ ପୂରାଇ ଦେଇ, ବାହାରୁ ତାଲାବନ୍ଦ କରି ସେମାନେ ଚାଲିଗଲେ ।

 

ରଞ୍ଜିତା ଅନୁଭବ କଲା, ସମ୍ପୂର୍ଣ୍ଣ ଅବରୁଦ୍ଧ ପ୍ରକୋଷ୍ଠ । ସ୍କାଇଲାଇଟ୍‌ ଦେଇ ମେଞ୍ଚାଏ ଆଲୋକ କାହୁଁ ଆସି ପଡ଼ୁଛି । ତା’ର ଚିନ୍ତାଶକ୍ତି ଲୋପହୋଇ ଆସୁଥିଲା । ଦେହରେ ଯେପରି ପ୍ରାଣ ନାହିଁ । ସେ ଭାବୁଛି, ଏହା ସ୍ୱପ୍ନ ନା ସତ୍ୟ ! ଏପର୍ଯ୍ୟନ୍ତ ସିନେମାରେ ଯାହା ଦେଖୁଥିଲା, ଖବରକାଗଜରେ ପଢୁଥିଲା, ତା’ରି ଭାଗ୍ୟରେ ପୁଣି ତାହା ଘଟିଲା ! ଦୁଇ ଦୁଇଟା ଗୁଣ୍ଡା, ବଦମାସ୍‌ଙ୍କୁ ଉତ୍ୟକ୍ତ କରିବା ଠିକ୍‌ ହେଲାନାହିଁ । ସେ ଦୁହିଁକି ମଧ୍ୟରୁ ବା ଅନ୍ୟ ତୃତୀୟ ପକ୍ଷ, କିଏ ଏ ଜଘନ୍ୟ କାଣ୍ଡର କର୍ତ୍ତା ? କଅଣ ସେମାନଙ୍କ ଉଦ୍ଦେଶ୍ୟ, ଗ୍ୟାଙ୍ଗରେପ୍‌ ଛଡ଼ା ଆଉ ଅନ୍ୟ କଅଣ ହୋଇପାରେ ? ସେମାନେ ଏବେ କେଉଁ ବାରରେ ବସି ମଦ୍ୟପାନ କରୁଥିବେ । ଏହି କ୍ଷଣି ଆସି ପହଞ୍ଚି ଯିବେ । ଆଉ କିଛି ସମୟ ପରେ ସେ ହୁଏତ ଆଉ ଏ ସଂସାରରେ ନଥିବ । ରଞ୍ଜିତାର ଶରୀର ଆତଙ୍କରେ ଶୀତେଇ ଉଠିଲା । ହେ ଭଗବାନ, ଏ ନିରପରାଧିନୀର ଶେଷରେ ଏହି ପରିଣତି ହେଲା ! ଏଇ ତମର ବିଚାର !

 

ରଞ୍ଜିତା ଜୀବନ୍ମୃତ ପ୍ରାୟ ପଡ଼ିରହି ଚରମ ମୁହୂର୍ତ୍ତକୁ ଅପେକ୍ଷା କଲା । ଆତ୍ମହତ୍ୟାର ସୁଯୋଗ ମଧ୍ୟ ନାହିଁ, ହଠାତ୍‌ ଦ୍ୱାର ଖୋଲିଲା । ସେହି ଦାଢ଼ିଆ, ପୁଣି ଏକାକୀ । ରଞ୍ଜିତା କ୍ରୋଧରେ ପାଗଳ ପ୍ରାୟ ହୋଇ ତା’ର ହସ୍ତକୁ ଅତି ଜୋରରେ ଦଂଶନ କଲା । ସେ ଯନ୍ତ୍ରଣାରେ ଅସ୍ଥିର ହେଉ ହେଉ କହିଲା ‘ଆଉ ସମୟ ନାହିଁ । ଆପଣ ଶୀଘ୍ର ଏହି ରିକ୍‌ସାରେ ବସି ଘରକୁ ଚାଲିଯାନ୍ତୁ । ମୁଁ ରିକ୍‌ସାବାଲାକୁ ଆପଣଙ୍କ ଘରଠିକଣା ଦେଇଛି ।’

 

ରଞ୍ଜିତା ଆଶ୍ଚର୍ଯ୍ୟ ହୋଇ ଯାଇ ରିକ୍‌ସାରେ ବସିପଡ଼ିଲାପରେ ରିକ୍‌ସା ଛୁଟି ଚାଲିଲା । ପଶ୍ଚାତ୍‌ଧାବିତ ବ୍ୟାଧମୁଖରୁ ହରିଣୀ ପଳାଇ ଯାଉ ଯାଉ ଯେପରି ବେଳେ ବେଳେ ପଛକୁ ଭୟଚକିତ ନେତ୍ରରେ ଚାହିଁଦିଏ ରଞ୍ଜିତା ସେହିପରି ପରଦା ଟେକି ମଧ୍ୟେ ମଧ୍ୟେ ଚାହୁଁଥିଲା । ମାତ୍ର ବାଟରେ କୌଣସି ଅଘଟଣ ଘଟିନାହିଁ । ଘରେ ପହଞ୍ଚି ରଞ୍ଜିତା ତକିଆରେ ମୁହଁମାଡ଼ି ଅନେକ କାନ୍ଦିଲା । କାହାକୁ କିଛି ନକହିବାହିଁ ଶ୍ରେୟସ୍କର ମନେକଲା । ମାତ୍ର ପରଦିନଠାରୁ ତା’ର କଲେଜ ଯିବା ବନ୍ଦ ହୋଇଗଲା ।

 

କେତେ ବର୍ଷପରେ । ମାତୃହୀନ ରଞ୍ଜିତା ସଂସାରରେ ଏକାକିନୀ ମ୍ୟୁନିସିପାଲଟି ଅଧୀନସ୍ଥ ଗୋଟିଏ ସ୍କୁଲର ଶିକ୍ଷୟିତ୍ରୀ । କୌଣସି କ୍ୱାଟରର ଗୋଟିଏ ମାତ୍ର କୋଠରୀକୁ ସବଲେଟ୍‌ ସୂତ୍ରରେ ମାସିକ ଏକଶତ ଟଙ୍କା ଭଡ଼ାଦେଇ ରହୁଛି । ଦୁର୍ଗମ ସଂସାର-ପଥରେ ଅସହାୟ ଭାବେ ଏକାକିନୀ ଚାଲିବାକୁ ବଡ଼ କଷ୍ଟ ହେଉଛି । ଭୟ ଲାଗୁଛି । ବିଗତ ଦିନର ଭୟାବହ ସ୍ମୃତିକୁ ଦୁଃସ୍ୱପ୍ନ ପରି ଯେତେ ଭୁଲିଯିବାକୁ ଚେଷ୍ଟା କରୁଛି ତାହା ସେତିକି ଅଧିକ ଆତଙ୍କିତ କରୁଛି । ପୂର୍ଣ୍ଣିମା ତିଥିରେ ସମୁଦ୍ର ଉଛୁଳିଲାପରି ସୁନ୍ଦର ଶରୀରରେ ତା’ର ଯୌବନ-ଜୁଆର ଉଛୁଳୁଛି । ଏହାକୁ ବନ୍ଦ କରି ହେବନି କି ବେଶ ପ୍ରସାଧନରେ ଅଯତ୍ନଦ୍ୱାରା ଏହାକୁ ଲୋକ ଚକ୍ଷୁର ଅନ୍ତରାଳରେ ରଖିହେବନି । ମା’ କେତେ ଲଗାଇଥିଲା, ବିବାହ କରିବାକୁ । ବୋଧହୁଏ ତା’ର ଭବିଷ୍ୟତ ଅବସ୍ଥାକୁ ମା’ ନିଜର ଦୁରଦୃଷ୍ଟିବଳରେ ଦେଖିପାରିଥିଲା । ମାତ୍ର ସେହି ଦୁର୍ଘଟଣା ପରେ ଦ୍ୱିପଦ ପଶୁସମାଜକୁ ସେ ଘୃଣା କରୁଥିଲା । ସମସ୍ତେ ତାକୁ ଏକାପରି ଦେଖାଯାଉଥିଲେ ।

 

ଏବେ ତା’ର ସାଥୀଟିଏ ନିତାନ୍ତ ଲୋଡ଼ା । ମାତ୍ର କାହିଁ ସେହି ସାଥୀ ? ଘରେ, ବାହାରେ, ସ୍କୁଲରେ, ଅଫିସରେ–ସବତ୍ର କେବଳ ହିଂସ୍ର, ବୁଭୂକ୍ଷୁ ଦୃଷ୍ଟି । ଖାଇ ଶୋଇ ନିଃଶେଷ କରିଦେବାର ମନୋଭାବ । ରଞ୍ଜିତା ମନରେ ସୁଖନାହିଁ । କଞ୍ଚାବୟସରେ ଜୀବନ ଦୁର୍ବିସହ ବୋଧ ହେଉଛି । ସର୍ଭିସ ବହି ଖୋଲିବାକୁ ଅଫିସର୍‌ ପାଞ୍ଚଥର ଡକାଇଲେଣି । ଥରକରେ ହେବା କାମ । ରଞ୍ଜିତା ସ୍ଥିର କରିଛି । ଆଉ ଯିବନି । ସେ ସର୍ଭିସ୍‌ ବହି ପଛେ ଖୋଲା ନହେଉ ।

 

ମାମୁ ଚିଠି ଦେଇଛନ୍ତି, ମା’ ରଞ୍ଜିତା, ପ୍ରଶାନ୍ତ ବାବୁ ଆଇ.ଏ.ଏସ୍‌. ପାଇ ଏବେ ବିହାର ସିଭିଲ ସର୍ଭିସରେ ଯୋଗ ଦେଇଛନ୍ତି । ତାଙ୍କ ଖାନ୍‌ଦାନ ପରିବାର ସହିତ ମୋର ବହୁଦିନର ସମ୍ପର୍କ-। ସେ ତୋତେ ଦେଖିଛନ୍ତି ଓ ବିବାହ କରିବାକୁ ଚାହାଁନ୍ତି । ଏହା ପରମ ସୌଭାଗ୍ୟର ବିଷୟ ଜାଣି ତୋର ମୁରବୀ ହିସାବରେ ମୁଁ ସ୍ୱୀକୃତି ଦେଇ ସାରିଛି । ପ୍ରଶାନ୍ତ ବାବୁଙ୍କର ଖଣ୍ଡିଏ ଫଟୋ ପଠାଇଲି-। ତୋର ଗୋଟିଏ ଫଟୋ ସହିତ ସ୍ୱୀକୃତି ଜଣାଇଲେ ଆସନ୍ତା ତିଥିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । କୌଣସି ଯୌତୁକ ଦାବି ନାହିଁ । ରଞ୍ଜିତା ଫଟୋଟି ଦେଖିଲା । ମୁଗ୍‌ଧ ହେଲା । କେଉଁଠି ଦେଖିଲା ପରି ଲାଗୁଛି । X X ନିର୍ଦ୍ଦିଷ୍ଟ ତିଥିରେ ଯଥାବିଧି ବିବାହ ସମ୍ପନ୍ନ ହେଲା । ଖୁବ୍‌ ଉତ୍କଣ୍ଠା ସତ୍ତ୍ୱେ ବିବାହ ବେଦୀରେ ମୁହଁ ଟେକି ସେ ‘ତାଙ୍କୁ’ ଟିକିଏ ଦେଖିପାରିଲା ନାହିଁ-। ଭୟ ହେଲା-। କାଳେ କେହି କିଛି କମେଣ୍ଟ କରିବେ । ତା’ର ତ ବାପ, ଭାଇ ନାହାନ୍ତି ଯେ କଥାକୁ ମାଡ଼ି ବସିବେ-। X X ମଧୁଶଯ୍ୟା ରଜନୀରେ ପ୍ରତୀକ୍ଷମାଣା ରଞ୍ଜିତା ମୃଦୁ ମଧୁର ପୁଷ୍ପସୌରଭ ପୂର୍ଣ୍ଣ ପରିବେଶକୁ ବେଶ୍‌ ଉପଭୋଗ କରୁଥିଲା । ରହସ୍ୟ କରିବାକୁ ନକଲି ଦାଢ଼ି ଲଗାଇ ପ୍ରଶାନ୍ତ ଆସିଲା ଏବଂ ରଞ୍ଜିତାର ଅବଗୁଣ୍ଠନକୁ ହାତରେ ଟେକି କହିଲା ‘‘ମ୍ୟାଡ଼ମ୍‌, ତମର ଯଦି ଅଛି ଇଚ୍ଛା, ଆମର ଅଛି ସମୟ ।’’

 

ରଞ୍ଜିତା ପ୍ରକାଶର ମୁହଁକୁ ବିସ୍ଫାରିତ ନେତ୍ରରେ ମୁହୂର୍ତ୍ତେ ଚାହିଁଦେଇ ଉତ୍ତରୀୟ ଫିଙ୍ଗିଦେଲା ଓ ଗର୍ଜିଉଠିଲା । ‘ଓହୋ, ତେବେ ମୁଁ ପ୍ରତାରିତ ହୋଇଛି ! ହେ ଭଗବାନ ।’ ନିଜ ମୁହଁରୁ ନକଲି ଦାଢ଼ି କାଢ଼ିଦେଇ ପ୍ରଶାନ୍ତ ଶାନ୍ତ ସ୍ୱରରେ କହିଲା ‘ନା, ରଞ୍ଜିତା ତୁମେ ପ୍ରତାରିତ ହୋଇନାହଁ । ସେ ଦାଢ଼ିଆ ଗୁଣ୍ଡା ପ୍ରଶାନ୍ତ ବହୁଦିନରୁ ମରିଯାଇଛି । ତମରି ଉପଯୁକ୍ତ ହେବାପାଇଁ ମୁଁ କଠୋର ସାଧନା କରିଛି । ଆଉ ଆଜି ଯାହା ବା ହୋଇପାରିଛି ତାହା କେବଳ ତମରି ପ୍ରଚ୍ଛନ୍ନ ପ୍ରେରଣାର ଫଳ । ତେଣୁ ତୁମେ ମୋର କେବଳ ଧର୍ମପତ୍ନୀ ନୁହଁ, ମୋର ଆରାଧ୍ୟା ଦେବୀ, ଚିର ନମସ୍ୟା ।’

 

ରଞ୍ଜିତା ନିଜର ଚକ୍ଷୁ କର୍ଣ୍ଣକୁ ହଠାତ୍‌ ବିଶ୍ୱାସ କରିପାରିଲାନାହିଁ । ଏହା ଆଉ ସ୍ୱପ୍ନ ନୁହେଁ ତ ? ପ୍ରଶାନ୍ତର ନିର୍ଭୟ କୋଳରେ ରଞ୍ଜିତାର ଚକ୍ଷୁ ମୁଦ୍ରିତ ହୋଇ ଆସୁଥିଲା ।

Image